କଟକ: ବିବାହତ ଝିଅ ହୋଇଥିବା କାରଣରୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରାଯାଇପାରିବ ନାହିଁ। ବିବାହିତ ଝିଅମାନେ ମଧ୍ୟ ଆଇନଗତ ଭାବେ ଅନୁକମ୍ପାମୂଳକ ନିଯୁକ୍ତି ପାଇପାରିବେ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଆବେଦନକାରିଣୀ ଗୌରୀ ଜେନାଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଏହି ଆଦେଶ ଦେଇଛନ୍ତି।

ମାମଲାରୁ ଜଣାଯାଇଛି ଯେ, ଆବେଦନକାରିଣୀ ଗୌରୀ ଜେନା ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ମାତ୍ର ଗୌରୀଙ୍କର ବିବାହ ହୋଇସାରିଥିବାରୁ ତାଙ୍କ ଆବେଦନକୁ ୨୦୧୬ ଜୁଲାଇ ୨୮ ତାରିଖରେ ଢେଙ୍କାନାଳ ସିଡିଏମ୍ଓ ଖାରଜ କରିଦେଇଥିଲେ। ଏହି ନିଷ୍ପତ୍ତିକୁ ଚାଲେଞ୍ଜ କରି ଆବେଦନକାରିଣୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାର ଶୁଣାଣି ସମୟରେ ଆବେଦନକାରିଣୀଙ୍କ ଆଇନଜୀବୀ ଏଇଭଳି ମାମଲାରେ ହାଇକୋର୍ଟ ପୂର୍ବରୁ ଦେଇଥିବା କେତେକ ରାୟ ଉପସ୍ଥାପନ କରିଥିଲେ।

ଏହି ସବୁ ମାମଲାରେ ହାଇକୋର୍ଟ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ମୃତ କର୍ମଚାରୀଙ୍କ ବିବାହିତ ଝିଅମାନେ ମଧ୍ୟ ଅନୁକମ୍ପାମୂଳକ ନିଯୁକ୍ତି ପାଇବାକୁ ହକ୍ଦାର। ତେଣୁ ଗୌରୀ ଜେନାଙ୍କ ଆବେଦନକୁ ଖାରଜ କରିବା ଆଇନଗତ ଭାବେ ଗ୍ରହଣଯୋଗ୍ୟ ନୁହେଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ସରକାରୀ ଓକିଲ ମଧ୍ୟ ପୂର୍ବରୁ ଅଦାଲତ ଦେଇଥିବା ରାୟକୁ ସ୍ବୀକାର କରିଥିଲେ ଏବଂ ମାମଲାଟିକୁ ପୁନଃବିଚାର ପାଇଁ ପଠାଯାଉ ବୋଲି ମତ ଦେଇଥିଲେ।

ଅଦାଲତ ଉଭୟ ପକ୍ଷଙ୍କ ଯୁକ୍ତିକୁ ଅନୁଧ୍ୟାନ କରିବା ପରେ ସିଡିଏମ୍ଓଙ୍କ ଆଦେଶକୁ ରଦ୍ଦ କରି ଦେଇଛନ୍ତି। ଏଥିସହିତ କୋର୍ଟ ମାମଲାଟିକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇଛନ୍ତି। ହାଇକୋର୍ଟଙ୍କ ପୂର୍ବ ରାୟଗୁଡ଼ିକୁ ଆଧାର କରି ଆବେଦନକାରିଣୀଜ୍ଞ ଦାବି ଉପରେ ଏକ ସ୍ବଚ୍ଛ ଓ ଓ ନୂତନ ନିଷ୍ପତ୍ତି ନେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।