ଭୁବନେଶ୍ୱର: ଦୁର୍ଗାପୂଜା ଓ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ବେଆଇନ ମଦ କାରବାର ଉପରେ କଡ଼ା ନଜର ରଖିଛନ୍ତି ରାଜ୍ୟ ସରକାର। ବେଆଇନ ମଦ ବ୍ୟବସାୟକୁ ସମ୍ପୂର୍ଣ୍ଣ ଠପ୍ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଗତ ୧୧ ତାରିଖରୁ ଦଶହରା ଅବସରରେ ଏକ ବିଶେଷ ଏନଫୋର୍ସମେଣ୍ଟ ଡ୍ରାଇଭ୍ ଆରମ୍ଭ କରାଯାଇଛି। ଏହା  ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ରାଜ୍ୟର ସମସ୍ତ ଜିଲ୍ଲା ଅବକାରୀ ଅଧିକାରୀମାନଙ୍କୁ ଏଥିପାଇଁ ନିର୍ଦ୍ଦିଷ୍ଟ ଟାର୍ଗେଟ ଦିଆଯାଇଛି। ସମସ୍ତ ଅଞ୍ଚଳରେ ଚଢ଼ାଉ ଜୋରଦାର କରି ବେଆଇନ ମଦ ବେପାରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି।

Also Read: କୋଲକାତା ଦଳାଚକଟା ଘଟଣା ପରେ ଚେତିଲା କମିଶନରେଟ୍ ପୋଲିସ, ପୂଜା ମଣ୍ଡପରେ ଭିଡ଼ ନିୟନ୍ତ୍ରଣ ପାଇଁ କଡ଼ା ଚେତାବନୀ

ଯେଉଁ ସ୍ଥାନଗୁଡ଼ିକରେ ବେଆଇନ ମଦ କାରବାର ଚାଲିଛି ଏବଂ ଏହା ଦ୍ୱାରା ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେଉଛି, ସେଠାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅସାଧୁ ବ୍ୟବସାୟୀଙ୍କୁ ଗିରଫ କରିବା ସହ ବେଆଇନ ମଦ ଜବତ କରାଯିବ ଏବଂ ସେମାନଙ୍କର ସମ୍ପୂର୍ଣ୍ଣ ନେଟୱାର୍କ ଓ ଭିତ୍ତିଭୂମିକୁ ଧ୍ୱଂସ କରିବା ପାଇଁ ବିଭାଗ ପ୍ରସ୍ତୁତ ରହିଛି।

ଏସଏଚଜି ମହିଳାଙ୍କୁ ପ୍ରଶଂସା ଓ ସହଯୋଗର ପ୍ରତିଶ୍ରୁତି

ଅପରପକ୍ଷରେ, ନବରଙ୍ଗପୁର ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) ର ମହିଳାମାନେ ବେଆଇନ ମଦ ବିରୋଧରେ ଚଳାଇଥିବା ଆନ୍ଦୋଳନକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ସାମାଜିକ ସୁଧାର ପାଇଁ ମହିଳାମାନଙ୍କର ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଏସଏଚଜି ମହିଳାମାନେ ଏହି ମଦ ବିରୋଧୀ ଅଭିଯାନ ଜାରି ରଖନ୍ତୁ, ରାଜ୍ୟ ସରକାର ଓ ଅବକାରୀ ବିଭାଗ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ ଯୋଗାଇ ଦିଆଯିବ।