ଭୁବନେଶ୍ୱର:କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପତ୍ନୀ କିମ୍ବା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ଦେଉନଥିବା ସରକାରୀ କର୍ମଚାରୀଙ୍କ ପାଇଁ ଏଣିକି କଠୋର ହେବ ବ୍ୟବସ୍ଥା। ଏଭଳି କର୍ମଚାରୀଙ୍କ ଦରମାରୁ ସିଧାସଳଖ ଭରଣପୋଷଣ ଟଙ୍କା କାଟି ପତ୍ନୀ କିମ୍ବା ସନ୍ତାନସନ୍ତତିଙ୍କ ବ୍ୟାଙ୍କ ଖାତାରେ ଜମା କରାଯିବ। ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟର କିଛି ସରକାରୀ କର୍ମଚାରୀ କୋର୍ଟଙ୍କ ନିର୍ଦ୍ଦେଶ ଥିବା ସତ୍ତ୍ୱେ ନିଜ ପତ୍ନୀ କିମ୍ବା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ଦେଉନଥିବା ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ଆସୁଛି। ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ ହାରାହାରି ୨ରୁ ୩ଟି ଏଭଳି ମାମଲା ଆସୁଥିବା ଜଣାପଡ଼ିଛି।

କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଭରଣପୋଷଣ ନଦେବା ଘଟଣାକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହ ନେଇଛନ୍ତି। ସରକାରୀ କର୍ମଚାରୀ ହୋଇ ଅଦାଲତର ନିର୍ଦ୍ଦେଶକୁ ଅବମାନନା କରିବା ସହ ପତ୍ନୀ ଓ ପିଲାମାନଙ୍କ ପ୍ରତି ଅବିଚାର କରିବା ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଦାଲତଙ୍କ ପକ୍ଷରୁ ଭରଣପୋଷଣ କିମ୍ବା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଦେବାକୁ ନିର୍ଦ୍ଦେଶ ଥିଲେ, ସମ୍ପୃକ୍ତ ବିଭାଗର DDO (Drawing & Disbursement Officer) ଏହାକୁ କାର୍ଯ୍ୟକାରୀ କରିବେ।

କର୍ମଚାରୀଙ୍କ ମାସିକ ଦରମା ବିଲ୍ ପ୍ରସ୍ତୁତ ସମୟରେ କୋର୍ଟ ନିର୍ଦ୍ଧାରଣ କରିଥିବା ଭରଣପୋଷଣ ରାଶି ଦରମାରୁ କାଟି ନିଆଯିବ। ପରେ ସେହି ଟଙ୍କା ସମ୍ପୃକ୍ତ ପତ୍ନୀ କିମ୍ବା ସନ୍ତାନସନ୍ତତିଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ଜମା କରାଯିବ।

also read- ସାବାସ ସୁଦର୍ଶନ ! ପିଲାଙ୍କ ପାଠ ପଢା ପାଇଁ ଖର୍ଚ୍ଚ କଲେ ପ୍ରଥମ ଦରମା, ରେଙ୍ଗାଲି ବିଧାୟକଙ୍କ ପ୍ରୟାସକୁ ସବୁଠି ପ୍ରଶଂସା

ଆଗାମୀ ଦିନରେ ଭରଣପୋଷଣ ସମ୍ପର୍କିତ କୋର୍ଟ ନିର୍ଦ୍ଦେଶକୁ ରାଜ୍ୟ ସରକାରଙ୍କ ସମନ୍ୱିତ ଓ ସ୍ୱୟଂଚାଳିତ ବ୍ୟବସ୍ଥା HRMS ସହ ଯୋଡ଼ାଯିବ। ଏହା ଦ୍ୱାରା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ସ୍ୱୟଂଚାଳିତ କରାଯିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଅଦାଲତଙ୍କ ନିର୍ଦ୍ଦେଶର ଠିକ୍ ଭାବେ ଅନୁପାଳନ ହୋଇପାରିବ। ଏଥିସହ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଭରଣପୋଷଣ ନପାଇ ଅସୁବିଧାରେ ଥିବା ମହିଳା ଓ ସନ୍ତାନସନ୍ତତିଙ୍କୁ ମଧ୍ୟ ଆର୍ଥିକ ସହାୟତା ସମୟରେ ମିଳିପାରିବ।