ନୂଆଦିଲ୍ଲୀ, ୦୧/୦୪ : ଓଡିଶା କ୍ୟାଡର ଆଇଏଏସ ଅଧିକାରୀଙ୍କୁ ଗୁରୁ ଦାୟିତ୍ୱ । ବରିଷ୍ଠ ଆଇଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କୁ ଡାଇରେକ୍ଟୋରେଟ ଜେନେରାଲ ଅଫ ସିଭିଲ ଆଭିଏସନ (ଡିଜିସିଏ)ର ଡିଜି ନିଯୁକ୍ତ କରାଯାଇଛି। ନିଯୁକ୍ତି ସଂକ୍ରାନ୍ତୀୟ କେନ୍ଦ୍ର କ୍ୟାବିନେଟ କମିଟିରେ ଏନେଇ ଅନୁମୋଦନ ହୋଇଛି। 

ବୀର ବିକ୍ରମ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ୧୯୯୬ ବ୍ୟାଚ ଓଡିଶା କ୍ୟାଡର ଆଇଏଏସ ଅଫିସର ହେଉଛନ୍ତି ବୀର ବିକ୍ରମ ଯାଦବ। ପୂର୍ବରୁ ବୀର ବିକ୍ରମ ଓଡିଶା ସରକାରଙ୍କ ପୂର୍ତ୍ତ ସଚିବ, ଯୋଗାଣ ସଚିବ ଏବଂ ବିଜ୍ଞାନ ଓ କାରିଗରୀ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି। ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମଧ୍ୟ ଥିଲେ ।

ବର୍ତ୍ତମାନ ବୀର ବିକ୍ରମ ଯାଦବ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଏବଂ ପରିବେଶ ମନ୍ତ୍ରାଳୟରେ ଅତିରିକ୍ତ ସଚିବ ରହିଛନ୍ତି । ଏୟାର ଟ୍ରାଫିକ୍, ବିମାନ ବାତିଲ ଏବଂ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଅନେକ ଚ୍ୟାଲେଞ୍ଜ୍ ମଧ୍ୟରେ ସେ ନୂଆ ଦାୟିତ୍ୱ ନେବେ । ଏହି ସବୁ ପ୍ରସଙ୍ଗରେ ତାଙ୍କର ଅଧିକ ଫୋକସ ରହିବ ବୋଲି କୁହାଯାଉଛି ।

ଅନ୍ୟ ଦିଗରେ ଏବେ ଡିଜିସିଏର ଡିଜି ଥିବା ଫୈଜ ଅହମ୍ମଦ କିଡଓ୍ୱାଇଙ୍କୁ ଅତିରିକ୍ତ ସଚିବ ଭାବେ କାର୍ମିକ ମନ୍ତ୍ରାଳୟକୁ ବଦଳି କରାଯାଇଛି । ୨୦୨୫ ଜାନୁଆରୀ ମାସରେ ସେ ଡିଜିସିଏର ଦାୟିତ୍ୱ ନେଇଥିଲେ । ବର୍ଷେ ଉପରେ ସେ ଏହି ଦାୟିତ୍ୱ ସମ୍ଭାଳୁଛନ୍ତି ।