ନୂଆଦିଲ୍ଲୀ: ଖରାପ ଜୀବନଶୈଳୀ ଯୋଗୁଁ ୧୫ ବର୍ଷରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ମୋଟାପଣ ଏବଂ ମଧୁମେହ ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ (NFHS-6: 2023-24) ରିପୋର୍ଟ ଅନୁଯାୟୀ, ଦେଶରେ ୧୫ରୁ ୪୯ ବର୍ଷ ବୟସର ପ୍ରତି ତିନି ଜଣ ମହିଳା ଓ ପୁରୁଷଙ୍କ ମଧ୍ୟରୁ ପ୍ରାୟ ଜଣେ ମୋଟାପଣର ଶିକାର ହୋଇଛନ୍ତି ।

ରିପୋର୍ଟ ମୁତାବକ, ୧୫-୪୯ ବର୍ଷ ବୟସର ୩୦.୭ ପ୍ରତିଶତ ମହିଳା ଅଧିକ ଓଜନ ବା ମୋଟାପଣ ଶ୍ରେଣୀରେ ଅଛନ୍ତି, ଯାହା ପୂର୍ବ ସର୍ବେକ୍ଷଣ (NFHS-5)ରେ ୨୪ ପ୍ରତିଶତ ଥିଲା । ସହରାଞ୍ଚଳରେ ଏହି ସମସ୍ୟା ଅଧିକ ଗମ୍ଭୀର, ସେଠାରେ ୪୨.୮ ପ୍ରତିଶତ ମହିଳା ମୋଟାପଣର ଶିକାର ହୋଇଥିବା ବେଳେ ଗ୍ରାମାଞ୍ଚଳରେ ଏହି ସଂଖ୍ୟା ୨ ୫.୫ ପ୍ରତିଶତ ରହିଛି । ସେହିପରି ୨୭.୩ ପ୍ରତିଶତ ପୁରୁଷ ମଧ୍ୟ ମୋଟାପଣର ଶିକାର ହୋଇଛନ୍ତି ।

ଡାକ୍ତରମାନଙ୍କ କହିବା ଅନୁସାରେ, ଆୟ ବୃଦ୍ଧି, ଶାରୀରିକ ପରିଶ୍ରମର ଅଭାବ, ଅସନ୍ତୁଳିତ ଖାଦ୍ୟପେୟ ଏବଂ ଅଫିସରେ ବସି ରହି କାମ କରିବା ଶୈଳୀ ଯୋଗୁଁ ଏହି ସମସ୍ୟା ବଢ଼ୁଛି । ଏହା ଆଗକୁ ଯାଇ ହୃଦରୋଗ ଏବଂ ଅନ୍ୟାନ୍ୟ ଜଟିଳ ରୋଗର କାରଣ ସାଜୁଛି । ରିପୋର୍ଟ ଅନୁସାରେ ଦେଶରେ ମଧୁମେହର ଆକଳନ ମଧ୍ୟ ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି । ୧୫ ବର୍ଷ ବା ତା'ଠାରୁ ଅଧିକ ବୟସର ଲୋକଙ୍କ ମଧ୍ୟରେ ବ୍ଲଡ୍ ସୁଗାର ସ୍ତର ୧୪୦ mg/dl ରୁ ଅଧିକ ଥିବା କିମ୍ବା ମଧୁମେହ ନିୟନ୍ତ୍ରଣ ପାଇଁ ଔଷଧ ଖାଉଥିବା ଲୋକଙ୍କ ସଂଖ୍ୟା ମହିଳାଙ୍କ କ୍ଷେତ୍ରରେ ୧୭.୮ ପ୍ରତିଶତ ଏବଂ ପୁରୁଷଙ୍କ କ୍ଷେତ୍ରରେ ୨୦.୯ ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବରୁ ଏହା ଯଥାକ୍ରମେ ୧୩.୫% ଏବଂ ୧୫.୬% ଥିଲା ।

ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ମଧୁମେହର ବୋଝ ଅଧିକ ଦ୍ରୁତ ଗତିରେ ବଢ଼ୁଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ନିୟମିତ ବ୍ୟାୟାମ, ସନ୍ତୁଳିତ ଆହାର, ତମାଖୁ ଏବଂ ମଦ୍ୟପାନଠାରୁ ଦୂରରେ ରହିବା ଏବଂ ସମୟ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଦ୍ୱାରା ହିଁ ଏଥିରୁ ରକ୍ଷା ମିଳିପାରିବ । ତେବେ ଏହି ରିପୋର୍ଟରେ ଗୋଟିଏ ଆଶ୍ୱସ୍ତିକର ଖବର ମଧ୍ୟ ସାମ୍ନାକୁ ଆସିଛି । ଦେଶରେ ଉଚ୍ଚ ରକ୍ତଚାପ (ହାଇ ବ୍ଲଡ୍ ପ୍ରେସର) ସ୍ତରରେ ସୁଧାର ଆସିଛି । ମହିଳାଙ୍କ କ୍ଷେତ୍ରରେ ଉଚ୍ଚ ରକ୍ତଚାପ ୨୧.୩ ପ୍ରତିଶତରୁ କମି ୧୯. ୪ ପ୍ରତିଶତ ହୋଇଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ଏହା ୨୪.୦ ପ୍ରତିଶତରୁ କମି ୨୨.୧ ପ୍ରତିଶତ ହୋଇଛି । ଏହା ସହିତ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବଢ଼ିବା ଯୋଗୁଁ ମହିଳା ଓ ପୁରୁଷଙ୍କ ମଧ୍ୟରେ ତମାଖୁ ସେବନ ହାରରେ ସାମାନ୍ୟ ହ୍ରାସ ଘଟିଛି ।