ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ୍, ଆମେରିକା ଲାଗି ବଡ଼ ବିପଦ । ଏକଥା ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗାବାର୍ଡ । ସେ ବୁଧବାର (୧୮ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ, ପାକିସ୍ତାନ, ରୁଷ, ଚୀନ୍ ଏବଂ ଉତ୍ତର କୋରିଆ ଆମେରିକା ପାଇଁ ସବୁଠାରୁ ବଡ଼ ପରମାଣୁ ବିପଦ ସୃଷ୍ଟି କରୁଛନ୍ତି।ତୁଲସୀ ଗବାର୍ଡ କହିଛନ୍ତି, ‘ଗୁଇନ୍ଦା ସୂଚନାରୁ ଜଣାପଡିଛି ଯେ, ରୁଷ, ଚୀନ୍, ଉତ୍ତର କୋରିଆ, ଇରାନ ଏବଂ ପାକିସ୍ତାନ ପରମାଣୁ ଏବଂ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିପାରୁଥିବା କ୍ଷେପଣାସ୍ତ୍ର ବିକଶିତ କରୁଛନ୍ତି। ଏହି ସବୁ ଦେଶ, ଆମେରିକାକୁ ଲକ୍ଷ୍ୟଭେଦ କଲା ଭଳି କ୍ଷେପଣାସ୍ତ୍ର ତିଆରି କରୁଛନ୍ତି । ଉତ୍ତର କୋରିଆ ଏବେ ରୁଷ ଏବଂ ଚୀନ୍ ସହିତ ତାର ସହଭାଗୀତାକୁ ମଜଭୁତ କରୁଛି।’

ଇରାନ ଡ୍ରୋନ୍ କ୍ଷମତାକୁ ସୁଦୃଢ଼ କରିପାରିବ ନାହିଁ: ଗାବାର୍ଡ

Also Read: Brent crude prices rose; ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ପରେ ବ୍ରେଣ୍ଟ ଅଶୋଧିତ ତୈଳ ମୂଲ୍ୟ ୫% ବୃଦ୍ଧି

ତୁଳସୀ ଗାବାର୍ଡ କହିଛନ୍ତି ଯେ, ବିଭିନ୍ନ ଗୁଇନ୍ଦା ସୂଚନା ଅନୁସାରେ, ଆମେରିକାକୁ ଆକ୍ରମଣ କରିବାକୁ ସକ୍ଷମ କ୍ଷେପଣାସ୍ତ୍ର ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଇରାନର ଶାସନ ଏବେ ବି ଜାରି ରହିଛି । ହେଲେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଏହା ଯଥେଷ୍ଟ ଦୁର୍ବଳ ହୋଇଯାଇଛି। ଯଦି ଇରାନର ବର୍ତ୍ତମାନର ଶାସନ ଜରି ରହେ, ତଥାପି ଏହାର କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ କ୍ଷମତା ପୁନଃନିର୍ମାଣ କରିବାକୁ ବର୍ଷ ବର୍ଷ ଲାଗିବ।

ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ଉପରେ ଆକ୍ରମଣ ନିଷ୍ପତ୍ତିକୁ ସମର୍ଥନ କରିଥିଲେ ତୁଳସୀ ଗାବାର୍ଡ । ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ର (NCTC)ର ମୁଖ୍ୟ ଜୋ କେଣ୍ଟ ଇସ୍ତଫା ଦେବା ପରେ ତୁଳସୀ ଗାବାର୍ଡ ଏହି ମନ୍ତବ୍ୟ ଦେଇଥିଲେ । ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବିରୋଧ କରି ଜୋ କେଣ୍ଟ ଇସ୍ତଫା ଦେଇଥିଲେ । ଟ୍ରମ୍ପ ପ୍ରଶାସନରୁ ପ୍ରଥମ ଉଚ୍ଚସ୍ତରୀୟ ଅଧିକାରୀ ଭାବରେ କେଣ୍ଟଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଥିଲା । ସେପଟେ କେଣ୍ଟଙ୍କ ଇସ୍ତଫାକୁ ଭଲ ନିଷ୍ପତ୍ତି ବୋଲି କହିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।