ଭୁବନେଶ୍ବର : ଆଜି ଦୁଲୁକୁଛି ସମଗ୍ର ପଶ୍ଚିମ ଓଡ଼ିଶା । ସମସ୍ତେ ମିଶି ଧୁମଧାମରେ ପାଳନ କରୁଛନ୍ତି ଗଣପର୍ବ ନୂଆଖାଇ। ନୂଆ ଧାନର ପ୍ରଥମ ଅନ୍ନକୁ ଇଷ୍ଟଦେବୀ ମା' ସମଲେଇଙ୍କ ନିକଟରେ ଅର୍ପଣ କରିବା ସହ ପରିବାରର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରି ପାଳିତ ହେଉଛି ଏହି ମହାନ ପର୍ବ। ନୂଆଖାଇ ଅବସରରେ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ଓଡ଼ିଆ କୃଷିଭିତ୍ତିକ ଜୀବନ ଓ ସଂସ୍କୃତିର ଏକ ଅନନ୍ୟ ପରିଚୟ। ଚାଷୀ ନିଜ ଜମିରେ ଅମଳ କରିଥିବା ନୂଆ ଧାନକୁ ପ୍ରଥମେ ଦେବାଦେବୀଙ୍କୁ ସମର୍ପଣ କରିବା ପରେ ପରିବାର ସହ ନବାନ୍ନ ଗ୍ରହଣ କରିଥାନ୍ତି।

ପରମ୍ପରା ଅନୁଯାୟୀ, ଆଜି ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା ଓ ପାରମ୍ପରିକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ପରିବାରର ବଡ଼ମାନଙ୍କୁ ପ୍ରଣାମ କରି ଆଶୀର୍ବାଦ ନେବା ସହ ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ଭେଟଭାଟ ହୋଇ ଶୁଭେଚ୍ଛା ଜଣାଉଛନ୍ତି । ନୂଆଖାଇର ଆଉ ଏକ ବିଶେଷତ୍ୱ ହେଉଛି ‘ନୂଆଖାଇ ଭେଟଘାଟ’। ଏହି ଅବସରରେ ଲୋକେ ପରସ୍ପରକୁ ଭେଟି ଶୁଭେଚ୍ଛା ଜଣାଇବା ସହ ସାମାଜିକ ସମ୍ପର୍କକୁ ଆହୁରି ମଜବୁତ କରନ୍ତି। ଜାତି, ଧର୍ମ ଓ ଦଳମତ ନିର୍ବିଶେଷରେ ଏହି ପର୍ବ ଭାଇଚାରା ଓ ଏକତାର ବାର୍ତ୍ତା ଦେଇଥାଏ।

ସହରଠାରୁ ଦୂରରେ ରହୁଥିବା ଲୋକମାନେ ମଧ୍ୟ ଆଜି ନିଜ ମାଟି ଓ ପରିବାରକୁ ମନେ ପକାଇ ନୂଆଖାଇ ପାଇଁ ଘରମୁହାଁ ହୋଇଛନ୍ତି । ଫଳରେ ଗାଁଗୁଡ଼ିକରେ ପର୍ବର ଆନନ୍ଦ ଆହୁରି ଦ୍ୱିଗୁଣିତ ହୋଇଛି। ନୂଆଖାଇ ଆମକୁ ମାଟି, ଚାଷୀ ଓ ଅନ୍ନ ପ୍ରତି ସମ୍ମାନ କରିବାର ବାର୍ତ୍ତା ଦେଇଥାଏ। ପରମ୍ପରା, ସଂସ୍କୃତି ଓ ଭାଇଚାରାକୁ ଏକାଠି କରିଥିବା ଏହି ଗଣପର୍ବ ପଶ୍ଚିମ ଓଡ଼ିଶାର ଅସ୍ମିତାର ଏକ ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି।