ନୂଆଦିଲ୍ଲୀ: କିଛି ଦିନର ଭୀଷଣ ବର୍ଷା ପରେ ଏବେ ମୌସୁମୀରେ ଲାଗିବ ବିରାମ। ଏଣୁ ପାଣିପାଗ ବିଜ୍ଞାନୀ ଦେଶର ବିସ୍ତୃତ ଅଞ୍ଚଳ ପାଇଁ ପୁଣି ଶୁଷ୍କ ଓ ଗରମ ଗୁଳଗୁଳି ପାଗର ପୂର୍ବାନୁମାନ କରିଛନ୍ତି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଅନୁସାରେ ଭାରତରେ ଗତ ୯ ଦିନ ହେଲା ଲଗାତାର ଓ ହାରାହାରିରୁ ଅଧିକ ବର୍ଷା ଜାରି ରହିଛି। ଏହି ବର୍ଷା ଯୋଗୁ ମୌସୁମୀ ବର୍ଷା ସ୍ଥିତିରେ ସୁଧାର ଆସିଛି, କାରଣ ଗତ ୧୨୬ ବର୍ଷରେ ଦେଶରେ ଜୁନ ମାସ ପଞ୍ଚମ ସବୁଠୁ ଶୁଷ୍କ ଥିଲା। ଜୁନ ମାସ ଅପେକ୍ଷାକୃତ ଶୁଷ୍କ ରହିବା ଯୋଗୁ ଜୁଲାଇରେ ଖୁବ୍ ଶୀଘ୍ର ବର୍ଷା ଆରମ୍ଭ ହୋଇଗଲା।

ଏହି ସମୟରେ ଦିଲ୍ଲୀର ଅନେକ ଅଞ୍ଚଳରେ ୨୪ ଘଣ୍ଟାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ମୁମ୍ବାଇ ଓ ଆଖପାଖ ଅଞ୍ଚଳରେ ମଧ୍ୟ ଭୀଷଣ ବର୍ଷା ହୋଇଛି। କିଛି ସ୍ଥାନରେ ଜୁଲାଇରେ ଆଶା କରାଯାଉଥିବା ବର୍ଷାର ଅଧିକାଂଶ ବର୍ଷି ଯାଇଛି। ଉତ୍ତର, ପଶ୍ଚିମ ଓ ମଧ୍ୟ ଭାରତରେ ଅଚାନକ ବନ୍ୟା, ପର୍ବତାଞ୍ଚଳରେ ଭୂ-ସ୍ଖଳନ, ବିମାନ ଓ ରେଳ ଯାତାୟାତ ପ୍ରଭାବିତ ରହିବା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଭାରତକୁ ବାର୍ଷିକ ବର୍ଷାର ଅଧିକାଂଶ ଭାଗ ଆଣୁଥିବା ମୌସୁମୀ ବାୟୁ ପୂର୍ବରୁ କିଛି ସମୟ ପାଇଁ ଅଟକି ଯାଇଥିଲା। ତେବେ ବଙ୍ଗୋପସାଗରରେ ଲଘୁଚାପ ଯୋଗୁ ମୌସୁମୀ ବାୟୁ ପୁଣି ସକ୍ରିୟା ହୋଇଛି। ହେଲେ ଏବେ ଲାଗୁଛି ମୌସୁମୀର ପ୍ରଭାବ ସ୍ୱଳ୍ପକାଳିକ ରହିବ।

ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ ମୌସୁମୀ ୧୦ ଜୁଲାଇ ଶୁକ୍ରବାର ହିମାଳୟ ପାଦଦେଶ ଆଡକୁ ମୁହାଁଇବା ଆରମ୍ଭ କରିଛି। ଏଣୁ ପଶ୍ଚିମରୁ ଆସୁଥିବା ଶୁଷ୍କ ବାୟୁ ଏବେ ଦେଶର ଆଭ୍ୟନ୍ତରୀଣ ଅଞ୍ଚଳକୁ ପ୍ରବେଶ କରିବ। ଶୁଷ୍କ ବାୟୁ ଆଗମନ ଯୋଗୁ ହେବାକୁ ଥିବା ମୌସୁମୀ ବର୍ଷା ଥମିବାରେ ଲାଗିବ। ଏଥିରେ ଦିଲ୍ଲୀ, ହରିୟାଣା, ପଞ୍ଜାବ, ରାଜସ୍ଥାନ, ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନାରେ ମୌସୁମୀ ବର୍ଷା ବନ୍ଦ ହୋଇଯିବା ସହ ଆକାଶ ମେଘମୁକ୍ତ ହୋଇ ପୁଣି ଖୋଲା ସୂର୍ଯ୍ୟକିରଣ ପଡିବ। ଫଳରେ ତାପମାତ୍ରା ବଢିବା ସହ ପୁଣି ଗରମ ଫେରିବ।

ତେବେ ଏହାର ବିପରୀତ ମୌସୁମୀ ପରିବର୍ତ୍ତିତ ପରିସ୍ଥିତିରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ସିକ୍କିମ ଓ ପୂର୍ବୋତ୍ତର ରାଜ୍ୟମାନଙ୍କରେ ଭୀଷଣରୁ ଅତି ଭୀଷଣ ବର୍ଷା କରାଇବାର ସମ୍ଭାବନା ରହିଛି। ଆଇଏମଡି ଜୁନ ୩୦ ତାରିଖରେ ଜୁଲାଇ ମାସ ପାଇଁ ପାଣିପାଗ ପୂର୍ବାନୁମାନ ଜାରି କରିଦେଇଥିଲେ। ଏଥିରେ ଜୁଲାଇରେ ସ୍ୱଭାବିକରୁ କମ୍ ବର୍ଷା ପୂର୍ବାନୁମାନ କରାଯାଇଥିଲା। ଏଣୁ ମୌସୁମୀର ବିରାମ ଆଇଏମଡିଙ୍କ ପୂର୍ବାନୁମାନ ଅନୁରୂପ ବୋଲି ଏବେ ମନେ କରାଯାଉଛି। ମୌସୁମୀରେ ବିରାମ ଋତୁ ର ଏକ ସାଧାରଣ କଥା। ହେଲେ ଜୁଲାଇ ମଧ୍ୟ ଭାଗରେ ମୌସୁମୀରେ ବିରାମ ଧାନ ଚାଷ ପାଇଁ ଚିନ୍ତାର କାରଣ ହୋଇପାରେ।

ତେବେ ଜୁଲାଇ ଶେଷ ସପ୍ତାହ ବେଳକୁ ମୌସୁମୀ ପୁଣି ସକ୍ରିୟ ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛନ୍ତି। ହେଲେ ଏବେ ଦେଶର କିଛି କ୍ଷେତ୍ରରେ ମୌସୁମୀ ଅସ୍ଥାୟୀ ବିରାମ ଦେଖିବାକୁ ମିଳିବ। ଏଣୁ ଶୁଷ୍କ କ୍ଷେତ୍ରରେ ରହୁଥିବା ଲୋକଙ୍କୁ ଆଗାମୀ ଦିନମାନଙ୍କରେ ଗୁଳଗୁଳି ଓ ଗରମ ପାଇଁ ପ୍ରସ୍ତୁତ ରହିବାକୁ ହେବ ଓ କୌଣସି ପ୍ରକାରର ଅଚାନକ ପାଣିପାଗ ପରିବର୍ତ୍ତନ ପାଇଁ ମଧ୍ୟ ସତର୍କ ରହିବାକୁ ହେବ।