ନୂଆଦିଲ୍ଲୀ: ବିଶ୍ୱ ଟେନିସ୍ ଜଗତର ମହାନ ଖେଳାଳି ନୋଭାକ ଜୋକୋଭିକ ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ମଧ୍ୟରେ ଥିବା ବନ୍ଧୁତା ବିଷୟରେ ସମସ୍ତେ ଜାଣନ୍ତି। ଏହି ଦୁଇ ମହାନ ଖେଳାଳି ବିଗତ କିଛି ବର୍ଷ ହେବ ସୋସିଆଲ ମିଡିଆ ମାଧ୍ୟମରେ ପରଷ୍ପର ସହ ଯୋଗାଯୋଗରେ ଅଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କର ବ୍ୟକ୍ତିଗତ ଭାବେ ସାକ୍ଷାତ ହୋଇନାହିଁ। ତେବେ ଖୁବଶୀଘ୍ର ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ୱିମ୍ବଲଡନ ୨୦୨୬ ଅବସରରେ ଜୋକୋଭିକ ନିଜର ଭାରତ ଗସ୍ତ ଯୋଜନା ବିଷୟରେ ପ୍ରକାଶ କରିବା ସହ ବିରାଟ କୋହଲିଙ୍କୁ ଭେଟିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି।

ଷ୍ଟାର୍ ସ୍ପୋର୍ଟସ ସହ ସାକ୍ଷାତକାର ବେଳେ ୨୪ ଥର ଗ୍ରାଣ୍ଡସ୍ଲାମ୍ ବିଜେତା ଜୋକୋଭିକ କହିଛନ୍ତି, ‘ଆମେ ଏପର୍ଯ୍ୟନ୍ତ ସାମ୍ନାସାମ୍ନି ଭେଟିନାହୁଁ, କିନ୍ତୁ ଗତ କିଛି ବର୍ଷ ହେବ ଆମେ ମେସେଜ୍ ଜରିଆରେ କଥାବାର୍ତ୍ତା ହେଉଛୁ। ଆମେ ପରଷ୍ପରର କ୍ୟାରିୟରକୁ ପସନ୍ଦ କରୁ ଏବଂ ସମର୍ଥନ ମଧ୍ୟ କରୁ। ମୁଁ ଖୁବଶୀଘ୍ର ଭାରତ ଗସ୍ତ କରିବାକୁ ଯୋଜନା କରୁଛି ଏବଂ ଆଶା ଅଛି ସେହି ସମୟରେ ବିରାଟଙ୍କ ସହ ମୋର ସାକ୍ଷାତ ହେବ। ଆମେ ଦୁହେଁ ମିଶି କିଛି ସମୟ ଟେନିସ୍ ଏବଂ କ୍ରିକେଟ୍ ଖେଳିଲେ ବହୁତ ବଢ଼ିଆ ହେବ।’

ଜୋକୋଭିକ ଆହୁରି ମଧ୍ୟ କହିଛନ୍ତି ଯେ, ସେ କ୍ରିକେଟ୍ ଖେଳିବା ଆରମ୍ଭ କରିଛନ୍ତି, କିନ୍ତୁ ସେଥିରେ ସେ ଏତେ ପାରଙ୍ଗମ ନୁହନ୍ତି। ତେଣୁ ଭାରତ ଯିବା ପୂର୍ବରୁ ସେ ନିଜର କ୍ରିକେଟ୍ କୌଶଳକୁ ସୁଧାରିବାକୁ ଚାହାନ୍ତି, ଯେପରି ବିରାଟଙ୍କ ସାମ୍ନାରେ ତାଙ୍କୁ ଲଜ୍ଜିତ ହେବାକୁ ନପଡ଼େ। ୨୦୨୪ ଜାନୁଆରୀରେ ଅଷ୍ଟ୍ରେଲିଆନ୍ ଓପନ୍ ସମୟରେ ଜୋକୋଭିକ ପ୍ରଥମ ଥର ପାଇଁ କୋହଲିଙ୍କ ସହ ତାଙ୍କର ଏହି ସମ୍ପର୍କ ବିଷୟରେ ସର୍ବସମ୍ମୁଖରେ କହିଥିଲେ। ପରବର୍ତ୍ତୀ ସମୟରେ ବିରାଟ କୋହଲି ମଧ୍ୟ BCCI.tv କୁ ଦେଇଥିବା ଏକ ସାକ୍ଷାତକାରରେ ଏହି ବନ୍ଧୁତା ପଛର ଏକ ମଜାଦାର କାହାଣୀ ଶେୟାର କରିଥିଲେ।

କୋହଲି କହିଥିଲେ ଯେ, ଦିନେ ସେ ଇନଷ୍ଟାଗ୍ରାମରେ ଜୋକୋଭିକଙ୍କ ପ୍ରୋଫାଇଲ୍ ଦେଖି ତାଙ୍କୁ ମେସେଜ୍ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମେସେଜ୍ ବକ୍ସ ଖୋଲିବା ପରେ ସେ ଦେଖିଲେ ଯେ, ଜୋକୋଭିକ ପୂର୍ବରୁ ହିଁ ତାଙ୍କୁ ମେସେଜ୍ ପଠାଇ ସାରିଛନ୍ତି। ପ୍ରଥମେ କୋହଲି ଭାବିଥିଲେ ଏହା କୌଣସି ଫେକ୍ ବା ନକଲି ଆକାଉଣ୍ଟ, କିନ୍ତୁ ପରେ ଯାଞ୍ଚ କରିବା ପରେ ତାହା ଜୋକୋଭିକଙ୍କ ଅସଲି ଆକାଉଣ୍ଟ ବୋଲି ଜଣାପଡ଼ିଥିଲା। ବିରାଟ କୋହଲି ଯେତେବେଳେ ଦିନିକିଆ କ୍ରିକେଟ୍‌ରେ ନିଜର ଐତିହାସିକ ୫୦ତମ ଶତକ ହାସଲ କରିଥିଲେ, ସେତେବେଳେ ଜୋକୋଭିକ ତାଙ୍କୁ ସ୍ୱତନ୍ତ୍ର ଭାବେ ଶୁଭେଚ୍ଛା ଜଣାଇଥିଲେ, ଯାହା ସେମାନଙ୍କ ମଧ୍ୟରେ ଥିବା ପରଷ୍ପର ପ୍ରତି ସମ୍ମାନକୁ ଦର୍ଶାଏ।