ନୂଆଦିଲ୍ଲୀ: ନରୱେର କ୍ରାଉନ୍ ପ୍ରିନ୍ସ (ଯୁବରାଜ) ହାକୋନଙ୍କ ସାବତ ପୁଅଙ୍କୁ ଦୁଷ୍କର୍ମ ଏବଂ ଘରୋଇ ହିଂସା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ପ୍ରାୟ ୭ ସପ୍ତାହର ଶୁଣାଣି ପରେ ଓସଲୋ ଜିଲ୍ଲା ଅଦାଲତ ସୋମବାର ତାଙ୍କୁ ୪ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । କୋର୍ଟଙ୍କ ଏହି ନିଷ୍ପତ୍ତି ରାଜ ପରିବାରର ସମ୍ମାନ ପ୍ରତି ବଡ଼ ଧକ୍କା ଲାଗିଛି ।

ସୂଚନା ଅନୁଯାୟୀ, କ୍ରାଉନ୍ ପ୍ରିନ୍ସଙ୍କ ୨୯ ବର୍ଷୀୟ ସାବତ ପୁଅ ମାରିୟସ ବୋର୍ଗ ହୋଇବିଙ୍କୁ ଦୁଇଟି ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଏହା ସହିତ ୨୦୨୨ରୁ ୨୦୨୩ ମଧ୍ୟରେ ନିଜର ତତ୍କାଳୀନ ପ୍ରେମିକାଙ୍କ ସହ ଘରୋଇ ହିଂସା କରିଥିବା ମାମଲାରେ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତେବେ ଅନ୍ୟ ଦୁଇଟି ଦୁଷ୍କର୍ମ ମାମଲାରେ ପ୍ରମାଣ ଅଭାବରୁ ତାଙ୍କୁ ଦୋଷମୁକ୍ତ କରାଯାଇଛି ।

କୋର୍ଟ ମାରିୟସଙ୍କ ଡ୍ରଗ୍ସ ନିଶା, ନିଜେ ରେକର୍ଡ କରିଥିବା ଯୌନ ସମ୍ବନ୍ଧର ଭିଡିଓ ଏବଂ ଜଣେ ପୂର୍ବତନ ସହଯୋଗୀଙ୍କ ସହ ଶହ ଶହ ଇଲେକ୍ଟ୍ରୋନିକ୍ ମେସେଜ୍ର ପ୍ରମାଣ ଯାଞ୍ଚ କରିବା ପରେ ଏହି ରାୟ ଦେଇଛନ୍ତି । ସରକାରୀ ଓକିଲମାନେ ତାଙ୍କ ପାଇଁ ୭ ବର୍ଷ ୭ ମାସର ଜେଲ୍ ଦଣ୍ଡାଦେଶ ଦାବି କରିଥିଲେ । ଓକିଲଙ୍କ ଯୁକ୍ତି ଯେ, ଯେଉଁ ମହିଳାମାନେ ଅଭିଯୋଗ ଆଣିଛନ୍ତି, ପାର୍ଟି ଶେଷରେ ସେମାନେ ଅସହାୟ ଅବସ୍ଥାରେ ଥିଲେ ।