ବୁଡ଼ାଇଲା… ଭସାଇଲା… ଭାଙ୍ଗିଲା… । ସାରା ରାଜ୍ୟରେ ଲଗାଣ ବର୍ଷା ଜନଜୀବନକୁ କରିଛି ଅସ୍ତବ୍ୟସ୍ତ । କେଉଁଠି କାନ୍ଥ ପଡ଼ି ଲୋକଙ୍କ  ମୃତ୍ୟୁ ହୋଇଛି ତ କେଉଁଠି ଭାସି ଯାଇଥିବା ମହିଳାଙ୍କୁ ଉଦ୍ଧାର କରାଯାଇଛି । ଆଉ କେଉଁଠି ବୁଡ଼ି ଯାଇଛି କାର । ଗତକାଲି ରାତିରେ ପ୍ରବଳ ବର୍ଷା ଯୋଗୁଁ ବଲାଙ୍ଗିର  ପୁଇଁତଳା ଲୁହୁରେନପାଲି ଗାଁରେ କାନ୍ଥିପଡ଼ି ୬୫ ବର୍ଷୀୟ ବୃଦ୍ଧ ଗଣ୍ଡାରାମ କୁମ୍ଭାରଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାର ଗୁରୁତର ଆହତ ହୋଇଛନ୍ତି । ଘଟଣାରେ ଏକ ବାଛୁରୀ ଛୁଆ ମଧ୍ୟ ମରିଛି । ବୌଦ୍ଧ ଲକ୍ଷ୍ମୀପଦରରେ କାଠ ଆଣିବାକୁ ଯାଇଥିବା ଦୁଇ ମହିଳା ସାଲୁଙ୍କି ନଦୀ ପାଲଝାର ଡ୍ୟାମ ତଳେ ଏକ ଗଛକୁ ଧରି ମୁଣ୍ଡରେ ଫସି ରହିଥିଲେ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଛୁଳା ନଦୀ ଭିତରୁ ସେମାନଙ୍କୁ ଉଦ୍ଧାର କରିଛି ।ସେହିପରି ଗଜପତି ମୋହନା ତେଡୁଗୁ ଗାଁରେ  ଘର ଉପରେ ଗଛପଡିବାରୁ ୩ ଟି ପରିବାର ଅଳ୍ପକେ ବର୍ତ୍ତି ଯାଇଛନ୍ତି । 

କେନ୍ଦୁଝର ଜିଲ୍ଲା ପୈରାଞ୍ଚଳ ୧୪ ନଂ ଓ୍ବାର୍ଡ ନାଳ ସାହି ଠାରେ ଫସିଛନ୍ତି ପରିବାର  ବର୍ଷା ପାଣି  ଏତେ ଜୋରରେ ପ୍ରବାହିତ ହେଉଛି ଯେ ସେମାନଙ୍କୁ ଉଦ୍ଧାର କରିବା ମୁସ୍କିଲ ହୋଇପଡିଛି

କନ୍ଧମାଳ ଜିଲ୍ଲାର ବିଭିନ୍ନ ନଦୀ ଫୁଲିବାରେ ଲାଗିଛି । ସଲୁଙ୍କି ନଦୀର ଜଳ ଫୁଲବାଣୀ ପୌର ପରିଷଦ ଦୁଇ ନମ୍ବର ୱାର୍ଡ ଡାମି ଗାଁରେ ପସିଛି । ଫଳରେ ଗମନାଗନମ ବିଛିନ୍ନ ହୋଇଛି । ତଳିଆ ଅଞ୍ଚଳରେ ପାଣି ପଶିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫିରିଙ୍ଗିଆ ଲୁଇସିଙ୍ଗି ପଞ୍ଚାୟତ କୁଚେଣ୍ଡି ନଦୀ ଉପରେ ନିର୍ମିତ କାଠ ପୋଲ ଭାସି ଯିବାରୁ ସାତ ଖଣ୍ଡ ଗାଁ ବିଛିନ୍ନ ହୋଇଛି । ଗୋଛାପଡା ଖଜୁରୀ ଗାଁ ରାସ୍ତାରେ ଗଛ ପଡି ଛତୁଆ କେନ୍ଦ୍ର ଘର ଭାଙ୍ଗିବା ସହ ଗୋଛାପଡା ବାଲନ୍ଦ।ପଡା ରାସ୍ତା ବିଛିନ୍ନ ହୋଇଛି। ଲୋକେ ନିଜର  ଦୈନନ୍ଦିନ କାମ ପାଇଁ ଉଛୁଳା ବାଘ  ନଦୀରେ ନିଜ ଜୀବନକୁ ବାଜି ଲଗାଇ ହାଣ୍ଡି ଧରି ନଦୀ ପର ହେଉଥିବା ଦେଖିବାକୁ ମିଳିଛି । 

ସେହିପରି ବଲାଙ୍ଗିର ପାଟଣଗଡ ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ଫଳରେ ନୂଆପଡା ଓ ଲାଠୋର ପାଟଣାଗଡ଼ ଠାରୁ ବିଛିନ୍ନ ହୋଇଛି । ଖପ୍ରାଖୋଲ ବ୍ଲକ ଝଲିଆଲିଟି ରେଲୱେ ଓଭରବ୍ରିଜ ତଳେ ଅଧିକ ପାଣି ହେତୁ ଜାଣିନପାରି  ରାତିରେ କାର ପସିଯିବାରୁ କାରଟି ସମ୍ପୂର୍ଣ୍ଣ ବୁଡି ଯାଇଛି । ୪ ଜଣ ଯାତ୍ରୀ କାର କାଚ  ଭାଙ୍ଗି ବାହାରିଥିଲେ ।  ସେହିପରି କଟକ ସାଲେପୁର ଶିଶୁଆ ମଢଙ୍ଗା ପ୍ରଧାନମନ୍ତ୍ରୀ ସଢକ ଯୋଜନାରେ ନିର୍ମିତ ରାସ୍ତାର ବାରବାରୀ ନିକଟରେ ଭୁଶୁଡି ପଡିବାରୁ ଯାତାୟାତରେ ବାଧାପ୍ରାପ୍ତ ହୋଇଛି ।

ଆଳି ଖରସ୍ରୋତା ନଦୀରେ ଭାସିଯାଇଥିବା ୮୫ ବର୍ଷୀୟ ବୃଦ୍ଧଙ୍କୁ  ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ସେହିପରି  ଲଗାଣ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାର ଚାଷ ନଷ୍ଟ ହୋଇଛି । ଜଳ ନିଷ୍କାସନ ହୋଇ ନପାରି ଧାନ ବିଲରେ ପାଣି ଲହଡି ମାରୁ ଥିବାରୁ  ଧାନ ତଳି ଧୋଇ ଯାଇଛି । ଯାହାକୁ ନେଇ ଜିଲ୍ଲାର ହଜାର ହଜାର ଚାଷୀ ଚିନ୍ତାରେ ପଡ଼ିଛନ୍ତି ।

କୋରାପୁଟ  ଜୟପୁର ଜୟନଗର ଦେଇ ନିର୍ମାଣ ହୋଇଥିବା ୪ ଥାକିଆ ବାଇପାସ ରାସ୍ତାର ଲକ୍ଷ୍ମୀ ପଣ୍ଡା ଛକଠାରୁ ଗ୍ଳୋକାଲ ହସ୍ପିଟାଲ ଛକ ଯାଏଁ ୨ କିଲୋମିଟର ରାସ୍ତା ଦବିଯାଇଥିବା ଦେଖିବାକୁ ମିଳିଛି । ସେହିପରି କୁନ୍ଦୁରା ବ୍ଲକ କେରିମିଟି ପଂଚାୟତ ବାଲିବେଡା ଛକରେ ଜଣେ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ କାଦୁଅରେ ଫସିଯାଇଥିଲା ।  ବହୁ କଷ୍ଟରେ ଲୋକେ ଏହାକୁ କାଢିବାକୁ ସକ୍ଷମ ହୋଇଥିଲେ । ପୁରୀ ଜିଲ୍ଲା ଡେଲାଙ୍ଗ ଡାକ ପଡା ମୋହନୀ ପୁରକୁ ସଂଯୋଗ କରୁଥିବା ଲୁଣା ନଦୀର ଉପରେ ନିର୍ମିତ ଲୁଣା ସେତୁ ର ଗାର୍ଡ ୱାଲ୍‌ ଭୁସୁଛି ପଡିଛି ।  ବୌଦ୍ଧ ଜିଲ୍ଲାରେ ପ୍ରବଳ ବର୍ଷା ପବନ ଯୋଗୁ ଭାଙ୍ଗିଛି ୩୦ ରୁ ଅଧିକ ଇଲେକ୍ଟ୍ରିକ ପୋଲ୍ ବିଭିନ୍ନ ସ୍ଥାନରେ ୧୧ କେଭି ତାର ଛିଣ୍ଡି ରାସ୍ତାରେ ପଡ଼ିଛି  ବଘିଆପଡ଼ା, ଯୋଗୀଭୁଗୁରା, ଓଲଣ୍ଡା ଖୁଣ୍ଟିଆପଡ଼ା ଅଞ୍ଚଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ୧୦ ରୁ ଉର୍ଦ୍ଧ୍ବ ଗ୍ରାମରେ ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହୋଇଛି

ସେପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ ବର୍ତ୍ତମାନ ଅବପାତର ରୂପ ନେଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଚାନ୍ଦବାଲି ଏବଂ ଦୀଘା ମଧ୍ୟରେ, ବାଲେଶ୍ୱର ନିକଟରେ ଉତ୍ତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଅଵପାତ ଯୋଗୁଁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ଅନୁଗୋଳ, ବୌଦ୍ଧ, ସୋନପୁର ଏବଂ କନ୍ଧମାଳ ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି, ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ଢେଙ୍କାନାଳ, କଟକ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଏବଂ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଏବଂ ଅନ୍ୟ ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ଓଡ଼ିଶାର ସମସ୍ତ ବନ୍ଦରରେ ୩ ନମ୍ବର ସତର୍କ ସଙ୍କେତ ଜାରି କରାଯାଇଛି ।  ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି ।

 ଆଜି ସୁଦ୍ଧା ରାଜ୍ୟରେ ସ୍ୱାଭାବିକ ଠାରୁ ୪ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି । ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିବା ବେଳେ ଆଉ ୧୧ ଜିଲ୍ଲାରେ ସ୍ୱାଭାବିକ ରହିଛି ବର୍ଷର ସ୍ଥିତି । ୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ।