ଭୁବନେଶ୍ୱର, ୦୫/୧୦ :ନୂତନ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ । ଚୋରା ଓ ବିଷାକ୍ତ ମଦ କାରବାର ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି। ତମାଖୁ ଓ ନିକୋଟିନଯୁକ୍ତ ପାନ ମସଲା ଏବଂ ଗୁଟଖାଉତ୍ପାଦନ ଓ ବିକ୍ରୟକୁ ସମ୍ପୂର୍ଣ୍ଣନିଷିଦ୍ଧ କରାଯିବା ସାଙ୍ଗକୁ ସ୍କୁଲ ଓ କଲେଜ କ୍ୟାମ୍ପସକୁ‘ନିଶା ନିଷିଦ୍ଧ’ଅଞ୍ଚଳ ଭାବେ ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।

ରବିବାର ରେଳ ଅଡିଟୋରିୟମଠାରେ କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ‘ଜୀବନ ଜିନ୍ଦାବାଦ-୨.୦'ରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଥିଲେ ଯେ ନିଶା କେବଳ ବ୍ୟକ୍ତିଗତ ଜୀବନକୁ ନୁହେଁ ବରଂ ସମଗ୍ର ପରିବାର ଓ ସମାଜକୁ ବରବାଦ କରିଦେଉଛି। ନିଶା ଠାରୁ ଯୁବପିଢ଼ି ଦୂରେଇ ରୁହନ୍ତୁ। ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୃଢ଼ ଆହ୍ବାନ ଦେଇଛନ୍ତି।

Also Read :-ସୈନିକଙ୍କ ମୃତଦେହ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ପୁରୁଷ ଶୂନ୍ୟ ହୋଇଗଲା ପରିବାର

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେତେ ବାଧାବିଘ୍ନ ଓ ବିଫଳତା ଆସିଲେ ମଧ୍ୟ ସେଗୁଡ଼ିକୁ ସାମ୍ନା କରି ଆଗକୁ ବଢ଼ିବା ହେଉଛି ପ୍ରକୃତ ଜୀବନIଗତବର୍ଷ ଆରମ୍ଭ ହୋଇଥିବା‘ଜୀବନ ଜିନ୍ଦାବାଦ'ଅଭିଯାନ ଆତ୍ମହତ୍ୟା ପ୍ରବୃଭିକୁ ରୋକିବାରେ ବଡ଼ ସଫଳତା ଦେଇଛି। ବର୍ତ୍ତମାନର‘ଜୀବନ ଜିନ୍ଦାବାଦ ୨.୦’ଯୁବବର୍ଗଙ୍କୁ ନିଶାରୁ ଦୂରେଇ ରଖିଶିକ୍ଷା,କ୍ରୀଡ଼ା ଓ ସୃଜନଶୀଳତା ଆଡ଼କୁ ଆକର୍ଷିତ କରିବାର ଏକ ବ୍ୟାପକ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିଛନ୍ତି। କମିଶନରେଟ୍ ପୁଲିସର‘ନିଶାମୁକ୍ତ ଭାରତ'ସମ୍ବନ୍ଧୀୟ ଏକ ୱେବସାଇଟକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ।

ସାମ୍ପ୍ରତିକ ପରିସ୍ଥିତିରେ ଅଧିକାଂଶ ଜଘନ୍ୟ ଅପରାଧ ଓ ମହିଳା ହିଂସା ପଛରେ ନିଶା ସେବନ ମୁଖ୍ୟ କାରଣ ପାଲଟିଥିବା ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ ଯେ ଦେଶରେ ପ୍ରତିବର୍ଷ କେବଳ ମଦ୍ୟପାନ କାରଣରୁ ପ୍ରାୟ ୨ ଲକ୍ଷ ୬୦ ହଜାରରୁ ୨ ଲକ୍ଷ ୮୦ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ମଦ୍ୟପାନ କରି ଗାଡ଼ି ଚଳାଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ତାଲିକାରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ ସ୍ବୀକାର କରିଥିଲେ।

ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ଵାରା ୨୦୨୯ ଶେଷ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣନିଶାମୁକ୍ତ କରିବା ପାଇଁ ଘୋଷିତ‘ଡେଡ୍ ଲାଇନ୍’କୁ ସାକାର କରିବା ଦିଗରେ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଦୃଢୋକ୍ତି ପ୍ରକାଶ କରିଥିଲେ। ଯୁବପିଢ଼ି ନିଶାଠାରୁ ଦୂରେଇ ରହି ସେହି ଟଙ୍କାକୁ ପ୍ରୋଟିନ ଓ ଏନର୍ଜି ଡ୍ରିଙ୍କ୍ସ ପରି ସ୍ବାସ୍ଥ୍ୟକର ଜିନିଷରେ ଖର୍ଚ କରିବାକୁ ଆଗ୍ରହୀ ହେବା ଏକ ଆଶାର କିରଣ ବୋଲି ସେ କହିଥିଲେ।

ଏହି ଅବସରରେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ବାରା ପ୍ରସ୍ତୁତ‘ଜୀବନ ଜିନ୍ଦାବାଦ’, ‘ନିଶାମୁକ୍ତ ଯୁବସମାଜ ବିକଶିତ ଭାରତ’ଏବଂ ସଚେତନମୂଳକ ନାଟକ‘ଭୂତ ମଣିଷର ନିଶାକୁ ନା'ମଞ୍ଚସ୍ଥ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର,ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀମାନେ ଯୋଗ ଦେଇଥିଲେ।