ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ତିକ୍ତତା, ଟଙ୍କା ଉପରେ ଚାପ ଏବଂ ଅଶୋଧିତ ତେଲ ଦରରେ ବୃଦ୍ଧି ମଧ୍ୟରେ ଭାରତୀୟ ସେୟାର ବଜାରରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି । ସେନସେକ୍ସ ଏହି ବର୍ଷ ପ୍ରାୟ ୧୨ ପ୍ରତିଶତ ଏବଂ ନିଫ୍ଟି ପ୍ରାୟ ୧୦ ପ୍ରତିଶତ ତଳେ କାରବାର କରୁଛି । ବିଦେଶୀ ନିବେଶକମାନେ (FII) କ୍ରମାଗତ ଭାବେ ବିକ୍ରି ଜାରି ରଖିଛନ୍ତି ।

ଏହି ସମୟରେ ଏଭଳି ଏକ ରିପୋର୍ଟ ଆସିଛି, ଯାହା ଭାରତୀୟ ନିବେଶକମାନଙ୍କ ନିଦ ହଜାଇ ଦେଇଛି । ବ୍ଲୁମବର୍ଗର ତଥ୍ୟ ଅନୁଯାୟୀ, ମାର୍କେଟ କ୍ୟାପିଟାଲାଇଜେସନ (MCap) ଆଧାରରେ ଦୁନିଆର ଟପ୍ ୧୦୦ ଲିଷ୍ଟେଡ୍ କମ୍ପାନିଗୁଡ଼ିକ ମଧ୍ୟରେ ବର୍ତ୍ତମାନ କୌଣସି ବି ଭାରତୀୟ କମ୍ପାନି ସାମିଲ ନାହାନ୍ତି । ବର୍ଷ ୨୦୨୫ର ଆରମ୍ଭରେ ତିନୋଟି ଭାରତୀୟ କମ୍ପାନି ଏହି ଲିଷ୍ଟରେ ସାମିଲ ଥିଲେ । ଏଥିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL), HDFC Bank Ltd ଏବଂ ଟାଟା କନସଲଟେନ୍ସି ସର୍ଭିସେସ୍ ଲିମିଟେଡ୍ (TCS) ଥିଲେ ।

ରିପୋର୍ଟରେ କୁହାଯାଇଛି ଯେ ଏଥିମଧ୍ୟରୁ କୌଣସି ବି କମ୍ପାନି ଟପ୍-୧୦୦ ର୍ୟାଙ୍କିଂରେ ସ୍ଥାନ ରଖୁନାହାନ୍ତି । ବ୍ଲୁମବର୍ଗର ତଥ୍ୟକୁ ଆଧାର କରି ମନି କଣ୍ଟ୍ରୋଲ୍ର ରିପୋର୍ଟ ଅନୁଯାୟୀ, ଭାରତର ସବୁଠାରୁ ମୂଲ୍ୟବାନ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ୨୦୨୫ର ଆରମ୍ଭରେ ୫୭ତମ ଏବଂ ୨୦୨୬ର ଆରମ୍ଭରେ ୭୩ତମ ସ୍ଥାନରୁ ଖସି ବିଶ୍ୱ ସ୍ତରରେ ପ୍ରାୟ ୧୦୬ତମ ସ୍ଥାନକୁ ଆସିଯାଇଛି ।

ସେହିପରି ଅନ୍ୟ ଏକ ପ୍ରମୁଖ ଭାରତୀୟ କମ୍ପାନି ଭାରତୀ ଏୟାରଟେଲ୍ ବିଶ୍ୱ ସ୍ତରରେ ୨୦୨ତମ ସ୍ଥାନରେ ରହିଛି । ୨୦୨୬ର ଆରମ୍ଭରେ ଏହା ୧୬୪ତମ ସ୍ଥାନରେ ଥିଲା । ଅନ୍ୟପଟେ ଟିସିଏସ୍ ୨୦୨୫ ଆରମ୍ଭରେ ୮୪ତମ ସ୍ଥାନରେ ଥିବାବେଳେ ଏବେ ଖସି ପ୍ରାୟ ୩୧୪ତମ ସ୍ଥାନରେ ପହଞ୍ଚିଛି ।

ରିପୋର୍ଟ ଅନୁଯାୟୀ, ଭାରତର ଦ୍ୱିତୀୟ ସବୁଠାରୁ ବଡ଼ ଆଇଟି ସର୍ଭିସ କମ୍ପାନି ଇନଫୋସିସ୍, ଗ୍ଲୋବାଲ ସ୍ତରରେ ଏବେ ୫୯୦ତମ ସ୍ଥାନରେ ଅଛି । ୨୦୨୫ ଆରମ୍ଭରେ ଏହା ୧୯୮ତମ ଏବଂ ୨୦୨୬ ଆରମ୍ଭରେ ୩୩୦ତମ ସ୍ଥାନରେ ଥିଲା । ଏହି ସମୟରେ ଆଇଟିସି ୨୦୨୫ ଏବଂ ୨୦୨୬ ଆରମ୍ଭରେ ଯଥାକ୍ରମେ ୨୯ମ ଏବଂ ୪୬୬ତମ ସ୍ଥାନରୁ ଖସି ବର୍ତ୍ତମାନ ୭୦୨ତମ ସ୍ଥାନରେ ଅଛି ।

ବିଦେଶୀ ନିବେଶକଙ୍କ ବିକ୍ରି

ଭାରତୀୟ ସେୟାର ବଜାରରୁ ବିଦେଶୀ ନିବେଶକମାନଙ୍କର କ୍ରମାଗତ ବିକ୍ରି ପ୍ରକ୍ରିୟା ଜାରି ରହିଛି । ୨୦୨୬ ମସିହାରେ ବିଦେଶୀ ସଂସ୍ଥାଗତ ନିବେଶକମାନେ ଭାରତୀୟ ସେୟାର ବଜାରରେ ପ୍ରଚୁର ବିକ୍ରି କରିଛନ୍ତି । ବିଏସଇ ଏବଂ ଏନଏସଡିଏଲ୍ ଆଧାରିତ ରିପୋର୍ଟ ଅନୁଯାୟୀ, ଜାନୁଆରୀରୁ ଏବେ ସୁଦ୍ଧା FII/FPI ଭାରତୀୟ ଇକ୍ୱିଟି ବଜାରରୁ ପ୍ରାୟ ୨.୨୦ ଲକ୍ଷ କୋଟି ଟଙ୍କା କାଢ଼ି ନେଇଛନ୍ତି । କେବଳ ଏପ୍ରିଲରେ ୬୦,୮୪୭ କୋଟିର ବିକ୍ରି ଦେଖିବାକୁ ମିଳିଥିଲା । ସେହିପରି ମେ’ ୨୦୨୬ରେ ୨୭,୦୦୮ କୋଟି ଟଙ୍କାର ବିକ୍ରି ହୋଇଛି ।