ଭୁବନେଶ୍ବର: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ଓଡ଼ିଶା ଗସ୍ତରେ ସମୟରେ ରାଜ୍ୟ ପଦାଧିକାରୀଙ୍କୁ ଦେଇଛନ୍ତି ୩ ମାସିଆ ଟାସ୍କ। ନିତିନ ଦଳୀୟ ବିଧାୟକ, ସାଂସଦଙ୍କୁ ଲୋକଙ୍କ ପାଖକୁ ଯାଇ ସୁସଂପର୍କ ବଢ଼ାଇବାକୁ ପରାମର୍ଶ ଦେଇଛନ୍ତି। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ପରାମର୍ଶ ଅନୁସାରେ ମାସର ୧ ତାରିଖରୁ ୭ ତାରିଖ ଭିତରେ ନିଜ ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରତିମଣ୍ଡଳକୁ ଯିବେ ବିଧାୟକ ଏବଂ ସାଂସଦ। ଏହା ସହ ସୋସିଆଲ ମିଡିଆରେ ଆକ୍ଟିଭ ହେବାକୁ ମଧ୍ୟ ପରାମର୍ଶ ଦେବା ସହ, ୩ ମାସ ଭିତରେ ଟାସ୍କ ପୂରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏନେଇ ଭୁବେନଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସରକାର ଓ ସଂଗଠନ ମଧ୍ୟରେ ସମନ୍ୱୟ ରଖି କିଭଳି ଓଡ଼ିଶା ଉନ୍ନତି ପାଇଁ କାମ କରାଯିବ ସେନେଇ ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ। ସାଂସଦ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ପ୍ରତ୍ୟେକ ବିଧାନସଭାକୁ ଯାଇ ରହିବେ ଓ ସରକାରଙ୍କ ସଫଳତା ଲୋକଙ୍କ ନିକଟରେ ପହଞ୍ଚାଇବେ। ଉଭୟ ସାଂସଦ ଓ ବିଧାୟକ ମିଳିତ ଭାବେ ନିର୍ବାଚନ ମଣ୍ଡଳୀ ଗସ୍ତ କରି ଜନସାଧାରଣଙ୍କ ସହ ମିଶିବାକୁ ନିର୍ଦ୍ଦେଶ ଦିଆଯାଇଛି।

Also Read: ରାଜ୍ୟ ନେତାଙ୍କୁ ନୀତିନ ନବୀନଙ୍କ ଗୁରୁମନ୍ତ୍ର, କହିଲେ- ଯେତେ ପାରୁଛନ୍ତି, ସେତେ କାମ କର.. ଅଳ୍ପରେ ସନ୍ତୁଷ୍ଟ ହୁଅନ୍ତୁନାହିଁ

ସାଂସଦ ଆହୁରି କହିଛନ୍ତି, ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ଆସୁଛି, ତାକୁ ଆଖି ଆଗରେ ରଖି ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ଲୋକଙ୍କୁ ସରକାରଙ୍କ ସଫଳତା ସହ ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରିବା ପାଇଁ ନିର୍ଦେଶ ଦେଇଛନ୍ତି ରାଷ୍ଟ୍ରୀୟ ସଭାପତି। ଏଥିସହ ଏସଆଇଆର ସମ୍ବନ୍ଧରେ ଲୋକଙ୍କ ପାଖରେ ସଠିକ ତଥ୍ୟ କେଉଁଭଳି ପହଞ୍ଚାଯାଇ ପାରିବ ସେନେଇ ଲୋକଙ୍କୁ ଅବଗତ କରାଇବାକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି।

ସୂଚନାଥାଉକି, ରବିବାର ଦୁଇଦିନିଆ ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ, ସୋମବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମାରାଥନ ବୈଠକ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ପଦାଧିକାରୀ, ବିଧାୟକ, ସାଂସଦଙ୍କ ବୈଠକ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ମନ୍ତ୍ରୀ ପରିଷଦଙ୍କ ସହ ବୈଠକ କରିଥିଲେ। ତେବେ ବର୍ତ୍ତମାନ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ରାଜ୍ୟ ଅତିଥି ଭବନ ଯାଇଛନ୍ତି। ଏହା ପରେ ସେଠାରୁ ଭୁବନେଶ୍ବର ବିମାନବନ୍ଦର ଯାଇ ଦିଲ୍ଲୀ ଫେରିଯିବେ।