ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜଣେ ପ୍ରମୁଖ ଆଦିବାସୀ ନେତ୍ରୀ ନିଶା ଭଗତ ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଆତ୍ମହତ୍ୟା ପୂର୍ବରୁ ସେ ଫେସବୁକ୍‌ରେ ପ୍ରାୟ ୧୦ ମିନିଟ୍‌ ଲାଇଭ ଆସି ନିଜର ମାନସିକ ଯନ୍ତ୍ରଣା ସଂପର୍କରେ କହିଥିଲେ । ଏହା ପରେ ସେ ପୁଲିସକୁ ଫୋନ୍‌ କରି ଆତ୍ମହତ୍ୟା କରିବେ ବୋଲି ଜଣାଇଥିଲେ । ଏହାର କିଛି ସମୟ ପରେ ସେ ଆତ୍ମହତ୍ୟ କରିଥିଲେ । ପୁଲିସ ପହଞ୍ଚି ତାଙ୍କୁ ହସ୍ପିଟାଲ ନେଇଥିଲେ ବି ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । 

ଫେସବୁକ ଲାଇଭରେ ସେ ଆଦିବାସୀ ସମାଜର କଲ୍ୟାଣ ଏବଂ ସେମାନଙ୍କ ଅଧିକାର ପାଇଁ ନିଜର ସଂଗ୍ରାମ ବିଷୟରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଆଦିବାସୀ ସମୁଦାୟର ସୁରକ୍ଷା ପାଇଁ ସେ ନିରନ୍ତର ଲଢ଼େଇ କରିଆସୁଥିଲେ। କିନ୍ତୁ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ। ନିଜର ସୁରକ୍ଷା ସମ୍ବନ୍ଧୀୟ ଆଶଙ୍କା ନେଇ ସେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା ତାଙ୍କୁ କୌଣସି ସହାୟତା ମିଳିନଥିଲା ।  ଏହି ସମୟରେ ସେ ଅତ୍ୟନ୍ତ ଭାବବିହ୍ୱଳ ହୋଇ କହିଥିଲେ ଯେ, ତାଙ୍କ ସହ ଛିଡ଼ା ହେବାକୁ କେହି ହେଲେ ମଧ୍ୟ ଆଗେଇ ଆସୁନାହାନ୍ତି। 

ଫେସବୁକ ଲାଇଭ୍ ସରିବା ପରେ ନିଶା ଭଗତ ପିଥୋରିଆ ଥାନା ଅଧିକାରୀଙ୍କୁ ଫୋନ୍ କରି ସେ ଆତ୍ମହତ୍ୟା କରିବେ ବୋଲି ସୂଚନା ଦେଇଥିଲେ। ଏହି ଫୋନ୍ କଲ୍ ପାଇବା ମାତ୍ରେ ପୁଲିସ ଆଲର୍ଟ ହୋଇ ତୁରନ୍ତ ଘଟଣାସ୍ଥଳକୁ ଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗୁରୁତର ଅବସ୍ଥାରେ ନିଶାଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ।

ଏହି ମୃତ୍ୟୁ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ ମାମଲାର ତଦନ୍ତ ଆରମ୍ଭ କରିବା ସହ ନିଶାଙ୍କ ପରିବାର ଲୋକ ଏବଂ ପଡ଼ୋଶୀଙ୍କ ସହ କଥାବାର୍ତ୍ତା କରୁଛି। ତଦନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ତାଙ୍କର ସେହି ଫେସବୁକ ଲାଇଭ୍ ଭିଡିଓକୁ ମଧ୍ୟ ଯାଞ୍ଚ କରାଯାଉଛି।ଅନ୍ୟପଟେ, ନିଶା ଭଗତଙ୍କ ଆତ୍ମହତ୍ୟାକୁ ନେଇ ରାଜନୀତି ଆରମ୍ଭ ହୋଇଛି । ବିଜେପିର ବରିଷ୍ଠ ନେତା ବାବୁଲାଲ ମାରାଣ୍ଡି ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। ଏହାସହ ଏକ ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି।