ବେଙ୍ଗାଲୁରୁ: ବସ୍ ସହ କାର୍ ମୁହାଁମୁହିଁ ଧକ୍କା ହେଲା କାର। ଏଥିରେ ଗୋଟିଏ ପରିବାର ୯ ଜଣକର ମୃତ୍ୟୁ ହୋଇଥିବା ବେଳେ, ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି କର୍ଣ୍ଣାଟକ ସୁରପୁର ବ୍ଲକ ୟାଦଗିରରେ । ଶୁକ୍ରବାର ଏଠାରେ ଏକ କାର ଏବଂ ଘରୋଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଯାଇଛି ୯ ଜଣଙ୍କର ଜୀବନ।

ଏସପି ପୃଥ୍ବୀକ ଶଙ୍କର କହିଛନ୍ତି କାରଟି ଯାତ୍ରା କରୁଥିବା ପରିବାର ରାଇଚୁର ଜିଲ୍ଲାର ସିରୱାର ତାଲୁକର ବାସିନ୍ଦା। ସେମାନେ ୟାଦଗିରରୁ ରାଇଚୁର ଅଭିମୁଖେ ଯାଉଥିଲେ। ସେହିଭଳି ବସଟି ବେଙ୍ଗାଲୁରୁରୁ କଳାବୁରାଗି ଅଭିମୁଖେ ଯାତ୍ରା କରୁଥିଲା। ହେଲେ ସୁରପୁର ତାଲୁକର ଶାନ୍ତାପୁରା କ୍ରସ ନିକଟରେ କାରଟିର ଟାୟାର ଫାଟିଯାଇଥିଲା। ଆଉ ଏହା ସାମ୍ନାରୁ ଆସୁଥିବା ବସ୍ ସହ ପିଟିହୋଇଥିଲା।

Also Read: Helicopter crashes; ଇଣ୍ଡୋନେସିଆରେ ୨୪ ଘଣ୍ଟା ଗାଏବ ରହିବା ପରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ ଜଣଙ୍କ ମୃତ୍ୟୁ

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ଟି ବସ୍ ସହ ପିଟି ହେବା ମାତ୍ରେ ସେଥିରେ ନିଆଁ ଲାଗିଯାଇଥିଲା। ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ, କାର ଏବଂ ବସ୍ ନିଆଁରେ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।

ହେଲେ ସେତେବେଳକୁ କାର୍ରେ ଥିବା ମୋଟ ୧୦ ଯାତ୍ରୀଙ୍କ ମଧ୍ୟରୁ ଦୁଇ ପିଲାଙ୍କ ସମେତ ଚାରି ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ୟାଦଗିରି ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସକୁ ପଠାଯାଇଥିଲା। କିନ୍ତୁ ସେଠାରେ ୮ ଜଣଙ୍କୁ ମୃତ ଘୋଷଣା କରିଥିଲେ ଏବଂ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣକର ମୃତ୍ୟୁ ଘଟିଥିଲା। ଅବଶ୍ୟ ଏବେବି ଜଣେ ଗୁରୁତର ଅଛନ୍ତି।

ତେବେ ବସ୍ରେ ଥିବା ସମସ୍ତ ୨୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସେମାନଙ୍କୁ ଠିକ୍ ସମୟରେ ଉଦ୍ଧାର କରାଯାଇଥିଲା। ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।