ବ୍ରହ୍ମପୁର: ନିମଖଣ୍ଡି ଅଞ୍ଚଳରେ ପାର୍ବଣ ପୂର୍ବରୁ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଟୁନା ନାୟକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, ଗତକାଲି ଟୁନା ନାୟକ ତାଙ୍କ ବନ୍ଧୁ ବିଟୁ ସାହୁଙ୍କ ସହ ମିଶି ମଦ ପିଇଥିଲେ। ମଦ୍ୟପାନ ପରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ ଟୁନା, ବିଟୁଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଏଥିରେ ଉତକ୍ଷିପ୍ତ ହୋଇ ବିଟୁ ନିଜ ବାଇକରେ ରଖିଥିବା ଛୁରା ବାହାର କରି ଟୁନା ନାୟକଙ୍କ ବେକରେ ଆକ୍ରମଣ କରିଥିବା ଜଣାପଡ଼ିଛି। ଫଳରେ ଟୁନାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ରହିଛି।

ଖବର ପାଇ ନିମଖଣ୍ଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ବିଟୁ ସାହୁଙ୍କୁ ପୁଲିସ ଧରି ପଚରାଉଚରା କରୁଛି। ତେବେ ହତ୍ୟାର ପ୍ରକୃତ କାରଣ ଏବଂ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।