ନୂଆଦିଲ୍ଲୀ,୦୫। ୧୦:ଗିନିଜ୍ ରେକର୍ଡ କରିବା ଲକ୍ଷ୍ୟରେ ନାଚିଲେ ୧୬୮ ଘଣ୍ଟା । ନାଇଜେରିଆର ଜଣେ ନୃତ୍ୟଶିଳ୍ପୀ ଲଗାତର ୭ ଦିନ ଧରି ନାଚି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ୩୩ ବର୍ଷୀୟ ବେଞ୍ଜାମିନ୍ ଡାନିଏଲ୍ ୧୬୮ ଘଣ୍ଟାର ନୃତ୍ୟ ମାରାଥନ୍ ଶେଷ କରିଛନ୍ତି ।

ପୂର୍ବରୁ ୨୦୨୩ରେ ଭାରତର ସୃଷ୍ଟି ସୁଧୀର ଜଗତାପ ବନାଇଥିବା ୧୨୭ ଘଣ୍ଟାର ନୃତ୍ୟ ରେକର୍ଡ ଭାଙ୍ଗିବା ବେଞ୍ଜାମିନଙ୍କର ଉଦ୍ଦେଶ୍ୟ ଥିଲା । ସେଥିଲାଗି ସେପ୍ଟେମ୍ବର ୨୨ରେ ଲାଗୋସର ଫ୍ରିଡମ୍ ପାର୍କରେ ସେ ନିଜର ଅଭିଯାନ ଆରମ୍ଭ କରିଥିଲେ ।ସପ୍ତାହେ ଧରି ଲଗାତର ଚାଲିଥିବା ତାଙ୍କର ନୃତ୍ୟକୁ ଦେଖିବା ଲାଗି ପ୍ରତିଦିନ ବହୁ ସଂଖ୍ୟକ ଲୋକ ସେଠାରେ ପହଞ୍ଚୁଥିଲେ । ଅନେକ ସମୟରେ ସେମାନେ ବେଞ୍ଜାମିନଙ୍କ ସହ ତାଳ ଦେଇ ନାଚୁଥିଲେ । ନୃତ୍ୟ ଅଭିଯାନ ବେଳେ ବେଞ୍ଜାମିନ୍ ତରଳ ଖାଦ୍ୟ ଖାଉଥିଲେ ।

ବିଶ୍ରାମ ଲାଗି ପ୍ରତି ଘଣ୍ଟାରେ ତାଙ୍କୁ ୫ ମିନିଟ୍ ସମୟ ଦିଆଯାଇଥିଲା । ତେବେ ଟାର୍ଗେଟ୍ ପୂରଣ ପରେ ବି ସେ ଅଟକି ନଥିଲେ । ଆହୁରି ୯ ଘଣ୍ଟା ଧରି ନାଚିଥିଲେ । ନୃତ୍ୟ ମାରାଥନ୍ ଶେଷ ହେବା ପରେ ସେ ନିଜର ଆବେଦନକୁ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡସକୁ ପଠାଇ ଦେଇଛନ୍ତି ।