ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ନୂଆ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଅଶୋଧିତ ତୈଳ ମୂଲ୍ୟରେ ନିଆଁ ଲାଗିଛି । ଅଶୋଧିତ ତୈଳର ବର୍ଦ୍ଧିତ ମୂଲ୍ୟ ଏବଂ ଦୁର୍ବଳ ହେଉଥିବା ମୁଦ୍ରା ଭାରତୀୟ ପୁଞ୍ଜି ବଜାରରୁ ଦୋହଲାଇ ଦେଇଛି । ଦୁଇ ପ୍ରମୁଖ ସୂଚକାଙ୍କ ସେନସେକ୍ସ ଏବଂ ନିଫ୍ଟି ଦେଢ ପ୍ରତିଶତ ଯାଏ ହ୍ରାସ ପାଇଛି । ସେନସେକ୍ସ ୧୩୭୦ ପଏଣ୍ଟ ଖସି ୭୫,୯୫୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୩୭୫ ଅଙ୍କରୁ ଅଧିକ ହ୍ରାସ ପାଇ ୨୩,୮୦୦ ତଳେ ବନ୍ଦ ହୋଇଛି । ମିଡ୍‌କ୍ୟାପ୍ ଓ ସ୍ମଲ୍‌କ୍ୟାପ୍ ମଧ୍ୟ ଆଜି ଚାପରେ ରହିଥିଲା ।

ଆଜିର ପ୍ରାରମ୍ଭିକ କାରବାରରେ, ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସେକ୍ଟରର ନିଫ୍ଟି ସୂଚକାଙ୍କ ଲାଲ ସଂକେତରେ ଥିଲା । କିନ୍ତୁ ପରେ କିଛି ସେକ୍ଟର କମବ୍ୟାକ୍ କରିଥିଲା । ନିଫ୍ଟି ଏଫଏମ୍‌ସିଜି ଏବଂ ନିଫ୍ଟି ଫାର୍ମା ସବୁଜ ସଂକେତରେ ବନ୍ଦ ହୋଇଛି । ନିଫ୍ଟି ରିଅଲ୍ଟି ୩%ରୁ ଅଧିକ ଦୁର୍ବଳ ହୋଇଛି, ନିଫ୍ଟି ପିଏସୟୁ ବ୍ୟାଙ୍କ ୨.୫%ରୁ ଅଧିକ ହ୍ରାସ ପାଇଛି । ନିଫ୍ଟି ଅଟୋ ୧.୫%ରୁ ଅଧିକ ଦୁର୍ବଳ ହୋଇଛି, ନିଫ୍ଟି ମେଟାଲ୍ ପ୍ରାୟ ୧% ଦୁର୍ବଳ ହୋଇଛି । ଏହି ହ୍ରାସ ଯୋଗୁ ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ବଜାର ପୁଞ୍ଜି ୫ ଲକ୍ଷ କୋଟିରୁ ଅଧିକ ହ୍ରାସ ପାଇଛି ।

ପୂର୍ବ କାରବାର ଦିନ ମେ ୮ରେ ବିଏସ୍‌ଇରେ ତାଲିକାଭୁକ୍ତ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ୪.୭୩ ଲକ୍ଷ କୋଟି ଟଙ୍କା ଥିଲା । ଆଜିର କାରବାରରେ ଏହା ହ୍ରାସ ପାଇ ୪.୬୭ ଲକ୍ଷ କୋଟି ଟଙ୍କା ହୋଇଛି । ଏହାର ଅର୍ଥ ହେଉଛି ନିବେଶକଙ୍କୁ ଆଜି ୫.୬୭ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ସେନସେକ୍ସରେ ତାଲିକାଭୁକ୍ତ ୩୦ ସେୟାର ମଧ୍ୟରୁ କେବଳ ୬ଟି ସେୟାର ସବୁଜ ସଂକେତରେ ବନ୍ଦ ହୋଇଛି ।