ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଆଜି ଯାଏଁ ସବୁଠାରୁ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଏଣିକି ରାଜପଥରେ ଦୁର୍ଘଟଣା ପରେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାର କୌଣସି ବାହାନା ଗ୍ରହଣ କରାଯିବ ନାହିଁ । ଏନ୍ଏଚ୍ଏଆଇ ଏ ସମ୍ପର୍କରେ ଅତ୍ୟନ୍ତ କଠୋର ନିର୍ଦ୍ଦେଶାବଳୀ ଜାରି କରିଛି । ଦୁର୍ଘଟଣା ବିଷୟରେ ସୂଚନା ପାଇବାର ୧୦ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସକୁ ଘଟଣାସ୍ଥଳରେ ପହଞ୍ଚିବାକୁ ପଡ଼ିବ ।

ନିୟମ ପାଳନ ନ କଲେ ଠିକାଦାର ଏବଂ ଆମ୍ବୁଲାନ୍ସ ଡ୍ରାଇଭରମାନଙ୍କୁ ମୋଟା ଜରିମାନା ଦେବାକୁ ପଡିବ । ଏହି ନୂଆ ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି "ଗୋଲ୍ଡେନ ଆୱାର" (ଦୁର୍ଘଟଣା ପରେ ପ୍ରଥମ ଘଣ୍ଟା) ସମୟରେ ଜୀବନ ରକ୍ଷା କରିବା । ତଥା ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ପାଇଁ ତୁରନ୍ତ ଚିକିତ୍ସା ସୁନିଶ୍ଚିତ କରିବା ।

ନୂତନ ନିୟମ ଅନୁଯାୟୀ, ଏନଏଚଏଆଇ ପ୍ରକଳ୍ପଗୁଡ଼ିକରେ ନିୟୋଜିତ ସମସ୍ତ ଏମର୍ଜେନ୍ସି ଗାଡ଼ି ପାଇଁ 'ଏନଏଚଏଆଇ କେୟାର/ଇନ୍ସିଡେଣ୍ଟ ମ୍ୟାନେଜମେଣ୍ଟ ପ୍ରଣାଳୀ' ବ୍ୟବହାର ଏବେ ବାଧ୍ୟତାମୂଳକ । ସୂଚନା ମିଳିବାର ଗୋଟିଏ ମିନିଟ ମଧ୍ୟରେ ପ୍ରତିକ୍ରିୟା ଦେବାକୁ ପଡ଼ିବ । ନିୟନ୍ତ୍ରଣ କକ୍ଷରୁ ସୂଚନା ପାଇବାର ଏକ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସ ଦଳକୁ ସ୍ୱୀକାର କରିବାକୁ ପଡିବ । ୧ ମିନିଟରୁ ଅଧିକ ବିଳମ୍ବ ହେଲେ ପ୍ରତି ମିନିଟ୍ ପାଞ୍ଚ ହଜାର ଜରିମାନା ଦେବାକୁ ପଡିବ ।

ଟିକେଟ୍ ଗ୍ରହଣ କରିବା ପରେ, ଆମ୍ବୁଲାନ୍ସକୁ ଦୁଇ ମିନିଟ୍ ମଧ୍ୟରେ ଘଟଣାସ୍ଥଳ ଅଭିମୁଖେ ଯାତ୍ରା ଯିବାକୁ ପଡିବ । ଆଉ ବିଳମ୍ବ ହେଲେ ପ୍ରତି ମିନିଟ୍ ପାଇଁ ପାଞ୍ଚ ହଜାର ଜରିମାନା ଦେବାକୁ ପଡିବ । କୌଣସି ଆମ୍ବୁଲାନ୍ସ କିମ୍ବା ଅନ୍-ରୋଡ୍ ୟୁନିଟ୍ ଜରୁରୀକାଳୀନ ଟିକେଟ୍ ପ୍ରତ୍ୟାଖ୍ୟାନ କରିପାରିବେ ନାହିଁ । ଯିଦ କିଏ ପ୍ରତ୍ୟାଖ୍ୟାନ କରନ୍ତି ସିଧାସଳଖ ୧୦ ହଜାର ଜରିମାନା ଦେବାକୁ ପଡିବ ।

ଦୂରତା ଅନୁସାରେ ଏନଏଚଏଆଇ ଯାତ୍ରା ସମୟ ମଧ୍ୟ ସ୍ଥିର କରିଛି । ଯଦି ଦୁର୍ଘଟଣା ୧୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଘଟେ, ତେବେ ଟିକେଟ୍ ପାଇବାର ୧୦ ମିନିଟ୍ ମଧ୍ୟରେ ଆମ୍ବୁଲାନ୍ସକୁ ଦୁର୍ଘଟଣାସ୍ଥଳରେ ପହଞ୍ଚିବାକୁ ପଡ଼ିବ । ଯଦି ଦୁର୍ଘଟଣା ୧୦ କିଲୋମିଟରରୁ ଅଧିକ ଦୂରତାରେ ଘଟିଛି, ତେବେ ଦୂରତା ଅନୁସାରେ ଯାତ୍ରା ସମୟ ସ୍ଥିର କରାଯିବ । ଯଦି ଆମ୍ବୁଲାନ୍ସ ସମୟ ମଧ୍ୟରେ ଘଟଣାସ୍ଥଳରେ ନ ପହଞ୍ଚେ, ତେବେ ପ୍ରତି ଘଟଣା ପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।

ଦୁର୍ଘଟଣାସ୍ଥଳରେ କେବଳ ପହଞ୍ଚିବା ଯଥେଷ୍ଟ ନୁହେଁ । ଏନଏଚଏଆଇ ଏହା ମଧ୍ୟ ସର୍ତ୍ତ ରଖିଛି ଯେ ଜରୁରୀକାଳୀନ ଟିକେଟ୍ ପାଇବାର ଗୋଟିଏ ଘଣ୍ଟା ମଧ୍ୟରେ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବାକୁ ପଡିବ । ରୋଗୀଙ୍କୁ ହସ୍ପିଟାଲକୁ ନେବାରେ ବିଳମ୍ବ ହେଲେ ପ୍ରତି ମାମଲା ପାଇଁ ୧୦ ହଜାର ଜରିମାନା ଦେବାକୁ ପଡିବ ।

କେବଳ ଏତିକି ନୁହେଁ । ସମସ୍ତ ଆମ୍ବୁଲାନ୍ସ, କ୍ରେନ୍ ଏବଂ ପାଟ୍ରୋଲିଂ ଯାନରେ AIS-140 GPS ସିଷ୍ଟମ ଏବଂ IoT ସିମ୍ ସହିତ Android ଡିଭାଇସଗୁଡ଼ିକୁ ବାଧ୍ୟତାମୂଳକ କରାଯାଇଛି । ଯଦି କୌଣସି ଅନ୍-ରୋଡ୍ ୟୁନିଟ୍ ଏନଏଚଏଆଇ କେୟାର ଆପ୍ ବ୍ୟବହାର ନ କରେ, ଜିପିଏସ ବନ୍ଦ ରଖେ କିମ୍ବା ଡ୍ୟାସବୋର୍ଡରେ ଅନଲାଇନ୍ ଦେଖାଯାଏ ନାହିଁ, ତେବେ ଦୈନିକ ୨୫୦୦ ଟଙ୍କା ଜରିମାନା ଲାଗୁ ହେବ । ଯଦି କୌଣସି ଯାଞ୍ଚ ସମୟରେ ଆମ୍ବୁଲାନ୍ସ ଭିତରେ ଆବଶ୍ୟକୀୟ ଉପକରଣ, ଔଷଧ ହଜିଯାଏ, ତେବେ ୧୦ ହଜାର ଟଙ୍କା ଜରିମାନା ଲାଗୁ ହେବ । ଆମ୍ବୁଲାନ୍ସଗୁଡ଼ିକ ପାଇଁ ପ୍ରତି ୨୪ ଘଣ୍ଟାରେ ଅତି କମରେ ୫ କିଲୋମିଟରର ଏକ ମକ୍ ଡ୍ରିଲ୍ କିମ୍ବା ଡ୍ରାଏ ରନ୍ ବାଧ୍ୟତାମୂଳକ ହେବ ।