ଚଣ୍ଡିଖୋଲ ୦୮।୦୭ : ଏ କି ପ୍ରକାର କାମ । ଗୋଟିଏ ପଟେ ଠିକ୍‌ ଭାବେ କାମ ହେଉନାହିଁ । ଅନ୍ୟ ପଟେ କାମ ହୋଇଥିବା ରାସ୍ତା ଦବିଯାଉଛି । କିଛି ଦିନ ଧରି ଲଗାଣ ବର୍ଷାରେ ଦବିଗଲା ଚଣ୍ଡିଖୋଲ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ।

ଚଣ୍ଡିଖୋଲ ଠାରୁ କଳିଙ୍ଗନଗର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାମ ବହୁ ବର୍ଷ ଧରି ଅଟକି ରହିଥିଲା । ଶେଷରେ ଚଣ୍ଡିଖୋଲ ଠାରେ ନୂତନ ଭାବେ ଜାତୀୟ ରାଜପଥ କାର୍ଯ୍ୟ ନିର୍ମାଣ ହୋଇଥିଲା । ହେଲେ ଲଗାଣ ବର୍ଷା ଲାଗି ଜାତୀୟ ରାଜପଥ ଦବିଯାଇଛି । ଦୁଇ ଦିନ ଧରି ଲଗାଣ ବର୍ଷାରେ ଦେଢ ଶହ ମିଟର ରାସ୍ତା ଦବିଯାଇଥିବା ବେଳେ ରାସ୍ତା ଫାଟି ଆଁ କରିଛି । ଯାହାକି ରାସ୍ତାର ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

​​​​​​​Also Read:-ମହାନଦୀ ବନ୍ୟା ଜଳ ପରିଚାଳନା ନେଇ ବୈଠକ : ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଆଲୋଚନା

ଚଣ୍ଡିଖୋଲ ଠାରୁ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ଏହି ଜାତୀୟ ରାଜପଥ ବହୁ ଗୁରୁତ୍ୱ ବହନ କରିଥାଏ । ବହୁ ସଂଖ୍ୟାରେ ଗାଡ଼ି ଯିବା ଆସିବା କରୁଛି । ହେଲେ ଲଗାଣ ବର୍ଷାରେ ରାସ୍ତା ଫାଟି ଆଁ କରିଛି । ଠିକାସଂସ୍ଥା ପକ୍ଷରୁ ହେଉଥିବା ରାସ୍ତା କାମ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ । ଜାତୀୟ ରାଜପଥ ବିପଦସଙ୍କୁଳ ଅବସ୍ଥାରେ ରହୁଥିବା ବେଳେ ଲୋକେ ଗମନାଗମନ ପାଇଁ ଅନେକ ସମସ୍ୟା ଦେଖାଯାଉଛି । ଏ ଦିଗରେ NHAI କର୍ତ୍ତୃପକ୍ଷ ସଠିକ ପନ୍ଥା ଆପଣାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସେହିପରି ବର୍ଷା ଜଳ ପାଇଁ ଡ୍ରେନେଜ ହୋଇପାରିନଥିବାରୁ ରାସ୍ତା ଦବିଯାଇଛି ବୋଲି କେହି କେହି ଦାବି କରୁଛି । ଏହି ରାସ୍ତାର କାମ ଖୁବଶୀଘ୍ର ହେବ ବୋଲି ସଂପୃକ୍ତ ଠିକାସଂସ୍ଥା ପକ୍ଷରୁ କୁହାଯାଇଛି ।