ଭୁବନେଶ୍ୱର ୨୪।୦୬ : ଆହୁରି ୪ ଦିନ ଆକାଶରୁ ବର୍ଷିବ ଅନଳ । ଏହି ନିଆଁ ମାଡ଼ରେ କଲବଲ ହେଲେ ସାରା ଓଡ଼ିଶାବାସୀ । ୨୭ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ଲହରୀ ସ୍ଥିତି ଲାଗି ରହିବ । ୨୮ରୁ ତାତି ସାମାନ୍ୟ କମିପାରେ । ଓଡ଼ିଶା ପାଲଟିଛି ନିଆଁ ପିଣ୍ଡୁଳା ।

ଶନିବାର ଝାରସୁଗୁଡ଼ା ସମେତ ପଶ୍ଚିମ ଓଡ଼ିଶାର ୫ଟି ସହରରେ ତାପମାତ୍ରା ୪୫ ଡିଗ୍ରୀ ସେଲସିୟସ୍ ଉପରେ ଥିଲା । ଝାରସୁଗୁଡ଼ା ୪୫.୨ ଡିଗ୍ରୀ ସେଲସିୟସ୍ ଡିଗ୍ରୀ ତାତିରେ ଆଜି ବି ଜଳିଥିଲା । ସମ୍ବଲପୁର, ହୀରାକୁଦ, ଟିଟିଲାଗଡ଼ ଓ ବୌଦ୍ଧରେ ମଧ୍ୟ ପାରଦ ୪୫ ଡିଗ୍ରୀ ଛୁଇଁଥିଲା । ସୋନପୁର ତାପମାତ୍ରା ୪୪.୭, ବଲାଙ୍ଗୀର ୪୪.୫, ଭବାନୀପାଟଣା ୪୪.୫, ନୂଆପଡ଼ା ୪୩.୫, ବରଗଡ଼ ୪୨.୮, ସୁନ୍ଦରଗଡ଼ ୪୨.୨ ଡିଗ୍ରୀ ଥିଲା । ଉପକୂଳରେ ପାରଦ ୪୦ ଡିଗ୍ରୀ ତଳେ ଥିଲେ ମଧ୍ୟ ଗୁଳୁଗୁଳି ଯୋଗୁ ସାଂଘାତିକ ଥିଲା ଗରମର ଯନ୍ତ୍ରଣା । ଭୁବନେଶ୍ୱର ତାପମାତ୍ରା ୩୯.୩ ଡିଗ୍ରୀ ରେକର୍ଡ ହୋଇଛି । ରାଜ୍ୟର ୧୮ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା ।

ପଶ୍ଚିମରେ ଅତ୍ୟଧିକ ଗ୍ରୀଷ୍ମ ପ୍ରକୋପ ଅସ୍ୱାଭାବିକ ସ୍ଥିତି ସୃଷ୍ଟି କରିଛି । ଝାଞ୍ଜିରେ ଜଳୁଛି ସମଗ୍ର ପଶ୍ଚିମ ଓଡ଼ିଶା । ଉପକୂଳରେ ଅସମ୍ଭାଳ ହୋଇଯାଇଛି ଗୁଳୁଗୁଳି ଯନ୍ତ୍ରଣା । ଦିନ ସାଢ଼େ ୧୧ଟାବେଳେ ଭୁବନେଶ୍ୱରରେ ୫୨ ଡିଗ୍ରୀ ଭଳି ଗରମ ଅନୁଭୂତ ହୋଇଥିଲା । ସକାଳ ସାଢ଼େ ୫ଟାବେଳକୁ ତାପମାତ୍ରା ୩୦.୬ ଡିଗ୍ରୀ ଥିବାବେଳେ ଆର୍ଦ୍ରତା ପରିମାଣ ୮୮% ଥିଲା । ଯେଉଁଥିପାଇଁ ସକାଳୁ ୪୨ ଡିଗ୍ରୀ ଭଳି ତାତି ଯନ୍ତ୍ରଣାରେ ଛଟପଟ ହୋଇଥିଲେ ଭୁବନେଶ୍ୱରବାସୀ । ଆଜି ଦିନ ଭିତରେ କେବଳ କେନ୍ଦୁଝରରେ ୧୬ ମିଲିମିଟର ବର୍ଷା ହୋଇଛି । ବାକି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ଅ୍ରାକାଶ ଅପରାହ୍ନରେ ସାମାନ୍ୟ ମେଘୁଆ ଥିଲା । ମାତ୍ର ବାଦଲ ଉଡ଼ିଗଲା, ବର୍ଷା ହେଲାନି ।

Also Read:-Horoscope Today : ମେ'୨୪ ତାରିଖ, ରବିବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ୨୯ରୁ କାଳବୈଶାଖୀ ବର୍ଷା ବଢ଼ିବ । ସେପର୍ଯ୍ୟନ୍ତ ଗରମ ଲାଗି ରହିବ । ଅନୁମାନ କରାଯାଉଛି, ୩୧ ତାରିଖବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଅଧିକ ଘନୀଭୂତ ମଧ୍ୟ ହୋଇପାରେ । ଯଦି ଏହା ବାତ୍ୟା ରୂପ ନେବ, ତେବେ ମୌସୁମୀ ପ୍ରବାହ ଦୁର୍ବଳ ହୋଇଯିବ । ଏମିତି ହେଲେ ଓଡ଼ିଶାକୁ ମୌସୁମୀ ଆଗମନ ପ୍ରାୟ ୩ ସପ୍ତାହ (୨୦ରୁ ୨୫ ଦିନ) ବିଳମ୍ବ ହୋଇପାରେ । ଏ ନେଇ ଜୁନ୍ ପହିଲାବେଳକୁ ସ୍ପଷ୍ଟ ସୂଚନା ମିଳିପାରିବ ।

ପାଣିପାଗ ବିଭାଗର ଆକଳନ ହେଲା, ରବିବାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀରରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିପାରେ । ବଲାଙ୍ଗୀରରେ ଉଷ୍ମ ରାତି ଅନୁଭୂତ ହୋଇପାରେ । ବୌଦ୍ଧରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାବେଳେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଗରମକୁ ଗୁଳୁଗୁଳି ଯନ୍ତ୍ରଣା ନାକେଦମ କରିପାରେ । ଉପକୂଳ ଓ ସଂଲଗ୍ନ ଜିଲ୍ଲା ଏବଂ ଦକ୍ଷିଣର କେତେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ । ୨୭ ଯାଏଁ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ସ୍ଥିତି ଲାଗି ରହିବ । ୪ ଦିନ ପରେ ରାଜ୍ୟରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ ।