କଲବଲ କରିବ ତାତି, ରାଜଧାନୀ ପାରଦ ଛୁଇଁବ ୪୬ ଡିଗ୍ରୀ !

Published By : Prameya-News7 Bureau | April 28, 2024 IST

ଭୁବନେଶ୍ୱର ୨୮।୦୪ : ଉପକୂଳରୁ ପଶ୍ଚିମ, ଉତ୍ତର, ଦକ୍ଷିଣ ଆଉ ଆଭ୍ୟନ୍ତରୀଣ ସାରା ଓଡ଼ିଶା ହୁତ ହୁତ ଜଳିଲା ଶନିବାର । ତତଲା କଡ଼େଇ ପାଲଟିଗଲା ।  ସକାଳ ୮ଟାରୁ ଆରମ୍ଭ ହେଲା ଅଗ୍ନି ବର୍ଷା । ମଧ୍ୟାହ୍ନ ବେଳକୁ ମନେ ହେଉଥିଲା, ଯେମିତି ଯୁଦ୍ଧାସ୍ତ୍ର ନାପାମ୍‌ ବୋମା ବର୍ଷା ହେଉଛି । ସାରା ଜୀବ ଜଗତକୁ ଜାଳି ଛାରଖାର କରିଦେବ । ତେବେ ରବିବାର ବି କୋହଳ ହେବ ନାହିଁ ସୂର୍ଯ୍ୟଙ୍କ ଏ ହମ୍‌ଲା ।  ଭୁବନେଶ୍ୱର ସମେତ କେତେକ ସହରର ତାପମାତ୍ରା ୪୬ ଡିଗ୍ରୀ ଛୁଇଁପାରେ । ତାପରେ ବି ନିସ୍ତାର ନାହିଁ । ୩୦ ତାରିଖ ଯାଏ ବଢ଼ି ଚାଲିବ ଗ୍ରୀଷ୍ମ ପ୍ରବାହର ପ୍ରକୋପ । 

ଗତ ୧୫ ତାରିଖ ଠାରୁ ଅବିରତ ମାଡ଼ ଚାଲିଛି ଏ ଅଗ୍ନି ଝଡ଼ । ମେ ୯ ତାରିଖ ଯାଏ ଚାଲିବ ବୋଲି ଚେତାବନୀ ଦେଇଛନ୍ତି ବିଶେଷଜ୍ଞ ।  ସାରା ରାଜ୍ୟ ତ୍ରାହି ତ୍ରାହି ଡାକିଲାଣି । ଦିନରେ ଘର ବାହାରକୁ ଗୋଡ଼ କାଢ଼ିବାକୁ ଡରୁଛନ୍ତି ଲୋକେ । ନେତାମାନଙ୍କ ଅବସ୍ଥା ଆହୁରି ଖରାପ । ଭୋଟ ଥାଳ ଧରି ବୁଲିବାକୁ ବାଧ୍ୟ । ମୁଣ୍ଡ, ମୁହଁରେ ଗାମୁଛା ଗୁଡ଼ାଇ ଝାଳ ନାଳ ହୋଇ ବୁଲୁଛନ୍ତି । ବୁଲିଲେ ଖରା ମାରିଦେବ, ନ ବୁଲିଲେ ଭୋଟର ମାରିଦେବେ । 

ଖୋର୍ଦ୍ଧା, ମୟୂରଭଞ୍ଜ, ଯାଜପୁର ଓ ଢେଙ୍କାନାଳରେ ଶନିବାର ଅତି ଭୀଷଣ ଗ୍ରୀଷ୍ମପ୍ରବାହ ବହିଛି । ତତଲା ପବନର ମାଡ଼ ଅସ୍ତବ୍ୟସ୍ତ କରି ପକାଇଛି । ଲୋକେ କଲବଲ ହୋଇଛନ୍ତି । ଆଗକୁ ଆହୁରି ୪ ଦିନ ବିପଜ୍ଜନକ ଗ୍ରୀଷ୍ମପ୍ରବାହରେ ଆଉଟପାଉଟ ହେବେ ଲୋକେ ।  

୧ ତାରିଖ ଯାଏ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ବିଭିନ୍ନ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି ହୋଇଛି । ରବିବାର ମୟୂରଭଞ୍ଜ, ଯାଜପୁର, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୁନ୍ଦରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା, କଟକ, ସମ୍ବଲପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ବହିବ ବୋଲି ଆକଳନ କରିଛି । ୧ ତାରିଖ ଯାଏ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ପାଇଁ ରେଡ୍‌ ୱାର୍ଣ୍ଣିଂ ଦିଆଯାଇଛି ।

ମେ ଦ୍ୱିତୀୟ ସପ୍ତାହ ଯାଏ ରାଜ୍ୟରେ ତାତିରୁ ନିସ୍ତାର ମିଳିବନି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି । ରବିବାର ରାଜଧାନୀ ଭୁବନେଶ୍ୱରର ତାତି ୪୬ ଡିଗ୍ରୀ ଛୁଇଁପାରେ । ଦକ୍ଷିଣ ଆଭ୍ୟନ୍ତରରେ ତାତି ଆହୁରି ବଢ଼ିବ । ୨୯ରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ତାତି ବଢ଼ିବ । ଅନୁଗୁଳ, ତାଳଚେର ଓ ଝାରସୁଗୁଡ଼ାରେ ତାତି ୪୪ରୁ ୪୫ ଡିଗ୍ରୀ ରହିପାରେ ।

ଶନିବାର ସୁଦ୍ଧା ରାଜ୍ୟରେ ୧୫ ଦିନ ଗ୍ରୀଷ୍ମପ୍ରବାହ ବହିଲାଣି । ଗତବର୍ଷ ଏପ୍ରିଲରେ ମାତ୍ର ୫ ଦିନ ବହିଥିଲା । ଏତେ ଲମ୍ବା ସମୟ ଧରି ଗ୍ରୀଷ୍ମପ୍ରବାହ ବହିବାରେ ରେକର୍ଡ ହେଲାଣି । ଏହାର ପ୍ରଭାବରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ଆଉ ସହିହେଉନି, ଏ ବିପଜ୍ଜନକ ଗ୍ରୀଷ୍ମପ୍ରବାହରୁ କେବେ ରକ୍ଷା ମିଳିବ? ଲୋକେ ଏମିତି ପଚାରୁଛନ୍ତି ।

ମେ ୯ ତାରିଖ ଯାଏ ଏହି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରୁ ନିସ୍ତାର ମିଳିବାର ଆଶା କମ୍‌ ବୋଲି ପାଣିପାଗ ବିଶେଷଜ୍ଞମାନେ କହୁଛନ୍ତି । ଯଦି ଏ କଥା ସତ ହୁଏ, ଲଗାତର ୨୭ ଦିନ ଧରି ଗ୍ରୀଷ୍ମପ୍ରବାହ ସହିବେ ଲୋକେ । ୨୦୧୦ ପରେ ଏଭଳି ଲମ୍ବା ଅବଧିର ଗ୍ରୀଷ୍ମପ୍ରବାହ ବହିନଥିଲା ବୋଲି ପାଣିପାଗ ବିଭାଗ କହୁଛି । ହେଲେ ଏ ଲମ୍ବା ଅବଧିର ତାତି ଓ ଗ୍ରୀଷ୍ମପ୍ରବାହ ଭୟଙ୍କର ଚର୍ମ କର୍କଟ ଓ ଓଠ କର୍କଟକୁ ଡାକି ଆଣିବ । ଏବେ ୟୁଭି ଇଣ୍ଡେକ୍ସ ୧୧ ଉପରେ ରହୁଛି । ଲଗାତର କିଛି ଦିନ ଯାଏ ଏଭଳି ତାତି ସଂସ୍ପର୍ଶରେ ଆସିଲେ କର୍କଟ ହେବାର ଆଶଙ୍କା ଅଧିକ ବୋଲି ସମ୍‌ ହସ୍ପିଟାଲର ଅଙ୍କୋଲୋଜିଷ୍ଟ ଡା. ସୁନୀଲ ଅଗ୍ରୱାଲ ଚେତାଇ ଦେଇଛନ୍ତି ।

ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାରେ ୨୮ ଓ ୨୯ରେ  ସନ୍ଧ୍ୟା ୫ଟା ଯାଏ ପବନ ଶାନ୍ତ ରହିବ । ଏହାଫଳରେ ପ୍ରବଳ ତାତି ଓ ଗୁଳୁଗୁଳି ଅନୁଭୂତ ହେବ । ସନ୍ଧ୍ୟା ବେଳକୁ ଦକ୍ଷିଣା ପୂର୍ବ ସାମୁଦ୍ରିକ ପବନ ବହିବ । ମେ ଦ୍ୱିତୀୟ ସପ୍ତାହରେ ଉପକୂଳ ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରିଛନ୍ତି ।

  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.