ଭୁବନେଶ୍ୱର: ଅନେକ ଷ୍ଟୋରୀ ଅଛି ବୋଲି କହି ଯାଇଥିଲେ... ଆସିଲେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପୂରଣ ହେଲାନି ସେ କଥା... ସବୁ କିଛି ଅଧାରେ ରହିଗଲା.. ଆଉ ସେ ଆସିବେନି... କି ଷ୍ଟୋରୀ କରିବେନି... ଜୀବନ ର ଲାଇଟ୍ କ୍ୟାମେରା ଆଜି ଅନ୍ଧାର ହୋଇଯାଇଛି। ଅନେକ ଦୁଃଖକୁ ଚାପି ରଖି, ସଂଘର୍ଷକୁ ଜୀବନର ବ୍ରତ୍ତ କରି ଜୀବନ ଜିଉଁଥିବା ମଣିଷଟା ଆଜି ନୀରବି ଯାଇଛି। ଭାବିଲେ ଦୁଃଖ ଲାଗୁଛି, ଆଉ ସେ ହସ ଦେଖିବାକୁ ମିଳିବନି। ଆଉ ସ୍ନେହ ମିଳିବନି। ସବୁଦିନ ପର କରି ଚାଲିଗଲେ ଆମ ସମସ୍ତଙ୍କ ପ୍ରିୟ ସାମ୍ବାଦିକା ଶିଲା ପଟ୍ଟନାୟକ। ସ୍ନେହରେ କିଏ କେତେ କଣ ଡାକନ୍ତି, ଶିଲା ଦିଦି, ଶିଲା ମ୍ୟାଡମ୍ ଏମିତି କେତେ କଣ। ସେ ସମସ୍ତଙ୍କଠୁ ଥିଲେ ଖାସ୍ ଓ ଭିନ୍ନ। ମନରେ ଅନେକ ବେଦନା ଚାପି ରଖି ମୁହଁରେ କିନ୍ତୁ ଥାଏ ସବୁବେଳେ ହସ। ସ୍ନେହରେ ସମସ୍ତଙ୍କୁ ବାନ୍ଧି ରଖୁଥିଲେ। ରିପୋର୍ଟିଂ ପରେ ଯେତେବେଳେ ଅଫିସ ଫେରନ୍ତି କେତେବେଳେ କୁହନ୍ତିନି ମୁଁ ଥକ୍କି ଯାଇଛି। ହସିକି ସମସ୍ତଙ୍କ ହାଲ୍ ଚାଲ୍ ପଚାରିବା ଟା ଥୟ। ପୁଣି ସେହି ଜୋଶ୍ ର ସହ କରନ୍ତି ପର ଦିନର ଷ୍ଟୋରୀ ପ୍ଲାନ୍। କିନ୍ତୁ କାଲିଠୁ ଶୁଭିବନି କ୍ୟାମେରା ପର୍ସନ୍ ଙ୍କ ସହ ମୁଁ ଶିଲା ପଟ୍ଟନାୟକ ନ୍ୟୁଜ ସେଭେନ୍... ସେ ସବୁ ଦିନ ପାଇଁ ଆମକୁ ଛାଡ଼ି ଚାଲି ଯାଇଛନ୍ତି। ପିପିଲିର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ତାଙ୍କର ପରଲୋକ ହୋଇଛି। ଝୁରୁଛନ୍ତି ସମସ୍ତେ, ସାଙ୍ଗସାଥୀ, ସହକର୍ମୀ ଓ ପ୍ରିୟଜନ।

ଶିଲା ଜଣେ ସାହାସୀ ଓ ନିର୍ଭୀକ ସାମ୍ବାଦିକା ଥିଲେ। ସମାଜର ଅନେକ କଥା ନିଜ ସାମ୍ବାଦିକତା ମାଧ୍ୟମରେ ସାମ୍ନାକୁ ଆଣୁଥିଲେ। ଅନେକ ଥର ନିଜ ଦକ୍ଷତାର ପ୍ରମାଣ ଟିଭି ସ୍କ୍ରିନରେ ଦେଖାଇଥିଲେ। ପରଦା ଉପରେ ନିର୍ଭୀକ ଓ ଦାୟିତ୍ୱବାନ ସାମ୍ବାଦିକା କିନ୍ତୁ ପାରିବାରିକ ଜୀବନରେ ଥିଲେ ଦୋଛକିରେ। କୋର୍ଟ କଚେରୀ ଧାଉଁ ଧାଉଁ ତାଙ୍କୁ ଏତେବାଟ ଯିବାକୁ ପଡ଼ିବ କିଏ ଜାଣିଥିଲା। ସକାଳେ ପଡ଼ୋଶୀ ଶିପିକା ପ୍ରିୟଦର୍ଶିନୀଙ୍କ ସହିତ ପୁରୀ ଯାଉଥିଲେ ଶିଲା। ଇ-ଚାଲାଣ ଲାଗିଥିବାରୁ କାରରେ ଯାଇପାରିନଥିଲେ। ଉଭୟ ବସରେ ଯାଇଥାନ୍ତେ କିନ୍ତୁ କଣ ହେଲା କେଜାଣି ସ୍କୁଟର ଧରି ଦୁଇ ଜଣ ବାହାରିଲେ। ଜାତୀୟ ରାଜପଥ ୩୧୬ରେ ସବୁକିଛି ସ୍ବାଭାବିକ ଥିଲା । ହେଲେ ହଠାତ ଏକ ବସ୍ ପଛପଟୁ ଆସି ମାଡ଼ିଗଲା ଆଉ ଉଭୟଙ୍କ ଉପରେ ଚଢ଼ିଗଲା। ମାତ୍ର କିଛି ସେକେଣ୍ଡରେ ଉଭୟ ଚାଲିଗଲେ ଆରପାରିକୁ।

ସୂଚନା ଅନୁସାରେ ରାସ୍ତା ଉପରେ ଗଦା ହୋଇଥିବା ବାଲି କାଳ ହେଲା, ଯେଉଁଥିପାଇଁ ସ୍କୁଟରର ଚକା ସ୍ଲିପ୍ କଲା। ଆଉ ଏତିକିବେଳେ ଦ୍ରୁତ ଗତିରେ ଆସୁଥିଲା ବସ୍ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଉଭୟଙ୍କୁ ସ୍ଥାନୀୟ ଲୋକେ ମଙ୍ଗଳପୁର ହସ୍ପିଟାଲ ନେଇଥିଲେ। ହେଲେ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଘଟଣା ସ୍ଥଳରେ ପିପିଲି ପୋଲିସ ତୁରନ୍ତ ପହଞ୍ଚିଥିଲା। ଦୌଡ଼ାଦୌଡ଼ି ହୋଇ ପରିବାର ଲୋକେ ଅଫିସ୍ ସହକର୍ମୀ ସମସ୍ତେ ପହଞ୍ଚିଥିଲେ। ହେଲେ ଶିଲାଙ୍କ ଅକାଳ ବିୟୋଗକୁ କେହି ବି ସହଜରେ ଗ୍ରହଣ କରିପାରିନଥିଲେ।

ଶିଲା ଖାଲି ଜଣେ ସାମ୍ବାଦିକା ନଥିଲେ ସୃଷ୍ଟି କରିଥିଲେ ନୂଆ ଉଦାହରଣ। ସମାଜ ସେବା ମାଧ୍ୟମରେ ଛୋଟ ଛୋଟ ପିଲାଙ୍କ ପାଇଁ ସେ କାର୍ଯ୍ୟ ଜାରି ରଖିଥିଲେ। ସେହିପରି ସାମ୍ବାଦିକତାରେ ସେ ଭିନ୍ନଧର୍ମୀ କାହାଣୀ ଉତ୍ଥାପନ କରି ସବୁବେଳେ ଦୃଷ୍ଟି ଆକର୍ଷଣ କରୁଥିଲେ। ଦୁଇ ଦିନ ତଳେ ରାଜଧାନୀର ଗୁଡ଼ି ଉଡ଼ା ପରମ୍ପରାକୁ ନେଇ ଖବର କରିଥିଲେ। ହେଲେ ତାଙ୍କ ଗୁଡ଼ି ଯେ ମାଞ୍ଜା ଛିଡ଼ାଇ ଏତେ ଦୂରକୁ ଚାଲିଯିବ ଏକଥା ସମସ୍ତଙ୍କୁ ହତବାକ୍ କରିଛି। ଶିଲାଙ୍କ ଭଳି ଜଣେ ନୀର୍ଭିକ ସାମ୍ବାଦିକାଙ୍କୁ ହରାଇ ନ୍ୟୁଜ ସେଭେନ ଅଫିସରେ ଶୋକାକୁଳ ପରିବେଶ। ନିଜର ଲୁହ ଓ କୋହକୁ ଅଟକାଇ ପାରି ନାହାନ୍ତି ସହକର୍ମୀ। ସମସ୍ତେ ତାଙ୍କର ସେହି ହସ ହସ ମୁହଁକୁ ମନେ ପକାଉଛନ୍ତି। ପ୍ରଶ୍ନ କରୁଛନ୍ତି କାହିଁକି କନ୍ଦେଇ ଚାଲି ଗଲୁରେ। ସୋସିଆଲ ମିଡିଓ ଓ ବିଭିନ୍ନ ଗଣମାଧ୍ୟମରେ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶିଲାଙ୍କ ମୃତ୍ୟୁକୁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କଠୁ ନେଇ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ବଡ଼ ଦୁଃଖର ବିଷୟ... ରାଜପଥରେ ଠାଏ ଠାଏ ଗଦା ହୋଇଛି ବାଲି। ଏନେଇ ନିଜେ ଶିଲା ବି ଖବର ପ୍ରସାରଣ କରିଥିଲେ। ନ୍ୟୁଜ ସେଭେନ ବି ବେଆଇନ ବାଲି ଚାଲାଣ ନେଇ କହି ଆସୁଥିଲା। କିନ୍ତୁ ଆଜି ରାଜପଥରେ ଗଦା ହୋଇଥିବା ସେହି ବାଲି ପାଇଁ ଶିଲାଙ୍କ ଜୀବନ ଚାଲି ଯାଇଛି। ଏ ସବୁତ ଆମେ ନିଜକୁ ବୁଝେଇଦେବୁ, କିନ୍ତୁ ଶିଲାଙ୍କର ସେହି କୁନି ପିଲାଟିକୁ ବୁଝେଇବ କିଏ। ତାକୁ କିଏ ଫେରେଇବ ତା ମାକୁ । ପିଲାକୁ ଏକୁଟିଆ ଛାଡ଼ିବାକୁ ଡରୁଥିବା ମାଆକୁ ହିଁ ଛଡ଼େଇ ନେଲା ଦଇବ। ଏକୁଟିଆ ହୋଇଯାଇଛି ପୁଅ ଗୁଗୁଲ...ଏତିକି ପ୍ରାର୍ଥନା ସେ ଯେଉଁଠି ଥାଆନ୍ତି ଭଲରେ ଥାଆନ୍ତୁ। ଆଉ ତାଙ୍କ ପୁଅକୁ ଭଗବାନ ଧର୍ଯ୍ୟ ଓ ସାହସ ଦିଅନ୍ତୁ। ନ୍ୟୁଜ୍ ସେଭେନ୍ ପ୍ରତି ତାଙ୍କ ଅବଦାନ ସବୁବେଳେ ମନେ ରହିବ। ଏହା ଆମ ପରିବାର ପାଇଁ ଗୋଟିଏ ଅପୂରଣୀୟ କ୍ଷତି କହିଲେ ଭୁଲ୍ ହେବେନି। କିନ୍ତୁ ଶିଲା ମରିବି ହୋଇ ଯାଇଛନ୍ତି ଅମର। ତାଙ୍କ ଚକ୍ଷୁକୁ ଦାନ କରାଯାଇଛି। ଏବେ ତାଙ୍କ ଆଖିରେ କେହି ଜଣେ ଦୁନିଆ ଦେଖିବେ। ଶେଷରେ ଏତିକି ଶିଲା ସବୁବେଳେ ମନେ ରହିବେ... ଅଶ୍ରୁଳ ଶ୍ରଦ୍ଧାଞ୍ଜଳି... ଯେଉଁଠି ଥାଅ ଭଲରେ ଥାଅ...