ଇସଲାମାବାଦ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ରବିବାର ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣରେ ନବବିବାହିତ ଦମ୍ପତିଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିଶମ ବାହିନୀ ଅନୁସାରେ, ୧୧ ଜଣ ଆହତ ହୋଇଛନ୍ତି ।

ଭଗ୍ନାବଶେଷ ତଳୁ ୧୯ ଜଣଙ୍କୁ ଉଦ୍ଧାର କରାଯାଇଛି । ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସର ମୁଖପାତ୍ର ଡକ୍ଟର ଆନିଜା ଜଲିଲ୍ କହିଛନ୍ତି ଯେ, ପୀଡିତଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି।

 

ଇସଲାମାବାଦର ଅତିରିକ୍ତ ଡେପୁଟି କମିଶନର (ଜେନେରାଲ) ସାହିବଜାଦା ୟୁସୁଫ କହିଛନ୍ତି ଯେ, ବିସ୍ଫୋରଣରେ ଚାରୋଟି ଘର କ୍ଷତିଗ୍ରସ୍ତ ହୋଇଛି। ମୃତକଙ୍କ ମଧ୍ୟରେ ବର ଏବଂ ବଧୂ ମଧ୍ୟ ଅଛନ୍ତି। ଗ୍ୟାସ ଲିକ୍ ଯୋଗୁଁ ସିଲିଣ୍ଡର ବିସ୍ଫୋରଣ ହୋଇଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ବିସ୍ଫୋରଣ ପରେ ଭୁଶୁଡ଼ି ପଡ଼ିଥିବା ଘରେ ଅନେକ ଅତିଥି ଫସି ରହିଥିଲେ। ଉଦ୍ଧାରକାରୀ ଦଳ ସେମାନଙ୍କୁ ଭଗ୍ନାବଶେଷ ତଳୁ ଉଦ୍ଧାର କରିଛି । ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସିନେଟ୍ ଅଧ୍ୟକ୍ଷ ୟୁସୁଫ୍ ରାଜା ଗିଲାନି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହା ଏକ ହୃଦୟବିଦାରକ ଘଟଣା । ବିବାହ ଉତ୍ସବକୁ ଶୋକରେ ପରିଣତ କରିଛି ।