ଇନ୍ଦୋର: ନୂଆ ବର୍ଷରେ ସିରିଜ ପରାଜୟରୁ ଯାତ୍ରା ଆରମ୍ଭ କଲା ଟିମ୍ ଇଣ୍ଡିଆ। ନ୍ୟୁଜିଲାଣ୍ଡ ଇତିହାସରେ ପ୍ରଥମ ଥର ପାଇଁ ଘରୋଇ ମାଟିରେ ଭାରତକୁ ଦିନିକିଆ ସିରିଜ୍‌ରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ଠାରୁ ୪୧ ରନ୍‌ରେ ହାରିଲା ଭାରତ। ରବିବାର ଇନ୍ଦୋରରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଭାରତକୁ ୪୧ ରନ୍‌ରେ ପରାସ୍ତ ୨-୧ ରେ ସିରିଜ୍ କବ୍ଜା କରିଛି। 

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଭାରତ ବିରୁଦ୍ଧରେ ୩୩୮ ରନ୍ ବିଶାଳ ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତ ୨୯୬ ରନ୍ କରି ଅଲ୍ ଆଉଟ୍ ହୋଇଯାଇଛି। ବିରାଟ କୋହଲି ୧୨୪ ରନର ଇନିଂସ୍ ଖେଳି ମ୍ୟାଚ୍ ଜିତାଇବାକୁ ସଂଘର୍ଷ କରିଥିଲେ। ହର୍ଷିତ ରାଣା ଓ ନୀତୀଶ ରେଡ୍ଡୀ ତାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ହେଲେ ଶେଷରେ ଭାରତକୁ ପରାଜୟ ସାମ୍ନା କରିବାକୁ ପଡ଼ିଛି।

​​​​​​​

ରବିବାର ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଉଥିବା ନିର୍ଣ୍ଣାୟକ ଦିନିକିଆରେ ନ୍ୟୁଜିଲାଣ୍ଡ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ଡାରିଲେ ମିଚେଲଙ୍କ ୧୩୭ ରନ ଓ ଗ୍ଲେନ ଫିଲିପ୍ସଙ୍କ ୧୦୬ ରନର ଶତକୀୟ ଇନିଂସ ବଳରେ କିଓ୍ଵି ଦଳ ୮ ଓ୍ଵିକେଟ୍ ହରାଇ ୩୩୭ ରନ କରିଥିଲା। ସିରିଜ୍ ଜିତିବା ପାଇଁ ୩୩୮ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଭାରତ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଥିଲା। ସିରିଜ୍‌ରେ ପୂର୍ବ ଦୁଇ ମ୍ୟାଚ୍‌ରେ ଫ୍ଲପ୍‌ ଶୋ ଦେଖାଇଥିବା ହିଟ୍‌ ମ୍ୟାନ୍‌ ଶେଷ ମ୍ୟାଚ୍‌ରେ ବି ନିରାଶ କରିଥିଲେ। କ୍ୟାପ୍ଟେନ ଗିଲ୍ ପୂର୍ବ ଦୁଇ ମ୍ୟାଚ୍‌ରେ ଯଦିଓ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ, ହେଲେ ଶେଷ ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ ଦୁର୍ବଳ ରହିଲା।

 

ଟପ୍ ଅର୍ଡର ଫେଲ୍ ଯୋଗୁ ହାରିଲା ଭାରତ

ବିଶାଳ ସ୍କୋରକୁ ପିଛା କରୁଥିବା ଭାରତୀୟ ଦଳ ଆରମ୍ଭରୁ ଦୁର୍ବଳ ପ୍ରଦର୍ଶନ କରିଥିଲା। ମାତ୍ର ୪ ଓଭର ଖେଳ ବେଳେ ଜାକାରି ଫାଉଲକେସଙ୍କ ଶିକାର ହୋଇଥିଲେ ରୋହିତ ଶର୍ମା। ସେ ମାତ୍ର ୧୧ ରନ କରି ଆଉଟ୍ ହୋଇଥିଲେ। ସେହିଭଳି ଫର୍ମରେ ଥିବା ଅଧିନାୟକ ଶୁଭମନ ଗିଲ୍ (୨୩)ଙ୍କୁ କାଇଲ୍ ଜାମିସନ୍ ବୋଲ୍ଡ କରିଥିଲେ। ଏହାପରେ ଶ୍ରେୟସ ଆୟରଙ୍କୁ ମାତ୍ର ୩ ରନ୍‌ରେ କ୍ରିଷ୍ଟିଆନ୍ କ୍ଲାର୍କ ଆଉଟ୍ କରି ଦେଇଥିଲେ। ଗତ ମ୍ୟାଚ୍‌ରେ ଶତକୀୟ ଇନିଂସ ଖେଳିଥିବା କେଏଲ ରାହୁଲ(୧) ଇନ୍ଦୋରରେ କିନ୍ତୁ ଫ୍ଲପ୍ ହୋଇଥିଲେ। ସେ ସ୍ପିନର ଜାଡେନ୍ ଲେନକ୍ସଙ୍କ ଶିକାର ହୋଇଥିଲେ। ରାହୁଲଙ୍କ ଆଉଟ୍ ହେବା ସମୟରେ ଭାରତର ସ୍କୋର ୭୧/୪ ଥିଲା।

 

ଚାରିଟି ୱିକେଟ୍ ଯିବା ପରେ, ବିରାଟ କୋହଲି ଏବଂ ନୀତିଶ କୁମାର ରେଡ୍ଡୀ ପଞ୍ଚମ ୱିକେଟ୍ ପାଇଁ ୮୮ ରନର ପାର୍ଟନର୍ସିପ୍‌ କରିଥିଲେ। କୋହଲି ୫୧ ବଲରୁ ଚାରିଟି ଚୌକା ଏବଂ ଗୋଟିଏ ଛକା ମାରି ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସେହିପରି ନୀତିଶ କୁମାର ରେଡ୍ଡୀ ୫୨ ବଲରୁ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ଅର୍ଦ୍ଧଶତକ ପରେ ନୀତିଶ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଟ ରହିପାରି ନଥିଲେ। ସେ ୫୭ ବଲରେ ଦୁଇଟି ଛକା ଏବଂ ଦୁଇଟି ଚୌକା ମାରି ୫୩ ରନ କରି ଆଉଟ୍ ହୋଇଥିଲେ। ପୂର୍ବପରି ଏଥର ବି ଜାଡେଜା ଖରାପ ବ୍ୟାଟିଂ କରିଥିଲେ। ସେ ମାତ୍ର ୧୨ ରନ୍ କରି ଆଉଟ୍ ହୋଇଥିଲେ।

 

ଏହାପରେ ବିରାଟ କୋହଲି ଏବଂ ହର୍ଷିତ ରାଣା ସପ୍ତମ ୱିକେଟ ପାଇଁ ୯୯ ରନର ପାର୍ଟନରସିପ୍ କରିଥିଲେ। ଏହି ପାର୍ଟନରସିପ୍ ମଧ୍ୟରେ କୋହଲି ୯୧ ବଲରୁ ଆଠଟି ଚୌକା ଏବଂ ଦୁଇଟି ଛକା ମାରି ତାଙ୍କର ଶତକ ପୂରଣ କରିଥିଲେ। ଏହା କୋହଲିଙ୍କ ୫୪ତମ ଏକଦିବସୀୟ ଶତକ ଏବଂ ମୋଟ ୮୫ତମ ଅନ୍ତର୍ଜାତୀୟ ଶତକ ଥିଲା। ହର୍ଷିତ ରାଣା ଚାରିଟି ଛକା ଏବଂ ଚାରିଟି ଚୌକା ସହିତ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ ସେ ବି ରେଡ୍ଡୀଙ୍କ ପରି ଅର୍ଦ୍ଧଶତକ ପରେ ବେଶି ସମୟ ତିଷ୍ଟି ପାରି ନଥିଲେ। ତା'ପରେ ଭାରତ ପରବର୍ତ୍ତୀ ବଲ୍‌ରେ ମହମ୍ମଦ ସିରାଜଙ୍କ ୱିକେଟ ହରାଇଥିଲା।

ଏହାପରେ ଏକାକୀ ସଂଘର୍ଷ କରୁଥିବା ବିରାଟ କୋହଲିଙ୍କର ୱିକେଟ୍ ଯାଇଥିଲା। ସେ ୧୨୪ ରନ୍ କରି ଆଉଟ୍ ହେବା ପରେ ଭାରତର ଜିତିବା ଆଶା କ୍ଷୀଣ ହୋଇଯାଇଥିଲା। କୋହଲି ତାଙ୍କ ୧୦୮ ବଲ ଇନିଂସରେ ୧୦ ଚୌକା ଏବଂ ତିନୋଟି ଛକା ମାରିଥିଲେ। କୁଲଦୀପ ଯାଦବଙ୍କ ରୂପରେ ଭାରତର ଶେଷ ୱିକେଟ ପଡ଼ିଥିଲା, ଯିଏ ୫ ରନ କରି ରନ ଆଉଟ ହୋଇଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ କ୍ରିଷ୍ଟିଆନ କ୍ଲାର୍କ ଏବଂ ଜାକାରୀ ଫାଉଲକେସ୍ ତିନୋଟି ଲେଖାଏ ୱିକେଟ ନେଇଥିଲେ।

ଏହିପରି ଭାବରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ୪୧ ରନ୍‌ରେ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ୨-୧ରେ ସିରିଜ କବ୍ଜା କରିବା ସହିତ ପ୍ରଥମ ଥର ପାଇଁ ଭାରତ ମାଟିରେ ଭାରତକୁ ହିଁ ଦିନିକିଆ ସିରିଜ୍‌ରେ ହରାଇଛି।