ଭୁବନେଶ୍ବର ୧୯।୬: ପାଠ୍ୟପୁସ୍ତକ ତ୍ରୁଟିର ତଦନ୍ତ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଗଠିତ କମିଟି ତଦନ୍ତ ଆରମ୍ଭ କରିଛି । କମିଟି ଅଧ୍ୟକ୍ଷ ତଥା ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂହ ତନାଘନା ଆରମ୍ଭ କରିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ SCERT ନିର୍ଦ୍ଦେଶକ ପ୍ରଫେସର ନିହାର ରଞ୍ଜନ ପଟ୍ଟନାୟକ । ତ୍ରୁଟି ଥିବା ପାଠ୍ୟପୁସ୍ତକ ବଦଳରେ ନୂଆ ସଂଶୋଧିତ ପାଠ୍ୟପୁସ୍ତକ ଯୋଗେଇ ଦେବା ଦରକାର ବୋଲି ସେ କହିଛନ୍ତି । ପାଠ୍ୟପୁସ୍ତକ ପ୍ରକାଶନ ପାଇଁ ଷ୍ଟିୟରିଂ କମିଟି, ଏକ୍ସପର୍ଟ କମିଟି, କୋର୍ କମିଟି ରହିଛି । ହେଲେ କମିଟି ଗୁଡ଼ିକ ନିଜ କାମ ସଠିକ୍ ଭାବେ ସମ୍ପାଦନା କରିନହାନ୍ତି । ତରବରିଆ ଭାବେ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଲାଗୁ କରିବାକୁ ଯାଇ ଏଭଳି ଭୁଲ୍ ହୋଇଛି ବୋଲି ସେ କହିଛନ୍ତି ।

ବିଭିନ୍ନ ସ୍ତରରେ ପୁସ୍ତକ ଛପାଇବା ପାଇଁ ନିର୍ଦ୍ଦେଶନାମା ରହିବା କଥା । ହେଲେ କେଉଁଠି ନା କେଉଁଠି ଏଥିରେ ତ୍ରୁଟି ହୋଇଛି । ସମ୍ପାଦନ ମଣ୍ଡଳୀ ଛପା ଯାଇଥିବା ପାଠ୍ୟ ପୁସ୍ତକ ଗୁଡ଼ିକର ପ୍ରୁଫ୍ ରିଡିଂ କରିନାହାନ୍ତି । ଟାଇପିଷ୍ଟ ଯାହା ଲେଖିଦେଲେ ତାହା ଛପେଇ ଦିଆଯାଇଛି । ପିଲାଙ୍କୁ ଭୁଲ ବହି ଦେଇ ତାଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲିଦେବା ଠିକ୍ ନୁହେଁ । ଏହା ମୁଦ୍ରଣଗତ ତ୍ରୁଟି ନୁହେଁ ଏହା ତଥ୍ୟ ପ୍ରଦାନ ଜନିତ ତ୍ରୁଟି ବୋଲି ସେ ଅଭିଯୋଗ ଆଣିଛନ୍ତି ।

Also Read:- ମନ୍ତେଇ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର, ରୋଡ୍ ସର୍ଭେ ବେଳେ ଭାସିଯାଇଥିଲେ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟଙ୍କା ଖର୍ଚ୍ଚ ହେଉ ପଛେ ତ୍ରୁଟି ଶୂନ୍ୟ ବହି ପିଲାଙ୍କୁ ଯୋଗେଇ ଦିଆଯାଉ । ପାଠ୍ୟପୁସ୍ତକରେ ଏତେ ସଂଖ୍ୟକ ତ୍ରୁଟି କେବେ ହୋଇନାହିଁ । ୧୬୬୮ ନୁହେଁ ତାଠାରୁ ଅଧିକ ତ୍ରୁଟି ହୋଇଛି । ଭୁଲ୍ ବହି ଦେଇ କୋମଳମତି ପିଲାଙ୍କ ଭବିଷ୍ୟତ ନଷ୍ଟ କରନ୍ତୁ ନାହିଁ ବୋଲି ନିହାର ରଞ୍ଜନ ପଟ୍ଟନାୟକ କହିଛନ୍ତି ।