ନୂଆଦିଲ୍ଲୀ ୨୩/୦୧: କେନ୍ଦ୍ର ସରକାର ଗୁରୁବାର ଜନଗଣନା ୨୦୨୭ ସଂକ୍ରାନ୍ତ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି । ଏଥିରେ ଜନଗଣନା ବେଳେ ଲୋକଙ୍କୁ ପଚରାଯିବାକୁ ଥିବା ୩୩ ପ୍ରଶ୍ନର ତାଲିକା ଦିଆଯାଇଛି । ଲୋକଙ୍କୁ ଘର, ପରିବାର, ଗାଡ଼ି ଆଦି ସଂକ୍ରାନ୍ତରେ ତଥ୍ୟ ଦେବାକୁ ପଡ଼ିବ । ଜନଗଣନା ସମୟରେ ପରିବାରର ମୁଖିଆଙ୍କୁ ଏହିସବୁ ତଥ୍ୟ ପ୍ରଦାନ କରିବାକୁ ହେବ । ସରକାରଙ୍କ ଅନୁସାରେ, ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ ।

ପ୍ରଥମ ପର୍ଯ୍ୟାୟ ଚଳିତବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୩୦ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବେ । ଏଥିରେ ଘରଗୁଡ଼ିକର ତାଲିକା ଏବଂ ଘର ସଂକ୍ରାନ୍ତ ବିଭିନ୍ନ ତଥ୍ୟ ସଂଗ୍ରହ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ଫେବ୍ରୁଆରୀରୁ ଆରମ୍ଭ ହେବ । ଏଥିରେ ଜନସଂଖ୍ୟା ଗଣନା ଆରମ୍ଭ କରାଯିବ ।

 

ସରକାର ଆହୁରି କହିଛନ୍ତି, ଘରଗୁଡ଼ିକର ତାଲିକା ଆରମ୍ଭ ହେବାର ୧୫ ଦିନ ପୂର୍ବରୁ ଲୋକଙ୍କୁ ନିଜ ଆଡ଼ୁ ସୂଚନା ପ୍ରଦାନ (ସେଲ୍ଫ ଏନ୍ୟୁମରେସନ) ର ବିକଳ୍ପ ବି ଦିଆଯିବ । ଉଲ୍ଲେଖଥାଉ କି ୨୦୨୧ରେ ଜନଗଣନା ହେବାର ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଏହା ୨୦୨୭ରେ ପୂରା ହେବ । ସରକାର ସ୍ପଷ୍ଟ କରିଛନ୍ତି ଯେ ଏଥର ଜନଗଣନା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ଉପାୟରେ ହେବ । ପ୍ରାୟ ୩୦ ଲକ୍ଷ କର୍ମଚାରୀ ମୋବାଇଲ ଆପ୍ ଜରିଆରେ ତଥ୍ୟ ସଂଗ୍ରହ କରିବେ ।

ମୋବାଇଲ ଆପ୍, ପୋର୍ଟାଲ ଏବଂ ରିଅଲ୍ ଟାଇମ୍ ଡାଟା ଟ୍ରାନ୍ସଫର ଦ୍ୱାରା ଜନଗଣନା ଯଥାସମ୍ଭବ ପେପରଲେସ୍ ହେବ । ଏହି ଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ରେ କାମ କରିବ । ଜାତି ସହ ଜଡ଼ିତ ତଥ୍ୟ ବି ଡିଜିଟାଲ ଉପାୟରେ ହାସଲ କରାଯିବ । ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଜନଗଣନାରେ ଜାତି ଗଣନାକୁ ସାମିଲ କରାଯିବ । ଏହା ପୂର୍ବରୁ ଇଂରେଜ ଅମଳରେ ୧୯୩୧ ପର୍ଯ୍ୟନ୍ତ ଜାତି ଆଧାରିତ ଜନଗଣନା ହୋଇଥିଲା ।