ନୂଆଦିଲ୍ଲୀ: ଆୟାତୋଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ ଦିନ ତାଙ୍କ ପୁଅ ମୋଜତାବା ଗୁରୁତର ଆହତ ହୋଇଥିଲେ । ଏହି ଖବରରେ କେତେ ସତ୍ୟତା ଥିଲା ତାହା ଜଣାପଡ଼ିନଥିଲା । କିନ୍ତୁ ଏବେ ରୟଟର୍ସର ଏକ ରିପୋର୍ଟରୁ ବଡ଼ ଖୁଲାସା ହୋଇଛି । ଫେବୃଆରୀ ୨୮ରେ ଆମେରିକାର ଆକ୍ରମଣରେ ମୋଜତାବା ଖାମେନି ଗୁରୁତର ହୋଇଥିଲେ । ମୁହଁ ଜଳିପୋଡ଼ି ଯାଇଥିବା ବେଳେ ତାଙ୍କର ଗୋଟିଏ କିମ୍ବା ଦୁଇଟି ଯାକ ଗୋଡ଼ ନଷ୍ଟ ହୋଇଯାଇଛି । କିନ୍ତୁ ଏବେ ତାଙ୍କର କ୍ଷତ ସୁଖୁଛି ଏବଂ ସେ ସବୁ ପ୍ରସଙ୍ଗରେ ସକ୍ରିୟ ଭାବରେ ନିଜର ମତ ଦେଉଥିବା କୁହାଯାଉଛି । ତେବେ ଏହି ଆକ୍ରମଣରେ ଇରାନର ତତ୍କାଳୀନ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନିଙ୍କ ସମେତ ତାଙ୍କ ପରିବାରର ବହୁ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା । ହେଲେ ମରୁ ମରୁ ବଞ୍ଚିଯାଇଥିଲେ ଖାମେନିଙ୍କ ପୁଅ ତଥା ବର୍ତ୍ତମାନ ଇରାନର ସର୍ବୋଚ୍ଚ ନେତା ମୋଜତାବା ।

ଫେବୃଆରୀ ୨୮ ତାରିଖରେ କେନ୍ଦ୍ରୀୟ ତେହେରାନରେ ଥିବା ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନିଙ୍କ ବାସଭବନ ପରିସରରେ ଏହି ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ଖାମେନିଙ୍କ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣରେ ମୋଜତାବା ଖାମେନି ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁହଁରେ ଗଭୀର କ୍ଷତ ଚିହ୍ନ ସୃଷ୍ଟି ହୋଇଥିବା ବେଳେ ଗୋଟିଏ କିମ୍ବା ଦୁଇଟି ଯାକ ଗୋଡ଼ରେ ଆଘାତ ଲାଗିଥିଲା।

Also Read: ଇରାନର କ’ଣ ସେହି ସର୍ତ୍ତ ଯାହାକୁ ମାନି ନେଇଛି ଆମେରିକା, ଏବେ ଖୋଲିବ କି ହର୍ମୁଜ?

ପୂର୍ବରୁ ମୋଜତାବା ଗୁରୁତର ଆହତ ଥିବା ସହ କୋମାରେ ଥିବା ନେଇ ଖବର ମିଳିଥିଲା । ଏବେ ରଏଟର୍ସ ତାଙ୍କ ନିକଟତମ ସୂତ୍ରରୁ ପାଇଥିବା ସୂଚନା ଆଧାରରେ ରିପୋର୍ଟ କରିଛି ଯେ, ଆଘାତ ସତ୍ତ୍ୱେ, ମୋଜତାବା ମାନସିକ ଭାବରେ ସକ୍ରିୟ ଏବଂ ସମସ୍ତ ମାମଲାରେ ସକ୍ରିୟ ଭାବରେ ଜଡିତ । ସୂତ୍ର ଅନୁସାରେ, ସେ ଅଡିଓ କନଫରେନ୍ସିଂ ମାଧ୍ୟମରେ ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକରେ ଅଂଶଗ୍ରହଣ କରନ୍ତି । ଯୁଦ୍ଧ ଏବଂ ଆମେରିକା ସହିତ ଆଲୋଚନା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବାରେ ଭୂମିକା ନିର୍ବାହ କରୁଛନ୍ତି ମୋଜତାବା ।

ସର୍ବୋଚ୍ଚ ନେତା ହେବା ପରଠାରୁ ମୋଜତାବାଙ୍କ ଦେଖାନାହିଁ

ଫେବୃଆରୀ ୨୮ ତାରିଖରେ ଆୟାତୋଲ୍ଲା ଅଲି ଖାମେନିଙ୍କ ମୃତ୍ୟୁ ପରେ, ମାର୍ଚ୍ଚ ୮ ତାରିଖରେ ମୋଜତାବା ଖାମେନି ଇରାନର ନୂତନ ସର୍ବୋଚ୍ଚ ନେତା ଭାବରେ ନିର୍ବାଚିତ ହୋଇଥିଲେ। ସେବେଠାରୁ ତାଙ୍କର କୌଣସି ଫଟୋ, ଭିଡିଓ କିମ୍ବା ଅଡିଓ ରେକର୍ଡିଂ ପ୍ରକାଶିତ ହୋଇନାହିଁ । ଏହା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବହୁ ଆଶଙ୍କା ପ୍ରକାଶ ପାଇଥିଲା । ଇରାନ ଏପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆନୁଷ୍ଠାନିକ ଭାବରେ କୌଣସି ମତାମତ ଦେଇନାହିଁ। ଏହି ସମୟରେ, ଏକ ଆମେରିକୀୟ ଗୁପ୍ତଚର ସୂତ୍ର ରଏଟର୍ସକୁ କହିଛି ଯେ, ମୋଜତାବା ଗୋଟିଏ ଗୋଡ ହରାଇଛନ୍ତି । ମାର୍ଚ୍ଚ ୧୩ରେ ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ କହିଥିଲେ ଯେ, ସେ ଆହତ ହୋଇଛନ୍ତି ଏବଂ ତାଙ୍କର ମୁହଁରେ ଆଘାତ ଲାଗିଥାଇପାରେ।