ଗୋପାଳପୁର: ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା (ଜେଡ୍ଏସ୍ଆଇ) ଗୋପାଳପୁର କେନ୍ଦ୍ର ପକ୍ଷରୁ ନୂତନ ପ୍ରଜାତିର ମାଛ - ବାଥିମାଇରସ୍ ପର୍ପ୍ଲେକ୍ସସ୍ ଚିହ୍ନଟ ହୋଇଛି । ୨୦୨୧ ମସିହାରେ ପ୍ରଥମ କରି ପାରାଦ୍ଵୀପ ଉପକୂଳରୁ ଏହା ମିଳିଥିଲା । ୨୦୨୫ ମଧ୍ୟରେ ଏହି ପ୍ରଜାତିର ମାଛ ପଶ୍ଚିମବଙ୍ଗ, ଗୋଦାବରୀ, କାକିନାଡ଼ାରୁ ଏହି ପ୍ରଜାତିର ୩୨ଟି ମାଛ ମିଳିଥିଲା । ୨୦୨୧ରୁ ନମୁନା ସଂରକ୍ଷଣ ରଖାଯାଇଥିବାବେଳେ ୨୦୨୫ରେ ପୁଣି ପାରାଦ୍ଵୀପରୁ ଏହି ପ୍ରଜାତିର ମାଛ ମିଳିଥିଲା ।

ଗୋପାଳପୁର ଜେଏସ୍ଆଇରେ ଡ.ସ୍ମୃତିରେଖା ଆଚାର୍ଯ୍ୟ, ଡ. ଦୀପାଞ୍ଜନ ରାୟ, ଡ.ସ୍ୱରୂପ ରଞ୍ଜନ ମହାନ୍ତି, ଶୁଭେନ୍ଦୁ ଶେଖର ମିଶ୍ର, ଡ.ଜିତେନ୍ଦ୍ର କୁମାର ସୁନ୍ଦରରାୟ ଓ ଡ.ଅନିଲ ମହାପାତ୍ର ମିଳିତ ଭାବେ ବିଭିନ୍ନ ପରୀକ୍ଷାନିରୀକ୍ଷା ସହ ଡିଏନ୍ଏ ଯାଞ୍ଚ କରିଥିଲେ । ଏହାର ବିସ୍ତୃତ ତଥ୍ୟ ଆମେରିକାର ବୁଲେଟିନ୍ ଅଫ୍ ମେରାଇନ୍ ସାଇନ୍ସକୁ ପଠାଯାଇଥିଲା । ସେଠାରେ ବିଶିଷ୍ଟ ବୈଜ୍ଞାନିକମାନେ ଏହା ଉପରେ ଆଲୋଚନା ପର୍ଯ୍ୟାଲୋଚନା କରି ଏକ ନୂତନ ପ୍ରଜାତି ବୋଲି ସ୍ୱୀକୃତି ଦେଇଥିଲେ । ଗତ ୨୪ ତାରିଖରେ ଏନେଇ ଆଲେଖ୍ୟ ଅର୍ନ୍ତଜାତୀୟ ସାମୁଦ୍ରିକ ବିଜ୍ଞାନ ପତ୍ରିକାରେ ପ୍ରକାଶ ପାଇଛି ।

ଏହି ମାଛ ଉପକୂଳର ପ୍ରାୟ ୫୦ରୁ ୧୦୦ ମିଟର ଗଭୀର ଜଳରେ ଦେଖାଯାଏ । ଶରୀର ଲମ୍ବା ଓ ନଳାକାର । ମୁଣ୍ଡ ଓ ନାକ ଅଗ୍ରଭାଗର ଗଠନ ସ୍ୱତନ୍ତ୍ର । ଶରୀରର ରଙ୍ଗ ଗୋଲାପୀରୁ ମେଘାଛନ୍ନ ଗୋଲାପୀ ରଙ୍ଗର ହୋଇଥାଏ । ମୁଣ୍ଡ ଉପର ଭାଗରେ କଳା ରଙ୍ଗର ଅଧିକ ପିଗମେଣ୍ଟ୍ ଥିବା ସହ ଆଖିରୁ ନାକ ପର୍ଯ୍ୟନ୍ତ କଳା ଦାଗ ଦେଖାଯାଏ । ଏହାର ଡର୍ସାଲ୍ ଓ ଆନାଲ୍ ଫିନ୍ ବାହ୍ୟ ସୀମାରେ ସରୁ କଳା ଧାର ରହିଥାଏ । ଏହିସବୁ ବିଶେଷ ଆକୃତିଗତ ଲକ୍ଷଣଗୁଡ଼ିକ ଏହି ମାଛକୁ ନିକଟ ସମ୍ପର୍କୀୟ ପ୍ରଜାତି ଠାରୁ ଅଲଗା କରିଥାଏ । ଏହାର ପାଟିରେ ତଳ ମାଢ଼ି ଓ ଉପର ମାଢ଼ି ସମେତ ମୁଣ୍ଡ ଭାଗରେ ଦାନ୍ତ ରହିଛି । ଏହି ମାଛ ବିଷାକ୍ତ ନୁହନ୍ତି । ଏହାକୁ ପରୀକ୍ଷାଗାରରେ ରଖାଯାଇ ଅଧିକ ଗବେଷଣା ଜାରି ରହିଥିବା ଜେଡ୍ଏସ୍ଆଇ ବୈଜ୍ଞାନିକ ଡ.ଅନିଲ ମହାପାତ୍ର କହିଛନ୍ତି ।