ଭୁବନେଶ୍ୱର, ୦୮/୧୦ : ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଆଣ୍ଡାମାନ ସାଗରରେ ଲଘୁଚାପ ହୋଇପାରେ। କିନ୍ତୁ ଏହା କେତେ ଶକ୍ତିଶାଳୀ ହେବ ଆଉ କେଉଁ ଦିଗକୁ ଯିବ, ତାହା ଏବେଠୁ କହିବା ମୁସ୍କିଲ। ପୂର୍ବ - ମଧ୍ଯ ବଙ୍ଗୋପସାଗରରେ ଲଘୁ ଚାପ ହେଲେ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ। କିନ୍ତୁ ଓଡ଼ିଶା ଉପରେ ବିପଦର ବିଶେଷ ଆଶଙ୍କା ନାହିଁ। ବରିଷ୍ଠ ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ଆକଳନ କରିଛନ୍ତି।

ବିଶ୍ଵର ବିଭିନ୍ନ ପାଣିପାଗ ମଡେଲକୁ ଅନୁଶୀଳନ କରି ସେ କହିଛନ୍ତି, ବଙ୍ଗୋପସାଗରରେ ସିଷ୍ଟମ ଗଠନର ଆଶଙ୍କା ରହିଛି। ପୂର୍ବ ଅପେକ୍ଷା ଆଶଙ୍କା ବଢ଼ିଛି। ନ୍ୟାସନାଲ ଓସେନିକ୍ ଆଣ୍ଡ ଟମୋସ୍ପିୟରିକ୍ ଆଡମିନଷ୍ଟ୍ରେସନ (ଏନଓଏଏ) ପୂର୍ବାନୁମାନ ଅନୁସାରେ ଆସନ୍ତା ୧୪ରୁ ୨୦ ତାରିଖ ମଧ୍ଯରେ ଉତ୍ତର ଭାରତ ମହାସାଗରରେ ଘୂର୍ଣ୍ଣିବାତ୍ୟା ହୋଇପାରେ। ଏହା ସୃଷ୍ଟି ହେବାର ସମ୍ଭାବନା ୨୦ରୁ ୪୦% । ଲଘୁଚାପ ଗଠନ ପାଇଁ ପାଣିପାଗ ଅନୁକୂଳ ରହିଥିବା କୁହାଯାଇଛି।

Also Read :- ଆଜି ଓଡ଼ିଶା ବନ୍ଦ : ଗଡୁନି ଚକ ଅଖ, ଦୋକାନ ବଜାରରେ ବି ତାଲା

ସମ୍ଭାବ୍ୟ ଲଘୁଚାପ କେଉଁଠାରେ ସୃଷ୍ଟି ହେବ ଓ ଗଠିତ ହେବ ତାହା ଏବେଠୁ କହିବା ସହଜ ନୁହେଁ । ଭର୍ଟିକାଲ ୱିଣ୍ଡ ସିଅର ( ଲମ୍ବା ବାୟୁ ପ୍ରବାହର ପରିବର୍ତ୍ତନ) କମିଲେ ସମ୍ଭାବ୍ୟ ଲଘୁଚାପ ଅଧିକ ଶକ୍ତିଶାଳୀ ହୋଇପାରେ। ୮୫୦- ୨୦୦ ଏନପିଏ ସ୍ତରରେ ପବନର ବେଗ ଓ ଦିଗର ବ୍ୟବଧାନ କମି ଅନୁକୂଳ ହେଲେ ସିଷ୍ଟମ୍ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ବଢ଼ିବ । ତେବେ ୧୦ରୁ ୧୨ ତାରିଖ ବେଳକୁ ଲଘୁଚାପର କେତେ ପ୍ରଭାବୀ ହେବ, ସେ ଚିତ୍ର ଅଧିକ ସ୍ପଷ୍ଟ ହୋଇପାରେ।

ବଙ୍ଗୋପସାଗର ଉପରେ ମୌସୁମୀ ବାୟୁ ଦୁର୍ବଳ ହୋଇ ପବନର ଢାଞ୍ଚା ବଦଳୁଛି। ଭାରତ ମହାସାଗର ଉପରେ ଏମଜେଓ ଅଧିକ ଅନୁକୂଳ ହୋଇପାରେ। ଇସିଏମଡବଲୁଏଫ୍ ଓ ଜିଇଏଫଏସ୍ ମଡେଲ ଅନୁସାରେ, ଲଘୁଚାପ ଗଠନ ପାଇଁ ପରିବେଶ ଅନୁକୂଳ ଅଛି। ଏବେ ଓଡ଼ିଶା ଉପରେ ସିଧାସଳଖ ବିପଦର ଆଶଙ୍କା ନ ଥିବାରୁ ଭୟଭୀତ ନ ହେବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

ଚାଷୀମାନେ ସ୍ଥାନୀୟ ମାଟି ଓ ଫସଲର ଅବସ୍ଥା ଦେଖି ଚାଷ କାମ ଜାରି ରଖନ୍ତୁ। ମାଟି ଉପଯୁକ୍ତ ଥିଲେ ରବି ଫସଲ ପାଇଁ ଜମି ପ୍ରସ୍ତୁତି ଓ ବୁଣାବୁଣି ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ମାଟି ଶୁଖି ଯାଇଥିଲେ ଆବଶ୍ୟକତା ଅନୁସାରେ ଜଳସେଚନ କରିବାକୁ ମଧ୍ୟ କହିଛନ୍ତି।