ଭୁବନେଶ୍ୱର: ଗୁରୁ କେଳୁଚରଣ ପାର୍କ ଓ ପଟିଆ ରେଳ ଷ୍ଟେସନକୁ ସଂଯୋଗ କରୁଥିବା ୪୫ ମିଟର ଓସାରର 'ସାମଗ୍ରିକ ବିକାଶ ଯୋଜନା' (ସିଡିପି) ରାସ୍ତା ପାଇଁ ଶୁକ୍ରବାର ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଅଧ୍ୟକ୍ଷ ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ପ୍ରସ୍ତାବିତ ରାସ୍ତାଟିର ମୋଟ ଦୈର୍ଘ୍ୟ ୨.୩୮୭ କିଲୋମିଟର ହେବ ଏବଂ ଏହା ପଟିଆ, ଚନ୍ଦ୍ରଶେଖରପୁର ଓ ଗାଡ଼କଣ ମୌଜା ଦେଇ ଗତି କରିବ। 'ରାଇଟ୍ ସାଇଡ୍ ରୋଡ୍ ନେଟୱାର୍କ' (ଆରଏସଆରଏନ ) ଅଧୀନରେ ଏହା ପଟିଆ ରେଳ ଷ୍ଟେସନ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ପ୍ରଦାନ କରିବା ସହିତ ବ୍ୟସ୍ତବହୁଳ ଜୟଦେବ ବିହାର-ନନ୍ଦନକାନନ କରିଡର୍ ଦେଇ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ପଥ ମଧ୍ୟ ଯୋଗାଇବ।

୪୫ ମିଟର ଓସାର ବିଶିଷ୍ଟ 'ସାମଗ୍ରିକ ବିକାଶ ଯୋଜନା' (ସିଡିପି) ରାସ୍ତାଟି ଭୁବନେଶ୍ୱରର ଦ୍ରୁତ ବିକାଶଶୀଳ ଉତ୍ତର ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଟ୍ରାଫିକ୍ ସମସ୍ୟାକୁ ହ୍ରାସ କରିବ ବୋଲି ଆଶା କରାଯାଉଛି।

୫୫.୮୫ କୋଟି ଟଙ୍କା ଆନୁମାନିକ ବ୍ୟୟରେ ଏହି ଛଅ-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ ଏବଂ ଏହାକୁ ୧୮ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାବଦ୍ଧ ଭିତ୍ତିଭୂମିରେ ରାସ୍ତା ଆଲୋକୀକରଣ, ପାଦଚଲା ରାସ୍ତା (ଫୁଟପାଥ୍), ସ୍ୱତନ୍ତ୍ର ୟୁଟିଲିଟି କରିଡର୍ ଓ ଜଳ ନିଷ୍କାସନ ବ୍ୟବସ୍ଥା ଅନ୍ତର୍ଭୁକ୍ତ ରହିବ। ଯାହା ସଡ଼କ ସୁରକ୍ଷା, ପଥଚାରୀଙ୍କ ଚଳାଚଳ ଏବଂ ପରିବହନ ବ୍ୟବସ୍ଥାର ସାମଗ୍ରିକ କାର୍ଯ୍ୟଦକ୍ଷତାରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି।

ନୂତନ ରାସ୍ତା ଅଞ୍ଚଳରେ ଯାତାୟାତ ବ୍ୟବସ୍ଥାରେ ଯଥେଷ୍ଟ ଉନ୍ନତି ଆଣିବ ଏବଂ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଭିଡ଼ କମାଇବାରେ ସହାୟକ ହେବ। ଉନ୍ନତ ଯୋଗାଯୋଗ ବ୍ୟବସ୍ଥା ଯୋଗୁଁ ପଟିଆ ରେଳ ଷ୍ଟେସନକୁ ଯାତାୟାତ କରୁଥିବା ଯାତ୍ରୀମାନେ ମଧ୍ୟ ଉପକୃତ ହେବେ ବୋଲି ଏହି ଅବସରରେ ମନ୍ତ୍ରୀ ଶ୍ରୀ ମହାପାତ୍ର ଯୋଗଦେଇ କହିଥିଲେ।

ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବ ପରେ ସେ ଗାଡ଼କଣସ୍ଥିତ ‘ସୁଲଭ ଆବାସ ଯୋଜନା’ (ଏଏଚପି) ପ୍ରକଳ୍ପ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଥିଲେ। ବିଡିଏ ଦ୍ୱାରା ‘ଇଞ୍ଜିନିୟରିଂ, ପ୍ରୋକ୍ୟୁରମେଣ୍ଟ ଆଣ୍ଡ କନଷ୍ଟ୍ରକ୍ସନ୍’ (ଇପିସି) ପଦ୍ଧତିରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପରେ ମୋଟ ୬୮୦ଟି ଆବାସିକ ୟୁନିଟ୍ ରହିଛି। ସହରରେ ସୁଲଭ ଆବାସ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଯୋଗ୍ୟ ହିତାଧିକାରୀମାନଙ୍କୁ ଉନ୍ନତ ଆବାସିକ ସୁବିଧା ଯୋଗାଇଦେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ ଅଟେ ବୋଲି ମନ୍ତ୍ରୀ ଶ୍ରୀ ମହାପାତ୍ର କହିଥିଲେ।

କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ (ଉତ୍ତର) ସୁଶାନ୍ତ କୁମାର ରାଉତ, ସ୍ଥାନୀୟ କର୍ପୋରେଟର ଲକ୍ଷ୍ମୀପ୍ରିୟା ପରିଡ଼ା ଓ ସୁଷମା ସାହୁ, ବିଡିଏ ଉପାଧ୍ୟକ୍ଷ ଚଞ୍ଚଳ ରାଣା ଏବଂ ବିଡିଏର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।