ନୂଆଦିଲ୍ଲୀ : ଫ୍ଲାଇଦୁବାଇ ବିମାନର କକପିଟରେ ଘଟିଥିବା ଆକ୍ରମଣ ସମୟରେ ନିଜ ଜୀବନକୁ ବାଜିରେ ଲଗାଇ ବଞ୍ଚାଇଥିଲେ ଶତାଧିକ ଜୀବନ । ଆଉ ଏବେ ସେହି ବୀରତ୍ବର ମିଳିଛି ବଡ଼ ପରିଣାମ । ସମଗ୍ର ବିଶ୍ୱ ଆଗରେ ସମ୍ମାନିତ ହେବାକୁ ଯାଉଛନ୍ତି କ୍ୟାପଟେନ ସ୍ମିତ । ଯାତ୍ରୀଙ୍କ ଜୀବନ ରକ୍ଷା କରିଥିବା ଭାରତୀୟ ପାଇଲଟ୍ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସମ୍ମାନିତ କରିଛନ୍ତି। ଏହା ସହିତ ଆସନ୍ତା ଇସ୍ରାଏଲ୍ ସ୍ୱାଧୀନତା ଦିବସ ସମାରୋହରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ଉତ୍ସବୀୟ ମଶାଲ ପ୍ରଜ୍ୱଳନ ପାଇଁ ନିମନ୍ତ୍ରଣ କରିଛନ୍ତି।

ନିକଟରେ ନେତନ୍ୟାହୁ କ୍ୟାପ୍ଟେନ୍ ମଚ୍ଛାରଙ୍କ ସହ ଭିଡିଓ କଲ୍ରେ କଥା ହୋଇ ତାଙ୍କ ସାହସକୁ ପ୍ରଶଂସା କରିବା ସହ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ସେ ମଚ୍ଛାରଙ୍କୁ ଭାରତ, ଇସ୍ରାଏଲ୍ ଏବଂ ସମଗ୍ର ବିଶ୍ୱର ହିରୋ ବୋଲି କହିଥିଲେ। ସୂଚନା ଅନୁସାରେ, ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ କ୍ୟାପ୍ଟେନ୍ ମଚ୍ଛାରଙ୍କ ଉପରେ ତାଙ୍କ ସହ-ପାଇଲଟ୍ ଛୁରାରେ ଆକ୍ରମଣ କରିଥିଲେ। ଗୁରୁତର ଆହତ ହେବା ସତ୍ତ୍ୱେ ମଚ୍ଛାର କକପିଟ୍ର ଦ୍ୱାର ଖୋଲିବାରେ ସଫଳ ହୋଇଥିଲେ। ଏହାପରେ ଅନ୍ୟ କ୍ରୁ ସଦସ୍ୟ ଓ ଯାତ୍ରୀମାନେ ହସ୍ତକ୍ଷେପ କରିପାରିଥିଲେ ଏବଂ ବିମାନକୁ ସୁରକ୍ଷିତ ଭାବେ ଡାଇଭର୍ଟ କରାଯାଇଥିଲା। ଆଉ ଏକ ବଡ଼ ବିପଦରୁ ବର୍ତ୍ତିଯାଇଥିଲେ ଶତାଧିକ ଯାତ୍ରୀ ।

ନେତନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ୍ର ସ୍ୱାଧୀନତା ଦିବସରେ ମଶାଲ ପ୍ରଜ୍ୱଳନ ଏକ ବିଶେଷ ସମ୍ମାନ, ଯାହା ସାଧାରଣତଃ ଇସ୍ରାଏଲୀ ନାଗରିକଙ୍କ ପାଇଁ ରଖାଯାଇଥାଏ। ତେବେ ମଚ୍ଛାରଙ୍କ ସାହସିକତାକୁ ସମ୍ମାନ ଜଣାଇ ତାଙ୍କୁ ଏହି ସମାରୋହରେ ସାମିଲ କରିବାକୁ ସେ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ଭାରତ-ଇସ୍ରାଏଲ୍ ମଧ୍ୟରେ ରହିଥିବା ଘନିଷ୍ଠ ରଣନୈତିକ ସମ୍ପର୍କ ଏବଂ ପ୍ରତିରକ୍ଷା ସହଯୋଗ ଦୃଷ୍ଟିରୁ ଏହି ନିମନ୍ତ୍ରଣକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ପ୍ରଯୁକ୍ତି, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ଲଗାତାର ବୃଦ୍ଧି ପାଉଛି। ଇସ୍ରାଏଲ୍ର ସ୍ୱାଧୀନତା ଦିବସ ସମାରୋହରେ ଭାରତୀୟ ନେତୃତ୍ୱ ଓ ପ୍ରତିରକ୍ଷା କ୍ଷେତ୍ରର ପ୍ରତିନିଧିତ୍ୱ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିବ ବୋଲି କୂଟନୈତିକ ମହଳରେ ଆଶା ପ୍ରକାଶ ପାଇଛି । ଏହି ନିମନ୍ତ୍ରଣକୁ ଭାରତ-ଇସ୍ରାଏଲ୍ ସମ୍ପର୍କର ନୂଆ ଅଧ୍ୟାୟ ଭାବେ ଦେଖାଯାଉଛି।