ନୂଆଦିଲ୍ଲୀ: ୨୦୦ ବର୍ଷରୁ ଅଧିକ ସମୟ ଧରି ନେପାଳକୁ ତିବ୍ଦତ ସହିତ ଯୋଡ଼ୁଥିବା ହିମାଳୟର ଏକ ସଂକୀର୍ଣ୍ଣ ରାସ୍ତା କେବଳ ଗୋଟିଏ ପାହାଡ଼ିଆ ସଡ଼କ ହୋଇ ରହି ନ ଥିଲା । ପ୍ରାଚୀନ କାଳରେ ଏହି ରାସ୍ତା ଦେଇ ବ୍ୟବସାୟୀ, ତୀର୍ଥଯାତ୍ରୀ ଏବଂ ସେନା ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତାୟାତ କରୁଥିଲେ । ସମୟ ସହିତ ଏହି ରାସ୍ତା ନେପାଳ ଏବଂ ଚୀନ୍ ମଧ୍ୟରେ ବ୍ୟବସାୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଲା ।

ଅଗଷ୍ଟ ୨୬ ତାରିଖରେ ଆସିଥିବା ଭୟଙ୍କର ବନ୍ୟା ରସୁୱାଗଢ଼ୀ-କେରୁଙ୍ଗ ଗୁରୁତର ଭାବେ କ୍ଷତିଗ୍ରସ୍ତ କରିଛି । ବନ୍ୟା ଯୋଗୁଁ ଅନେକ ପୋଲ, ସଡ଼କ ଏବଂ ଅନ୍ୟାନ୍ୟ ଜରୁରି ସୁବିଧା ସୁଯୋଗ ଭାସିଯାଇଛି । ଏହାଦ୍ୱାରା ନେପାଳ ଏବଂ ଚୀନ୍ ମଧ୍ୟରେ ଆସିବା-ଯିବା କରିବାର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି ।

ରସୁୱାଗଢ଼ୀ-କେରୁଙ୍ଗ ମାର୍ଗ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ରସୁୱାଗଢ଼ୀ ନେପାଳର ରସୁୱା ଜିଲ୍ଲାରେ ଅବସ୍ଥିତ ଏବଂ ତିବ୍ଦତ ସୀମାର ନିକଟତର । ଚୀନ ପଟେ ଏହି ରାସ୍ତାରେ କେରୁଙ୍ଗ ସୀମା ଯାଞ୍ଚ ଚୌକି ରହିଛି । ଦୁଇ ଦେଶ ମଧ୍ୟରେ ଗମନାଗମନ ଏବଂ ସାମଗ୍ରୀ ପରିବହନ ପାଇଁ ଏହି ମାର୍ଗ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ରାସ୍ତା ଭୋଟେ କୋଶୀ ଏବଂ ତ୍ରିଶୂଳୀ ନଦୀର ଉପତ୍ୟକା ଦେଇ ଯାଇଛି । ଏଠାରେ ଉପତ୍ୟକାଗୁଡ଼ିକ ସଂକୀର୍ଣ୍ଣ । ଏହିସବୁ ଅଞ୍ଚଳରେ ଅନେକ ଗାଁ, ସଡ଼କ, ପୋଲ ଏବଂ ବ୍ୟବସାୟ ସମ୍ବନ୍ଧୀୟ ସୁବିଧାସୁଯୋଗ ଗଢ଼ିଉଠିଛି ।

ଏହି ଅଞ୍ଚଳର ଭୌଗୋଳିକ ସ୍ଥିତି ଗୋଟିଏ ପଟେ ଏହି ରାସ୍ତାକୁ ବହୁତ ଗୁରୁତ୍ୱପୂର୍ଣ୍ଣ କରିଥାଏ, ତ ଅନ୍ୟପଟେ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରତି ସମ୍ବେଦନଶୀଳ ମଧ୍ୟ କରିଥାଏ । ହିମାଳୟ ଅତିକ୍ରମ କରିବା ପାଇଁ ଏହାକୁ ଏକ ସହଜ ରାସ୍ତା ଭାବେ ବିଚାର କରାଯାଏ, କିନ୍ତୁ ନଦୀକୂଳରେ ନିର୍ମିତ ସଡ଼କ ଏବଂ ପୋଲଗୁଡ଼ିକ ବନ୍ୟା ଓ ଭୂସ୍ଖଳନ ଭଳି ଘଟଣାରେ ସହଜରେ କ୍ଷତିଗ୍ରସ୍ତ ହୋଇଥାନ୍ତି ।

Also Read:ନେପାଳ ବନ୍ୟା ବିଭୀଷିକା: ଭାରତ, ଚୀନ ସହଯୋଗ ନେବାକୁ କାହିଁକି ମନା କଲା କାଠମାଣ୍ଡୁ ?

'ଟାଇମ୍ସ ଅଫ୍ ଇଣ୍ଡିଆ' ଅନୁଯାୟୀ, ଏହି ରାସ୍ତା ୨୬୦ ବର୍ଷରୁ ଅଧିକ ସମୟ ଧରି ନେପାଳ ଏବଂ ତିବ୍ଦତ ମଧ୍ୟରେ ବ୍ୟବସାୟ ପାଇଁ ବ୍ୟବହୃତ ହୋଇଆସୁଛି । ଆଧୁନିକ ସୀମା ଯାଞ୍ଚ ଚୌକି ଏବଂ କଷ୍ଟମ୍ସ ବ୍ୟବସ୍ଥା ଆରମ୍ଭ ହେବାର ବହୁ ପୂର୍ବରୁ ମଧ୍ୟ ହିମାଳୟ ଅଞ୍ଚଳର ଅର୍ଥବ୍ୟବସ୍ଥା ପାହାଡ଼ିଆ ଘାଟି ଦେଇ ହେଉଥିବା ବ୍ୟବସାୟ ଉପରେ ନିର୍ଭରଶୀଳ ଥିଲା । ପୁରୁଣା ଦସ୍ତାବିଜ ଅନୁଯାୟୀ, ୧୭୪୪ ମସିହାରେ ଗୋର୍ଖା ଶାସକମାନେ ନୁୱାକୋଟ୍ ଦଖଲ କରିଥିଲେ । ଏହା ପଛରେ ଏହି ଅଞ୍ଚଳର ରଣନୈତିକ ସ୍ଥିତି ସହିତ ତିବ୍ଦତ ଯାଉଥିବା ବ୍ୟବସାୟିକ ରାସ୍ତାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମଧ୍ୟ ଅନ୍ୟତମ କାରଣ ଥିଲା । ପରବର୍ତ୍ତୀ ସମୟରେ ନେପାଳ ତିବ୍ଦତରେ କରିଥିବା ସାମରିକ ଅଭିଯାନ ସମୟରେ ମଧ୍ୟ ଏହି ହିମାଳୟ ମାର୍ଗର ବ୍ୟବହାର କରିଥିଲା । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଏହି ରାସ୍ତା ଶତାବ୍ଦୀ ଶତାବ୍ଦୀ ଧରି ବ୍ୟବସାୟ ସହିତ ସୁରକ୍ଷା ଏବଂ ରଣନୈତିକ ଦୃଷ୍ଟିକୋଣରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଆସିଛି ।