Nepal Bhote Koshi Floods: ନେପାଳରେ ଭୋଟେ କୋଶୀ ନଦୀର ଭୟଙ୍କର ବନ୍ୟା ପରେ ନିଖୋଜ ଲୋକଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିରେ ସହଯୋଗ କରିବାକୁ ଭାରତ, ଚୀନ, ଆମେରିକା ସମେତ ବିଭିନ୍ନ ଦେଶ ପକ୍ଷରୁ ଦିଆଯାଇଥିବା ହେଲିକପ୍ଟର ଓ ପ୍ରଶିକ୍ଷିତ ଉଦ୍ଧାରକାରୀ ଦଳର ସହାୟତା ନେବାକୁ ନେପାଳ ସରକାର ମନା କରିଦେଇଛନ୍ତି। ନିଜ ଦେଶର ସୁରକ୍ଷା ଏଜେନ୍ସିଗୁଡ଼ିକ ଉଦ୍ଧାର କାର୍ଯ୍ୟ ସମ୍ଭାଳିବାରେ ସକ୍ଷମ ବୋଲି କହିଛି କାଠମାଣ୍ଡୁ।

ବନ୍ୟାରେ ପ୍ରାୟ ୪୦୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩୦୦ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ନିଖୋଜଙ୍କ ମଧ୍ୟରେ ଶତାଧିକ ବିଦେଶୀ ନାଗରିକ ମଧ୍ୟ ରହିଛନ୍ତି। କୈଳାସ ମାନସରୋବର ଓ ଗୋସାଇଁକୁଣ୍ଡ ଯାତ୍ରାରେ ଯାଇଥିବା ଅନେକ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ଅନ୍ତତଃ ୮୪ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆହୁରି ଶତାଧିକ ଭାରତୀୟଙ୍କ ସମ୍ପର୍କ ମିଳୁନାହିଁ।

୨୦୧୫ ଭୂମିକମ୍ପରୁ ଶିକ୍ଷା

ବିଦେଶୀ ଉଦ୍ଧାରକାରୀ ଦଳକୁ ଅନୁମତି ନଦେବା ପଛରେ ୨୦୧୫ ମସିହାର ଭୟାବହ ଭୂମିକମ୍ପର ଅଭିଜ୍ଞତା ମୁଖ୍ୟ କାରଣ ବୋଲି ନେପାଳୀ ଅଧିକାରୀମାନେ କହିଛନ୍ତି। ୨୦୧୫ରେ ଭୂମିକମ୍ପ ପରେ ବିଭିନ୍ନ ଦେଶରୁ ବହୁ ସଂଖ୍ୟାରେ ଉଦ୍ଧାରକାରୀ ଦଳ, ସାମରିକ ବିମାନ ଓ ରିଲିଫ୍ ସଂଗଠନ ନେପାଳରେ ପହଞ୍ଚିଥିଲେ। ଏହା ନେପାଳର ଜରୁରୀକାଳୀନ କ୍ଷମତା ବଢ଼ାଇଥିଲା। କିନ୍ତୁ ଏକାସାଙ୍ଗରେ ଏତେ ବିଦେଶୀ ଦଳ ପହଞ୍ଚିବା ଯୋଗୁ ଲଜିଷ୍ଟିକ୍ସ ଓ ପ୍ରଶାସନିକ ସମନ୍ୱୟରେ ସମସ୍ୟା ସୃଷ୍ଟି ହୋଇଥିଲା।

Also Read- ଆରମ୍ଭ ହୋଇଗଲା ମହାପ୍ରଳୟ ! ଭୂମିକମ୍ପରେ ଥରିଲା ଆଉ ୨ ଦେଶ, ମାଡ଼ି ଆସିବ କି ସୁନାମି ?

ବିଦେଶୀ ଉଦ୍ଧାରକାରୀ ଦଳଗୁଡ଼ିକ ମଧ୍ୟରେ ସମନ୍ୱୟର ଅଭାବ ଏବଂ ସେମାନଙ୍କ ଗତିବିଧିକୁ ନିୟନ୍ତ୍ରଣ କରିବାରେ ଅସୁବିଧା ହୋଇଥିବାରୁ ଏଥର ନେପାଳ ସ୍ପଷ୍ଟ ଭାବେ ନିଜସ୍ୱ ଚେନ୍ ଅଫ୍ କମାଣ୍ଡ ମଧ୍ୟରେ ଉଦ୍ଧାର ଅଭିଯାନ ଚଳାଇବାକୁ ଚାହୁଁଛି।

ରିଲିଫ୍ ସାମଗ୍ରୀ ଓ ଆର୍ଥିକ ସହାୟତା ଗ୍ରହଣ କରୁଛି ନେପାଳ

ଉଦ୍ଧାରକାରୀ ଦଳକୁ ଅନୁମତି ନଦେଇଥିଲେ ମଧ୍ୟ ନେପାଳ ବିଦେଶୀ ଦେଶଗୁଡ଼ିକରୁ ରିଲିଫ୍ ସାମଗ୍ରୀ ଓ ଆର୍ଥିକ ସହାୟତା ଗ୍ରହଣ କରୁଛି। ଭାରତ ‘ପଡ଼ୋଶୀ ପ୍ରଥମ’ ନୀତି ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୧୦ ଟନ୍ ମାନବିକ ସହାୟତା ପଠାଇଥିଲା। ପରେ ସାମରିକ ପରିବହନ ବିମାନ ଯୋଗେ ଆଉ ୩୭.୫ ଟନ୍ ସାମଗ୍ରୀ ପଠାଯାଇଥିଲା।

ଭାରତୀୟ ବାୟୁସେନାର C-130J ଓ C-17 ବିମାନରେ ଅସ୍ଥାୟୀ ଆଶ୍ରୟସ୍ଥଳୀ, କମ୍ବଳ, ହାଇଜିନ୍ କିଟ୍, ସୋଲାର ଲ୍ୟାମ୍ପ, ଔଷଧ ଓ ଖାଦ୍ୟ ପ୍ୟାକେଟ୍ ପଠାଯାଇଛି। ବନ୍ୟାରେ ନଷ୍ଟ ହୋଇଥିବା ଛୋଟ-ବଡ଼ ଅନେକ ପୋଲର ପୁନର୍ନିର୍ମାଣ ପାଇଁ ଭାରତ ବେଲି ବ୍ରିଜ୍ ଓ ପ୍ରିଫାବ୍ରିକେଟେଡ୍ ଟ୍ରସ୍ ବ୍ରିଜ୍ ଯୋଗାଇବାକୁ ମଧ୍ୟ ପ୍ରସ୍ତାବ ଦେଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ନେପାଳ ଯେଉଁ ସହାୟତା ଚାହିଁଛି, ଭାରତ ସେହି ଅନୁଯାୟୀ କାର୍ଯ୍ୟ କରୁଛି।

ବିଦେଶୀ ସହାୟତା ପାଇଁ ‘ୱାନ୍-ଡୋର୍’ ବ୍ୟବସ୍ଥା

ବିଦେଶରୁ ମିଳୁଥିବା ଆର୍ଥିକ ସହାୟତାକୁ କେନ୍ଦ୍ରୀଭୂତ କରିବା ପାଇଁ ନେପାଳ ସରକାର ‘ୱାନ୍-ଡୋର୍ ମେକାନିଜମ୍’ ଲାଗୁ କରିଛି। ବିଦେଶରେ ଥିବା ନେପାଳୀ ଦୂତାବାସ ଓ ମିଶନଗୁଡ଼ିକୁ କେବଳ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡ୍ ମାଧ୍ୟମରେ ଆର୍ଥିକ ସହାୟତା ସଂଗ୍ରହ କରିବାକୁ କୁହାଯାଇଛି। ଗୋଟିଏ ସ୍ଥାନରୁ ସବୁ ଅପରେଟ ହେଲା ଯେଉଁଠାରେ ଅଧିକ ଆବଶ୍ୟକତା ରହିଛି, ସେଠାରେ ସମ୍ବଳ ପହଞ୍ଚାଇବା ସହଜ ହେବ ବୋଲି ସରକାର ଆଶା କରୁଛି।

ଆମେରିକା, ବ୍ରିଟେନ୍ ଓ ବିଶ୍ୱ ବ୍ୟାଙ୍କ ସହାୟତା ଘୋଷଣା କରିଥିବାବେଳେ ଏସିଆନ୍ ଡେଭଲପମେଣ୍ଟ ବ୍ୟାଙ୍କ ଜରୁରୀକାଳୀନ ସହାୟତା ସହ ଭବିଷ୍ୟତରେ ବିପଦ ମୂଲ୍ୟାଙ୍କନ, ପ୍ରାରମ୍ଭିକ ସତର୍କତା ବ୍ୟବସ୍ଥା ଓ ଦୃଢ଼ ଭିତ୍ତିଭୂମି ପାଇଁ ସହଯୋଗର ପ୍ରସ୍ତାବ ଦେଇଛି।

ବିଦେଶୀ ନାଗରିକଙ୍କ ପାଇଁ ଗଠନ ହେଲା ବିଶେଷ ଟିମ୍

ବିଦେଶୀ ନାଗରିକଙ୍କ ସନ୍ଧାନ, ଉଦ୍ଧାର ଓ ସୂଚନା ସମନ୍ୱୟ ପାଇଁ ନେପାଳର ବୈଦେଶିକ ମନ୍ତ୍ରଣାଳୟ ଏକ Emergency Response Team (ERT) ଗଠନ କରିଛି। ଏହି ଟିମ୍ ବନ୍ୟା ପ୍ରଭାବିତ, ନିଖୋଜ କିମ୍ବା ଅନ୍ୟ ଭାବେ ପ୍ରଭାବିତ ବିଦେଶୀ ନାଗରିକଙ୍କ ସମ୍ପର୍କରେ ସୂଚନା ଯାଞ୍ଚ, ସନ୍ଧାନ-ଉଦ୍ଧାର ଓ କନସୁଲାର ସହାୟତାର କେନ୍ଦ୍ରୀୟ ସମନ୍ୱୟକାରୀ ଭାବେ କାର୍ଯ୍ୟ କରିବ।

ନେପାଳ ପର୍ଯ୍ୟଟନ ବିଭାଗର ତଥ୍ୟ ଅନୁଯାୟୀ, ୩୪ଟି ଦେଶର ୬୬୮ ଜଣ ପର୍ଯ୍ୟଟକଙ୍କ ସହ ବୁଧବାରଠାରୁ ସମ୍ପର୍କ ହୋଇପାରି ନାହିଁ। ଭାରତୀୟ ସୂଚନା ଅନୁଯାୟୀ, ନେପାଳରେ ଅନ୍ତତଃ ୨୯୦ ଭାରତୀୟ ନିଖୋଜ କିମ୍ବା ଯୋଗାଯୋଗ ବାହାରେ ଅଛନ୍ତି।

୨୦୧୫ରେ ‘ଅପରେସନ୍ ମୈତ୍ରୀ’ରେ ଭାରତର ବଡ଼ ଭୂମିକା

Also Read :-ନେପାଳ ବନ୍ୟା : ମୃତ୍ୟୁସଂଖ୍ୟା ୫୦୦ ଛୁଇଁବ ! ୧୫୦୦ ଜଣଙ୍କ ପତ୍ତା ମିଳୁନି

୨୦୧୫ରେ ନେପାଳରେ ହୋଇଥିବା ୭.୮ ତୀବ୍ରତାର ଭୂମିକମ୍ପ ପରେ ଭାରତ ଅଗ୍ରଣୀ ଭୂମିକା ନେଇଥିଲା। ‘ଅପରେସନ୍ ମୈତ୍ରୀ’ ଅଧୀନରେ ଭାରତୀୟ ବାୟୁସେନାର ବିମାନ ଓ ହେଲିକପ୍ଟର ରିଲିଫ୍ ସାମଗ୍ରୀ ପହଞ୍ଚାଇବା, ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଓ ଭୂମିକମ୍ପରେ ବିଚ୍ଛିନ୍ନ ଅଞ୍ଚଳକୁ ସହାୟତା ପହଞ୍ଚାଇବାରେ ନିୟୋଜିତ ହୋଇଥିଲା। ଏହା ସହ ଭାରତ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF), ଡାକ୍ତରୀ ଟିମ୍, ଇଞ୍ଜିନିୟର ଓ ସନ୍ଧାନୀ କୁକୁର ଦଳକୁ ମଧ୍ୟ ନେପାଳ ପଠାଇଥିଲା।

ତେବେ ଏଥର ନେପାଳ ସରକାର ବିଦେଶୀ ଉଦ୍ଧାରକାରୀ ଦଳକୁ ଅନୁମତି ନଦେଇ ନିଜ ସୁରକ୍ଷା ବଳ ମାଧ୍ୟମରେ ଅଭିଯାନ ଜାରି ରଖିଛି। ଅର୍ଥାତ୍, ବିଦେଶୀ ସହାୟତାକୁ ନା କୁହାଯାଇ ନାହିଁ; ବରଂ ଉଦ୍ଧାର ଅଭିଯାନରେ ବିଦେଶୀ ଦଳର ସିଧାସଳଖ ଭୂମିକାକୁ ନେପାଳ ଏଡ଼ାଇ ଦେଇଛି।