ନୂଆଦିଲ୍ଲୀ : ନେପାଳର ଭୟଙ୍କର ବନ୍ୟା ଓ ଭୂସ୍ଖଳନ ଯେତେବେଳେ ମୃତ୍ୟୁର ତାଣ୍ଡବ ରଚିଥିଲା,ଚାରିଆଡ଼େ ଥିଲା କେବଳ ହାହାକାର। ଜୀବନ ବଞ୍ଚାଇବାକୁ ଲୋକମାନେ ଆକାଶକୁ ଚାହିଁ ରହିଥିଲେ । ଠିକ ସେତେବେଳେ ଆକାଶରୁ ଆଶାର ଆଲୋକ ସାଜି ଆସିଥିଲେ ଜଣେ ବାହାଦୂର୍ ମହିଳା । ସେ ଏମିତି ଜଣେ ମହିଳା ଯାହାଙ୍କ ପାଇଁ ଆଜି ବଞ୍ଚିଯାଇଛି କେତେ ମୂଲ୍ୟବାନ ଜୀବନ । ନେପାଳରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ଅନେକ ଅଞ୍ଚଳକୁ ଧ୍ୱଂସସ୍ତୂପରେ ପରିଣତ କରିଦେଇଥିଲା। କେଉଁଠି ଘର ମାଟିରେ ମିଶିଯାଇଥିଲା, ତ ଆଉ କେଉଁଠି କାଦୁଅ ଭିତରେ ଫସି ରହିଥିଲେ ଅସହାୟ ଲୋକେ। ଆଉ ସେହି କାଦୁଅ ଓ ଧ୍ୱଂସସ୍ତୂପ ମଧ୍ୟରୁ ଅନେକ ଜୀବନକୁ ମୃତ୍ୟୁମୁଖରୁ ଫେରାଇ ଆଣିଛନ୍ତି ଏହି ସାହସୀ ମହିଳା। ଲଗାତାର ୬ ଦିନ ଆକାଶରେ ଉଡ଼ି ୧୦୦ ଟି ଉଦ୍ଧାର କାର୍ଯ୍ୟକୁ ସଫଳତାର ସହ ସମ୍ପାଦନ କରିଥିଲେ । ଜୀବନ ପ୍ରତି ଡର ଥିଲେ ମଧ୍ୟ ଟିକେ ହେଲେ ବି ଡ଼ରିନଥିଲେ । ସେହି ସାହସୀ ମହିଳା ଜଣକ ହେଉଛନ୍ତି ଦେଶର ପ୍ରଥମ ମହିଳା ହେଲିକପ୍ଟର କ୍ୟାପଟେନ୍ ପ୍ରିୟା ଅଧିକାରୀ ।

ପ୍ରଚଣ୍ଡ ବର୍ଷା,ପବନ ଓ ପାହାଡ଼ିଆ ସ୍ଥାନ ମଧ୍ୟରେ ହେଲିକପ୍ଟର ଉଡ଼ାଇବା ଆଦୌ ସହଜ ନଥିଲା । ପ୍ରତି ମୁହୂର୍ତ୍ତରେ ଥିଲା ବିପଦ। ତଥାପି ନିଜ ଜୀବନକୁ ଖାତିର ନକରି ମହିଳା ଜଣକ ଲଗାତାର ଉଦ୍ଧାର ଅଭିଯାନରେ ସାମିଲ ହୋଇଥିଲେ। ହେଲିକପ୍ଟରର କକ୍ପିଟ୍ରେ ବସିଥିବା ପ୍ରିୟାଙ୍କ ସାମ୍ନାରେ ଥିଲା ଏକମାତ୍ର ଲକ୍ଷ୍ୟ ଯେମିତି ହେଉ, ଜୀବନ ବଞ୍ଚାଇବାକୁ ପଡ଼ିବ। କୁହାଯାଉଛି, ମାତ୍ର ୬ ଦିନ ମଧ୍ୟରେ ସେ ପ୍ରାୟ ୧୦୦ଟି ଉଦ୍ଧାର ଅଭିଯାନରେ ସଫଳତାର ସହ ଭୂମିକା ନେଇଥିଲେ। ଯେଉଁଠି ସଡ଼କ ନଥିଲା, ଯେଉଁଠି ଉଦ୍ଧାରକାରୀ ଦଳ ପହଞ୍ଚିବା ଅସମ୍ଭବ ଥିଲା, ସେହି ଦୁର୍ଗମ ପାହାଡ଼ିଆ ଅଞ୍ଚଳକୁ ହେଲିକପ୍ଟର ନେଇ ପହଞ୍ଚୁଥିଲେ ପ୍ରିୟା। ତଳେ ଥିଲା କାଦୁଅର ସମୁଦ୍ର, ଭାଙ୍ଗି ଯାଇଥିବା ଘର ଓ ଧ୍ୱଂସର ଭୟଙ୍କର ଚିତ୍ର। କିନ୍ତୁ ସେହି ଧ୍ୱଂସସ୍ତୂପ ମଧ୍ୟରେ ଥିଲା ଜୀବନର ଶେଷ ଆଶା। ହେଲିକପ୍ଟରର ଶବ୍ଦ ଶୁଣିଲେ ଅସହାୟ ଲୋକଙ୍କ ଆଖିରେ ଫେରି ଆସୁଥିଲା ବଞ୍ଚିବାର ସ୍ୱପ୍ନ। କେହି ଛାତ ଉପରେ ଅପେକ୍ଷା କରିଥିଲେ, ତ ଆଉ କେହି ପାହାଡ଼ ମଝିରେ ଫସି ରହିଥିଲେ। ସେହି ସମସ୍ତ ଲୋକଙ୍କ ପାଇଁ ପ୍ରିୟା ଅଧିକାରୀ ପାଲଟିଥିଲେ ଜଣେ ଦେବଦୂତ।

Also Read : LACରେ ଭାରତର ‘ମାଷ୍ଟରପ୍ଲାନ୍’ ! ଚୀନ୍ ସୀମାକୁ ଅସ୍ତ୍ର ପହଞ୍ଚାଇବାକୁ ତିଆରି ହେଉଛି ନୂଆ ମାର୍ଗ

ଏଭଳି ଜଟିଳ ପରିସ୍ଥିତିରେ ମଧ୍ୟ ପାଇଲଟମାନଙ୍କୁ ଇଞ୍ଜିନ୍ ବନ୍ଦ ନ କରି କାଦୁଅ ଉପରେ ହେଲିକପ୍ଟର ଭାସମାନ ଅବସ୍ଥାରେ ରଖି ଲୋକଙ୍କୁ ଉଦ୍ଧାର କରିବାକୁ ପଡ଼ିଥିଲା। ଆକାଶ ମାର୍ଗରୁ ଦେଖାଯାଉଥିବା ଭଗ୍ନସ୍ତୂପ ଏବଂ ଶବଗୁଡ଼ିକ ମନରେ ଗଭୀର ପ୍ରଭାବ ପକାଉଥିଲେ ମଧ୍ୟ ଜୀବନ୍ତ ବଞ୍ଚିଯାଇଥିବା ଲୋକଙ୍କ ଆଶାଭରା ଆଖି ଓ ହାତ ହଲାଇ ସ୍ୱାଗତ କରିବା ଦୃଶ୍ୟ ତାଙ୍କୁ ପୁନର୍ବାର ଉଡ଼ାଣ ଭରିବା ପାଇଁ ଶକ୍ତି ଯୋଗାଉଥିଲା। ପ୍ରତ୍ୟେକ ଉଡ଼ାଣ ଥିଲା ଏକ ନୂଆ ଚ୍ୟାଲେଞ୍ଜ। କିନ୍ତୁ ପ୍ରିୟାଙ୍କ ପାଇଁ ଭୟଠାରୁ ବଡ଼ ଥିଲା ମଣିଷର ଜୀବନ। ତାଙ୍କ ସାହସ କେବଳ ଜଣେ ପାଇଲଟ୍ର କର୍ତ୍ତବ୍ୟ ନୁହେଁ, ବରଂ ମାନବିକତାର ଏକ ଅନନ୍ୟ ଉଦାହରଣ ପାଲଟିଛି । ଆଜି ନେପାଳର ସେହି ଭୟଙ୍କର ବିପର୍ଯ୍ୟୟର ଅନେକ ଦୁଃଖଦ କାହାଣୀ ମଧ୍ୟରେ ପ୍ରିୟା ଅଧିକାରୀଙ୍କ କାହାଣୀ ଆଶାର ଏକ ନୂଆ ଅଧ୍ୟାୟ ଲେଖିଛି। ସେ ପ୍ରମାଣ କରିଛନ୍ତି ସାହସ ଥିଲେ ଭୟଙ୍କର ପରିସ୍ଥିତିକୁ ମଧ୍ୟ ଜିତିହେବ । ଆଉ ମାନବିକତା ଥିଲେ ଧ୍ୱଂସସ୍ତୂପ ମଧ୍ୟରୁ ମଧ୍ୟ ଜୀବନକୁ ଫେରାଇ ଅଣାଯାଇପାରେ।