ବାଙ୍କୀ: ବାଙ୍କୀ ବ୍ଲକରେ ଆଜି କଟକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ସ୍ଵାମୀଙ୍କ ମୃତ୍ୟୁ ପରେ ସରକାରୀ ସହାୟତା ପାଇଁ ବାରମ୍ବାର ଦୌଡ଼ିବା ପରେ ବି କେହି ନ ଶୁଣିବାରୁ ଶେଷରେ ମହିଳା ଜଣକ କଟକ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୂତି ଉଦ୍ୟମ କରିଛନ୍ତି।

ସୂଚନା ଅନୁଯାୟୀ, ଦୁଇ ବର୍ଷ ପୂର୍ବେ ସ୍ବାମୀ ମରିଯିବା ପରେ ସରକାରୀ ସହାୟତା ପାଇଁ ବାରମ୍ବାର ବ୍ଲକ୍ ପରିସରରେ ସରକାରୀ ସହାୟତା ପାଇଁ ଚକ୍କର କାଟିଥିଲେ ମହିଳା। ଏମିତି କି ଦୁଇ ଦୁଇ ଥର ଜିଲ୍ଲାପାଳଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ। କିନ୍ତୁ ବ୍ଲକ୍ ଅଧିକାରୀଙ୍କ ପକ୍ଷରୁ କୌଣସି ସହାୟତା ମିଳିନଥିଲା। ଯାହାର ପରିଣାମ ସ୍ୱରୂପ ଆଜି ମହିଳା ଜଣକ ସମ୍ପୂର୍ଣ୍ଣ ଅସହାୟ ମନେକରି ନିଜ ଛୋଟ ପୁଅକୁ ନେଇ ଜିଲ୍ଲାପାଳଙ୍କ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି କରିବାକୁ ପ୍ରୟାସ କରିଥିଲେ। ପୋଲିସ ଓ ସୁରକ୍ଷା କର୍ମୀ ତାଙ୍କୁ ଉଦ୍ଧାର କରିଥିଲେ। ପରେ ଜିଲ୍ଲାପାଳ ତାଙ୍କୁ ସହାୟତା କରାଯିବ ବୋଲି କହିଥିଲେ।