ବ୍ରହ୍ମପୁର ୧।୧୧: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାବାସୀଙ୍କ ପାଇଁ ଜରୁରୀ ସତର୍କ ସୂଚନା ଜାରି କରିଛି ଜିଲ୍ଲା ପ୍ରଶାସନ । ନଭେମ୍ବର ୨, ୩ ଓ ୪ ତାରିଖରେ ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ପରିସ୍ଥିତି ଉପୁଜିପାରେ । ତେଣୁ ନଦୀକୂଳ, ତଳିଆ ଅଞ୍ଚଳ ଓ ବିପଦସଙ୍କୁଳ ସ୍ଥାନରେ ରହୁଥିବା ଲୋକମାନେ ସତର୍କ ରୁହନ୍ତୁ। ପ୍ରଶାସନର ନିର୍ଦ୍ଦେଶ ମାନି ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀ କିମ୍ବା ସୁରକ୍ଷିତ ସ୍ଥାନକୁ ଚାଲିଯାଆନ୍ତୁ ।

ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଅସୁସ୍ଥ ବ୍ୟକ୍ତିଙ୍କୁ ଆଗୁଆ ସୁରକ୍ଷିତ ସ୍ଥାନକୁ ନେଇଯାଆନ୍ତୁ । ମତ୍ସ୍ୟଜୀବୀମାନେ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ ସମୁଦ୍ରକୁ ଯାଆନ୍ତୁ ନାହିଁ। ପ୍ରବାହିତ ନଦୀ, ନାଳ କିମ୍ବା ଜଳମଗ୍ନ ରାସ୍ତା ପାର ହୁଅନ୍ତୁ ନାହିଁ। ବିଦ୍ୟୁତ୍ ଖୁଣ୍ଟ, ତାର ଓ ବଡ଼ ଗଛଠାରୁ ଦୂରେଇ ରୁହନ୍ତୁ ।

Also Read:- ୬ ଘଣ୍ଟାରେ ବାତ୍ୟା ! ପୁଣି ଗଞ୍ଜାମ-ଗଜପତିକୁ ଡରାଇଲାଣି, ୩ରୁ ୫ ଯାଏଁ ଛାଡ଼ିବନି ବର୍ଷା

ଘରେ ଆବଶ୍ୟକ ପରିମାଣର ଶୁଖିଲା ଖାଦ୍ୟ, ପିଇବା ପାଣି, ଔଷଧ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖନ୍ତୁ । ପିଇବା ପାଣିକୁ ଫୁଟାଇ ବ୍ୟବହାର କରନ୍ତୁ। ଗୃହପାଳିତ ପଶୁଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ । କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । କେବଳ ପ୍ରଶାସନ ଓ ପାଣିପାଗ ବିଭାଗର ସରକାରୀ ସୂଚନାକୁ ଅନୁସରଣ କରନ୍ତୁ । ମନେରଖନ୍ତୁ, ଆପଣଙ୍କ ଜୀବନ ଅମୂଲ୍ୟ । ଟିକିଏ ସତର୍କତା ଆପଣଙ୍କ ଜୀବନ ବଞ୍ଚାଇପାରେ । ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ।