ମାଲକାନଗିରି: ଜାଳେଣି କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଯୁବକ। ଏହି ଆକ୍ରମଣରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକର ସାଧୁ ପାଙ୍ଗି ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ, ମୁହଁ ଓ ଦୁଇ ହାତରେ ଗଭୀର ଆଘାତ ଲାଗିଛି। ପ୍ରଥମେ ତାଙ୍କୁ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ଗୁରୁତର ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ଗୁରୁବାର ସକାଳେ ସାଧୁ ପାଙ୍ଗି ଜାଳେଣି କାଠ ସଂଗ୍ରହ କରିବା ପାଇଁ ପୋଟ୍ରେଲ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ସେଠାରେ କାଠ ସଂଗ୍ରହ କରୁଥିବା ସମୟରେ ହଠାତ୍ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭାଲୁର ଆକ୍ରମଣରେ ସେ ଗୁରୁତର ଆହତ ହେବା ସହ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ।

ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ଲୋକେ ଘଟଣାସ୍ଥଳରେ ପହଞ୍ଚି ସାଧୁଙ୍କୁ ଉଦ୍ଧାର କରିବା ସହ ଭାଲୁଟିକୁ ଘଉଡ଼ାଇ ଦେଇଥିଲେ। ପରେ ପରିବାର ଲୋକେ ତାଙ୍କୁ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ ତାଙ୍କ ଆଘାତ ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

Also Read: ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର, ବଢ଼ିଲା ହତ୍ୟା ସନ୍ଦେହ

ଏହି ଘଟଣା ପରେ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଭାଲୁ ଆକ୍ରମଣକୁ ନେଇ ଭୟ ଓ ଚିନ୍ତା ବଢ଼ିଯାଇଛି। ବିଶେଷକରି ଜାଳେଣି କାଠ ସଂଗ୍ରହ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀ ପରିବାରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଜଙ୍ଗଲ ନିକଟରେ ରହୁଥିବା ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ସଚେତନତା ଓ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।