ଫରିଦାବାଦ: ଦିଲ୍ଲୀ ଏନସିଆର ଅନ୍ତର୍ଗତ ବଲ୍ଲଭଗଡ଼ର ଶିହିଁ ଗାଁରେ ରବିବାର ସନ୍ଧ୍ୟାରେ ଏକ ବଡ଼ ଅଘଟଣ ଘଟିଛି। ଏଠାରେ ଏକ ଘରେ ଖେଳୁଥିବା ଅଢେଇ ବର୍ଷର ଝିଅ ପୁରୁଣା ବୋରୱେଲରେ ଗଳିପଡିଥିବା ଜଣାପଡିଛି। ଏହି ଘଟଣା ଜଣାପଡିବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ମିଳିବାମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ପିଲାକୁ ବାହାର କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ଝିଅଟିକୁ ନେହା ଭାବେ ଚିହ୍ନଟ କରାଯାଇଛି। ଝିଅର ପିତା ରାମଦିନ ଶିହି ଗ୍ରାମରେ ଏକ ଘର ଭଡ଼ା ନେଇ ରହୁଛନ୍ତି। ସେହି ଘର ଅଗଣାରେ ଏକ ପୁରୁଣା ବୋରୱେଲ ଥିଲା।

ପିଲାଟି ବୋରୱେଲରେ ଗଳି ପଡିବାରୁ ପରିବାର ଲୋକେ ପାଖପଡୋଶୀଙ୍କୁ ଡାକ ପାରିଥିଲେ। ଲୋକେ ଜମା ହୋଇଯାଇଥିଲେ ଓ ତୁରନ୍ତ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଯାଞ୍ଚ କରିଛନ୍ତି ଓ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇଛି। ପୋଲିସ ଘଟଣା ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ସୂଚିତ କରିଛି। ଶିଶୁକୁ ସୁରକ୍ଷିତ ବାହାର କରିବା ପାଇଁ ଘଟଣାସ୍ଥଳକୁ ଏନଡିଆରଏଫ ଟିମ୍ ଙ୍କୁ ଡକା ଯାଇଛି। ଏବେ ପୋଲିସ ଓ ଗ୍ରାମୀଣ ଉଦ୍ଧାର ଅଭିଯାନରେ ଲାଗିଛନ୍ତି। ଏନଡିଆରଏଫ ପହଞ୍ଚିବା ପରେ ଉଦ୍ଧାର ଅଭିଯାନ ଆଗକୁ ବଢିବ।

ପ୍ରଶାସନିକ ଟିମ୍ ମଧ୍ୟ ଘଟଣାସ୍ଥଳରେ ପରିସ୍ଥିତି ଉପରେ ନଜର ରଖିଛି। ଶିଶୁକୁ ସୁରକ୍ଷିତ ବାହାର କରିବାକୁ ସବୁ ସମ୍ଭବ ଉଦ୍ୟମ କରାଯାଉଛି। ତେବେ ପିଲାଟି ବୋରୱେଲରେ ଗଳି ପଡିବା ପରେ ପରିବାର ଲୋକେ ବ୍ୟତିବସ୍ତ ହୋଇ ପଡୁଛନ୍ତି। ଶିଶୁର ପିତା ରାମଦିନ ପିଲା ସହ କଥାବାର୍ତ୍ତା କରି ତାକୁ ସାହାସ ଦେବାକୁ ଚେଷ୍ଟା କରୁଛନ୍ତି। ଏହି ବୋରୱେଲଟି ପ୍ରାୟ ୨୦୦ ଫୁଟ ଗଭୀର ବୋଲି କୁହାଯାଉଛି। ପିଲାଟି ବୋରୱେଲର କେଉଁ ସ୍ଥାନରେ ରହିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।