ନୂଆଦିଲ୍ଲୀ: ସାରା ଦେଶରେ ଚହଳ ପକାଇଥିବା NEET-UG ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ଏକ ବଡ଼ ଖୁଲାସା କରିଛି ସିବିଆଇ। ଏହି ପ୍ରଶ୍ନପତ୍ର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ର ଜଣେ ସଦସ୍ୟଙ୍କ ଜରିଆରେ ଲିକ୍ ହୋଇଥିବା ସିବିଆଇ ଦିଲ୍ଲୀ କୋର୍ଟଙ୍କୁ ଜଣାଇଛି। ଏହି ମାମଲାରେ ଗିରଫ ହୋଇଥିବା ୫ ଜଣ ଅଭିଯୁକ୍ତଙ୍କୁ କୋର୍ଟ ୭ ଦିନିଆ ସିବିଆଇ ରିମାଣ୍ଡରେ ପଠାଇଛନ୍ତି।

NTA ଅଧିକାରୀଙ୍କ ସମ୍ପୃକ୍ତି ସନ୍ଦେହ

କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଅଭିଯୁକ୍ତ ଶୁଭମ ଖୈରନାର ପୁଣେର ଜଣେ ବ୍ୟକ୍ତିଙ୍କଠାରୁ ଏହି ପ୍ରଶ୍ନପତ୍ର ପାଇଥିଲେ। ସେହି ବ୍ୟକ୍ତିଜଣକ NTA ର ଜଣେ କର୍ମଚାରୀଙ୍କ ସହ ସମ୍ପର୍କରେ ଥିଲେ ଏବଂ ସେଠାରୁ ହିଁ ପ୍ରଶ୍ନପତ୍ର ହାସଲ କରିଥିଲେ। ସିବିଆଇ ଏବେ ସେହି NTA ଅଧିକାରୀ ଏବଂ ସରକାରୀ କର୍ମଚାରୀଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରୁଛି, ଯେଉଁମାନେ ଏହି ବଡ଼ ଧରଣର ଲିକ୍‌ରେ ସାମିଲ ଅଛନ୍ତି।

ପରୀକ୍ଷାର ୪ ଦିନ ପୂର୍ବରୁ ଟେଲିଗ୍ରାମରେ ଘୂରି ବୁଲୁଥିଲା ପ୍ରଶ୍ନପତ୍ର

ସିବିଆଇର ତଦନ୍ତରୁ ଜଣାପଡ଼ିଛି ଯେ, ଏପ୍ରିଲ ୨୯ ତାରିଖରେ ଟେଲିଗ୍ରାମରେ ପ୍ରାୟ ୫୦୦ ରୁ ୬୦୦ ପ୍ରଶ୍ନ ଥିବା ଏକ PDF ଫାଇଲ୍ ଘୂରି ବୁଲୁଥିଲା। ଏହି ପ୍ରଶ୍ନଗୁଡ଼ିକ ମଧ୍ୟରୁ ୧୮୦ଟି ପ୍ରଶ୍ନ ପ୍ରକୃତ NEET ପରୀକ୍ଷାରେ ଆସିଥିବା ପ୍ରଶ୍ନ ସହ ସମ୍ପୂର୍ଣ୍ଣ ସମାନ ଥିଲା। ମେ’ ୩ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପରୀକ୍ଷାକୁ ଲିକ୍ ଖବର ପରେ ମେ’ ୧୨ ତାରିଖରେ ବାତିଲ କରାଯାଇଥିଲା। ପ୍ରାୟ ୨୨ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଇଥିଲେ।

ଗିରଫ ଓ ରିମାଣ୍ଡ:

  ରିମାଣ୍ଡରେ ଥିବା ଅଭିଯୁକ୍ତ: ଗୁରୁଗ୍ରାମର ଯଶ ଯାଦବ, ଜୟପୁରର ମାଙ୍ଗିଲାଲ ଖଟିକ, ବିକାଶ ବିୱାଲ, ଦୀନେଶ ବିୱାଲ ଏବଂ ନାସିକର ଶୁଭମ ଖୈରନାର।

  ନୂଆ ଗିରଫ: ଅହଲ୍ୟାନଗରରୁ ଧନଞ୍ଜୟ ଲୋଖଣ୍ଡା ଏବଂ ପୁଣେରୁ ମନୀଷା ୱାଘମାରେଙ୍କୁ ମଧ୍ୟ ଗିରଫ କରାଯାଇଛି।

  ଚଢ଼ାଉ: ଗତ ୨୪ ଘଣ୍ଟା ମଧ୍ୟରେ ସିବିଆଇ ୧୪ଟି ସ୍ଥାନରେ ଚଢ଼ାଉ କରି ମୋବାଇଲ୍ ଫୋନ୍, ଡିଜିଟାଲ୍ ଚାଟ୍ ଏବଂ ଲିକ୍ ପ୍ରଶ୍ନପତ୍ର ଜବତ କରିଛି।

୧୦-୧୨ ଲକ୍ଷରେ ହୋଇଥିଲା ଡିଲ୍

ତଦନ୍ତ ଅନୁଯାୟୀ, ଶୁଭମ ଖୈରନାର ଏହି ପ୍ରଶ୍ନପତ୍ର ପାଇଁ ମାଙ୍ଗିଲାଲ ଖଟିକଙ୍କ ସହ ୧୦ ରୁ ୧୨ ଲକ୍ଷ ଟଙ୍କାରେ ଡିଲ୍ କରିଥିଲେ। ଅତି କମରେ ୧୫୦ଟି ପ୍ରଶ୍ନ ସମାନ ମିଳିଲେ ହିଁ ଟଙ୍କା ଦିଆଯିବ ବୋଲି ସର୍ତ୍ତ ରହିଥିଲା। ମାଙ୍ଗିଲାଲ ଏହି ପ୍ରଶ୍ନପତ୍ରକୁ ପ୍ରିଣ୍ଟ କରି ନିଜର ଆତ୍ମୀୟ ସ୍ୱଜନ ଓ ପରିଚିତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ବାଣ୍ଟିଥିଲେ।

ଏହି ସ୍କାମ୍ ପଛରେ ଥିବା ପ୍ରକୃତ ମାଷ୍ଟରମାଇଣ୍ଡ ଏବଂ NTA ଭିତରେ ଥିବା ‘ସୋର୍ସ’ କୁ ଧରିବା ପାଇଁ ସିବିଆଇ ଏବେ ନିଜର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି।