• ମେ ୩ରେ ପ୍ରଶ୍ନପତ୍ର ଲିକ୍ ଘଟଣା ଜଣାପଡିବା ପରେ ପରୀକ୍ଷା ରଦ୍ଦ କରିଦିଆଯାଇଛି
  • ରାଜସ୍ଥାନରେ ବିକ୍ରି ହୋଇଥିବା ଲିକ୍ ପ୍ରଶ୍ନ ପତ୍ରରେ ଜୀବ ବିଜ୍ଞାନ ପ୍ରଶ୍ନ ସହ ସମାନ ମେଳ ଖାଉଛି
  • ପୁରା ପ୍ରକରଣରେ ଏନଟିଏର କୌଣସି ବରିଷ୍ଠ ଅଧିକାରୀ ସାମିଲ ନଥିବେ ତାହା କୁହାଯାଇ ନପାରେ
  • ଆଗାମୀ ଦିନରେ ଆଉ କିଛି ବଡ଼ ଗିରଫଦାରୀ ହୋଇ ପାରେ

ନୂଆଦିଲ୍ଲୀ: ସିବିଆଇ ନିଟ୍ ପେପର ଲିକ୍ ମାଷ୍ଟର ମାଇଣ୍ଡ ପି.ଭି.କୁଲକର୍ଣ୍ଣିକୁ ଗିରଫ କରିଛି। ଫଳରେ ମାମଲାରେ ମୋଟ ଗିରଫ ଲୋକଙ୍କ ସଂଖ୍ୟା ୮କୁ ପହଞ୍ଚିଛି। କୁଲକର୍ଣ୍ଣି ମହାରାଷ୍ଟ୍ର ଲାଟୁରର ଏକ କଲେଜରେ କେମେଷ୍ଟ୍ରି ଲେକ୍ଚରର ଥିଲା। ୪ ବର୍ଷ ପୂର୍ବେ ଚାକିରୀରୁ ଅବସର ଗ୍ରହଣ କରିବା ପରେ ସେ ନିଟ୍ ପ୍ରଶ୍ନପତ୍ର ପ୍ରସ୍ତୁତକାରୀ କମିଟିରେ ଥିଲା। କମିଟି ସଦସ୍ୟ ହୋଇଥିବାରୁ ଏପ୍ରିଲ ଶେଷ ସପ୍ତାହରେ ତା ହାତକୁ ପ୍ରଶ୍ନପତ୍ର ଆସିଯାଇଥିଲା। ଏହା ପରେ ସେ ପୁଣେର ମନିଷ ବାଘମାରେ ମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ କରିଛି।

ମେ ୩ ତାରିଖରେ ପ୍ରଶ୍ନପତ୍ର ଲିକ୍ ଘଟଣା ଜଣାପଡିବା ପରେ ପରୀକ୍ଷା ରଦ୍ଦ କରିଦିଆଯାଇଛି ଓ ସିବିଆଇ ମେ ୧୨ ତାରିଖରେ ଏଫଆଇଆର ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି। ସିବିଆଇ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଗୁରୁବାର ମନିଷ ବାଘମାରେ ଗିରଫ ହେବା ପରେ ତାକୁ ପଚରା ଉଚରା ବେଳେ ପି.ଭି.କୂଲକର୍ଣ୍ଣିର ନାମ ସାମ୍ନାକୁ ଆସିଥିଲା। ପେପର ଲିକ୍ ରେ ସାମିଲ ଅଭିଯୁକ୍ତଙ୍କ ସହ କଥାବାର୍ତ୍ତା ଓ ପଇସାପତ୍ର ନେଣଦେଣର ପ୍ରମାଣ ଦେଇ ନ ପାରିବାରୁ ମନିଷ ବାଘମାରେକୁ ଗିରଫ କରାଯାଇଥିଲା।

ବରିଷ୍ଠ ଅଧିକାରୀଙ୍କ ଅନୁସାରେ ମନିଷ ତାଙ୍କ ଘରେ ଛାତ୍ରଛାତ୍ରୀଙ୍କୁ ନିଟ୍ କୋଚିଂ ଦିଅନ୍ତି। କୁଲକର୍ଣ୍ଣିଠାରୁ ପ୍ରଶ୍ନପତ୍ର ମିଳିବା ପରେ ମନିଷ ଘରେ ଛାତ୍ରଛାତ୍ରୀଙ୍କ ସ୍ୱତନ୍ତ୍ର କ୍ଲାସ ଆୟୋଜନ କରିଥିଲା। ଏଥିରେ ସେ ନିଟ୍ ପରୀକ୍ଷାରେ ସମ୍ଭାବିତ ପ୍ରଶ୍ନ ଏହାର ଉତ୍ତର, ବିକଳ୍ପ ଓ ସଠିକ ଉତ୍ତର ବାବଦେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦେଇଥିଲା। ସିବିଆଇ ଅନୁସାରେ ଛାତ୍ରଛାତ୍ରୀ ନିଜ ନୋଟ ବୁକ୍ ରେ ନିଟ୍ କୋଚିଂରୁ ପାଇଥିବା ପ୍ରଶ୍ନ ଓ ଉତ୍ତର ଠିକ୍ ସେଇଆ ଥିଲା ଯାହା ପରୀକ୍ଷାରେ ପଡିଥିଲା। ଏବେ ସିବିଆଇ ଆଶଙ୍କା କରୁଛି ଏନଟିଏରେ କୂଲକର୍ଣ୍ଣି ସହିତ ପ୍ରଶ୍ନପତ୍ର ପ୍ରସ୍ତୁତିକାରୀ କମିଟିର ଅନ୍ୟ ସଦସ୍ୟ ମଧ୍ୟ ସାମିଲ ଥାଇ ପାରନ୍ତି। ରାଜସ୍ଥାନରେ ବିକ୍ରି ହୋଇଥିବା ଲିକ୍ ପ୍ରଶ୍ନ ପତ୍ରରେ ଜୀବ ବିଜ୍ଞାନ ପ୍ରଶ୍ନ ସହ ସମାନ ମେଳ ଖାଉଛି।

ତେବେ କୂଲକର୍ଣ୍ଣିକୁ ଜୀବ ବିଜ୍ଞାନ ପ୍ରଶ୍ନ କିପରି ମିଳିଲା ସିବିଆଇ ଏହାର ଯାଞ୍ଚ କରୁଛି। ଜନୈକ ବରିଷ୍ଠ ସିବିଆଇ ଅଧିକାରୀ କହିଛନ୍ତି ଯେ ପୁରା ପ୍ରକରଣରେ ଏନଟିଏର କୌଣସି ବରିଷ୍ଠ ଅଧିକାରୀ ସାମିଲ ନଥିବେ ତାହା କୁହାଯାଇ ନପାରେ। ସିବିଆଇ ଏବେ ପ୍ରଶ୍ନପତ୍ର ତିଆରିରୁ ଆରମ୍ଭ କରି ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ ପୁରା ପ୍ରଣାଳୀରେ ସାମିଲ ଡିଜିଟାଲ ଉପକରଣର ଫରେନସିକ୍ ଯାଞ୍ଚ କରୁଛି। ଅଧିକାରୀ କହିଛନ୍ତି ଯେ ଆଗାମୀ ଦିନରେ ଆଉ କିଛି ବଡ଼ ଗିରଫଦାରୀ ହୋଇ ପାରେ।