ନୂଆଦିଲ୍ଲୀ: ଦେଶରେ ଏବେ ମୁଖ୍ୟ ନିର୍ବାଚନ କମିଶନର ଏବଂ ଏସଆଇଆର ବିରୋଧୀ ପ୍ରତିବାଦ ତୀବ୍ର ହୋଇଛି । ବିରୋଧୀ କଂଗ୍ରେସ ରାଜରାସ୍ତାରେ ଗର୍ଜନ କରୁଥିବା ବେଳେ ଶାସକ ବିଜେପି ଆଣିଛି ପାଲଟା ଅଭିଯୋଗ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ରାହୁଲ ‘ଅରାଜକ ମାନସିକତା’ ରଖିଛନ୍ତି ଏବଂ ବିରୋଧୀ ଦଳଗୁଡ଼ିକ ସମାଜରେ ବିଷ ବୁଣୁବାକୁ ଚେଷ୍ଟା କରୁଛନ୍ତି । 

ଦିଲ୍ଲୀରେ ଇଣ୍ଡି ମେଣ୍ଟର ସାଂସଦମାନଙ୍କ ଆନ୍ଦୋଳନ ସମୟରେ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ଏବଂ ଏହା ପରେ ମାମଲା ରୁଜୁ ହେବା ଘଟଣାକୁ ନେଇ ବିଜେପି ସଭାପତି ଏହି ପ୍ରତିକ୍ରିୟା ରଖିଛନ୍ତି। ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ଅବସରରେ ଗଣମାଧ୍ୟମକୁ ନିତିନ ନବୀନ କହିଛନ୍ତି ଯେ, ନିଜର ବିଦେଶୀ ମାନସିକତା ଯୋଗୁଁ ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ଭୋଟର ତାଲିକାର SIR ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି। ଯଦି ରାହୁଲ ଗାନ୍ଧୀଙ୍କର ନିର୍ବାଚନ ଆୟୋଗ ଉପରେ ଭରସା ନାହିଁ, ତେବେ ସେ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦିଅନ୍ତୁ । ସେହି ନିର୍ବାଚନ ଆୟୋଗଙ୍କ ଦ୍ବାରା ରାହୁଲ ନିଜେ ନିର୍ବାଚିତ ହୋଇଛନ୍ତି ବୋଲି କହିଛନ୍ତି ନିତିନ ନବୀନ ।

ବିଜେପି ଅଧ୍ୟକ୍ଷ କହିଛନ୍ତି ଯେ, ଏହି ନେତାମାନେ ଅରାଜକ ମାନସିକତାର ଶିକାର । ଯେଉଁମାନେ କେବଳ ସମାଜରେ ବିଷ ବୁଣିବା ଜାଣନ୍ତି। ଯେଉଁ ନିର୍ବାଚନ ଆୟୋଗ କେରଳ ଏବଂ ତାମିଲନାଡୁରେ ନିର୍ବାଚନ କରାଇଛନ୍ତି, ତାଙ୍କ ଉପରେ ବିରୋଧୀ ପ୍ରଶ୍ନ ଉଠାଉଛନ୍ତି ।  ଇଣ୍ଡି ମେଣ୍ଟ କିପ୍ରକାର ଖେଳ ଖେଳୁଛି ତାହା ଦେଶବାସୀ ଲକ୍ଷ୍ୟ କରୁଛନ୍ତି । ବିରୋଧୀ ଦଳ ନେତା ଭାରତୀୟଙ୍କ ହକ୍ ଛଡ଼ାଇ ନେଉଥିବା ଅନୁପ୍ରବେଶକାରୀଙ୍କ ସ୍ୱାର୍ଥ ରକ୍ଷାରେ ନିୟୋଜିତ ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।

ନିତିନ ନବୀନ ସ୍ପଷ୍ଟ କରିଛନ୍ତି ଯେ, ଭାରତର ସମ୍ପଦ, ସମ୍ପତ୍ତି ଏବଂ ଜମି ଉପରେ କେବଳ ଭାରତୀୟ ନାଗରିକଙ୍କର ହିଁ ଅଧିକାର ରହିଛି ।  ଏହାକୁ କୌଣସି ଅନୁପ୍ରବେଶକାରୀଙ୍କ ଦ୍ୱାରା ଦଖଲ କରିବାକୁ ଦିଆଯିବ ନାହିଁ। ବିଦେଶୀ ମାନସିକତା ରଖି ଅନୁପ୍ରବେଶକାରୀଙ୍କୁ  ସ୍ଥାୟୀ ଭାବରେ ବସବାସ କରାଇବାର ଏହି ଚେଷ୍ଟା ବିରୋଧରେ ଭାରତୀୟ ଜନତା ପାର୍ଟି ସଦାସର୍ବଦା ସଂଗ୍ରାମ ଜାରି ରଖିବ। ଏହା ପୂର୍ବରୁ ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଅବସରରେ ବିଜେପିର 'ସେବା ସଂକଳ୍ପ ଅଭିଯାନ' ଅଧୀନରେ ଆୟୋଜିତ ମୋଟରସାଇକେଲ ଯାତ୍ରାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ନିତିନ ନବୀନ । 

ସେ କହିଥିଲେ ଯେ, ବିରୋଧୀ ନେତାମାନେ ଭାରତୀୟଙ୍କ ଅଧିକାର ଛଡ଼ାଇ ନେଉଥିବା ଲୋକଙ୍କ ପାଇଁ ଚିନ୍ତିତ । ଅପରପକ୍ଷରେ, ମୁଖ୍ୟ ନିର୍ବାଚନ ଆୟୁକ୍ତ (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ବିରୋଧୀ ସାଂସଦମାନେ ଦିଲ୍ଲୀରେ ନିଜର ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।  ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବାକୁ ଚେତାବନୀ ଦେଇଛନ୍ତି ବିରୋଧୀ ଦଳ।