ନୂଆଦିଲ୍ଲୀ, ୨୪।୦୭ : ନିଟ୍ ଆଶାୟୀଙ୍କୁ ଦୁଷ୍କର୍ମ । ଉତ୍ତର ପ୍ରଦେଶର ଚିତ୍ରକୂଟରେ ଜଣେ ୨୦ ବର୍ଷୀୟ ନିଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ତାଙ୍କ ଘର ମଧ୍ୟପ୍ରଦେଶରେ ସତନାରେ । ତାଙ୍କୁ ତିନି ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ରିପୋର୍ଟ ଅନୁସାରେ, ବୁଧବାର ଯୁବତୀଜଣଙ୍କ ତାଙ୍କ ପୁରୁଷବନ୍ଧୁଙ୍କ ସହ ମିଶି ଚିତ୍ରକୂଟ ନିକଟବର୍ତ୍ତୀ ଦେବାଙ୍ଗନା ଭ୍ୟାଲୀ ବୁଲି ଯାଇଥିଲେ । ସେଠାରେ ତାଙ୍କୁ ବନବିଭାଗର ତିନି ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିଲେ । ଏପରିକି ତାଙ୍କ ପୁରୁଷବନ୍ଧୁଙ୍କୁ ବାନ୍ଧି ପକାଇଥିଲେ ।

ପୋଲିସର କହିବାନୁସାରେ, ପୀଡିତାଜଣଙ୍କ ମଧ୍ୟପ୍ରଦେଶର ସତନାରେ ରୁହନ୍ତି । ସେ କୋଟାରେ ନିଟ୍ ପାଇଁ ପ୍ରସ୍ତୁତି କରୁଥିଲେ । ତାଙ୍କର ପୁରୁଷବନ୍ଧୁ ୧୭ ବର୍ଷର ଥିବା ବେଳେ ଦ୍ୱାଦଶ ଶ୍ରେଣୀରେ ପଢନ୍ତି । ଉଭୟ ଉତ୍ତର ପ୍ରଦେଶର ଚିତ୍ରକୂଟ ନିକଟରେ ଥିବା ଦେବାଙ୍ଗନା ଭ୍ୟାଲିକୁ ଏକ ବାଇକରେ ବୁଲିବାକୁ ଯାଇଥିଲେ । ସେମାନେ ବସିଥିବା ବେଳେ ତିନିଜଣ ବ୍ୟକ୍ତି ତାଙ୍କ ପାଖକୁ ଆସିଥିଲେ । ସେମାନେ ନିଜକୁ ବନ ବିଭାଗର କର୍ମଚାରୀ ବୋଲି କହିଥିଲେ । ଏହାପରେ ପୁରୁଷବନ୍ଧୁଙ୍କ ହାତକୁ ବାନ୍ଧି ଦେଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ । ଏପରିକି କାହାକୁ କିଛି ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । କିୌଶଳକ୍ରମେ ପୁରୁଷବନ୍ଧୁ ସେଠାରୁ ଖସି ଆସି ପୋଲିସକୁ ଖବର ଦେଇଥିଲେ । ମୋବାଇଲ୍ ନେଟଓ୍ୱର୍କ ନଥିବାରୁ ଖବର ପହଁଚିବାରେ ବିଳମ୍ବ ହୋଇଥିଲା । ଏହାପରେ ପୋଲିସ ଗାଡି ତୁରନ୍ତ ସେଠାରେ ପହଁଚି ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା ।

ଜଣେ ଅଟକ

ପୋଲିସ ଘଟଣାରେ ସିସିଟିଭିକୁ ଯାଞ୍ଚ କରିଛି । ଏଥିରେ ତିନି ଜଣ ବ୍ୟକ୍ତି ଏକ ମୋଟର ସାଇକେଲରେ ବାହାରୁଥିବା ଦେଖିବାକୁ ମିଳିଛି । ତଦନ୍ତ ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି । ଘଟଣାରେ ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ଅନ୍ୟମାନଙ୍କୁ ପୋଲିସ ଖୋଜୁଛି ।