ନୂଆଦିଲ୍ଲୀ: ବିଶିଷ୍ଟ ଅର୍ଥନୀତିଜ୍ଞ ନୀଳକଣ୍ଠ ମିଶ୍ରଙ୍କୁ ଆମେରିକାର ୱାଶିଂଟନ ଡିସିସ୍ଥିତ ବିଶ୍ୱ ବ୍ୟାଙ୍କ (World Bank) ମୁଖ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (Executive Director) ଭାବରେ ନିଯୁକ୍ତ କରାଯାଇଛି। ଜୁନ୍ ୪ ତାରିଖରେ କେନ୍ଦ୍ରୀୟ କ୍ୟାବିନେଟ୍‌ର ନିଯୁକ୍ତି କମିଟି (ACC) ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ସରକାରୀ ସୂଚନା ଅନୁଯାୟୀ, ନୀଳକଣ୍ଠ ମିଶ୍ର ଏହି ପଦବୀରେ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ କିମ୍ବା ପରବର୍ତ୍ତୀ ଆଦେଶ ପ୍ରକାଶ ପାଇବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ।

ନୀଳକଣ୍ଠ ମିଶ୍ର ବର୍ତ୍ତମାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରମେଶ୍ୱରନ ଆୟାରଙ୍କ ସ୍ଥାନ ନେବେ। ପରମେଶ୍ବରନ ଆୟାର (୧୯୮୧ ବ୍ୟାଚ୍ ଆଇଏଏସ୍‌, ଉତ୍ତର ପ୍ରଦେଶ କ୍ୟାଡର) ବର୍ତ୍ତମାନ ବିଶ୍ୱ ବ୍ୟାଙ୍କରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି। ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ନୀଳକଣ୍ଠ ମିଶ୍ର ଏହି ଦାୟିତ୍ୱ ଗ୍ରହଣ କରିବେ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ‘କ୍ୟାବିନେଟ୍‌ର ନିଯୁକ୍ତି କମିଟି ପରମେଶ୍ୱରନ ଆୟାରଙ୍କ ସ୍ଥାନରେ ନୀଳକଣ୍ଠ ମିଶ୍ରଙ୍କୁ ଆମେରିକାର ୱାଶିଂଟନ ଡିସିସ୍ଥିତ ବିଶ୍ୱ ବ୍ୟାଙ୍କ ମୁଖ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ସେ କାର୍ଯ୍ୟଭାର ଗ୍ରହଣ କରିବାଠାରୁ ତିନି ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ।’

ବିଶ୍ୱ ବ୍ୟାଙ୍କରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦବୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନୀଳକଣ୍ଠ ମିଶ୍ର ଏହି ପଦବୀରେ ରହି ବିଶ୍ୱର ସବୁଠାରୁ ବଡ଼ ଆର୍ଥିକ ସଂସ୍ଥାରେ ଭାରତ ତଥା ଏହାର ସହଯୋଗୀ ଦେଶଗୁଡ଼ିକର ଆର୍ଥିକ ନୀତି, ବିକାଶମୂଳକ ଯୋଜନା ଏବଂ ପ୍ରତିନିଧିତ୍ୱକୁ ଅଧିକ ମଜଭୁତ କରିବାରେ ସହାୟକ ହେବେ ।

ନୀଳକଣ୍ଠ ମିଶ୍ର କିଏ ?
ସେ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ ଓ ବେସରକାରୀ ପଦବୀରେ କାର୍ଯ୍ୟ କରିଛନ୍ତି । ସେ ଆକ୍ସିସ୍ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ଏବଂ 'ଆକ୍ସିସ୍ କ୍ୟାପିଟାଲ୍'ର ଗ୍ଲୋବାଲ୍ ରିସର୍ଚ୍ଚର ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଛନ୍ତି।  ସେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ଜଣେ ସଦସ୍ୟ । ନୀଳକଣ୍ଠ ମିଶ୍ର ଭାରତୀୟ UIDAIର ଅସ୍ ଅଧ୍ୟକ୍ଷ (Chairman) ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। Telecom Regulatory Authority of Indiaର ସେ ଜଣେ ପାର୍ଟ-ଟାଇମ୍ ସଦସ୍ୟ।