ନୟାଗଡ଼: ଯେଉଁ ହାତ ଧରି ସାତ ଜନ୍ମର ସାଥୀ ହେବାକୁ କଥା ଦେଇଥିଲା। ଆଜି ସେଇ ହାତରେ ନିଜ ସାଥୀକୁ ମାରିଦେଲା। ଯେତେ କାକୁତିମିନତୀ ହେଲା, ନିର୍ଦ୍ଦୟ ହୋଇଗଲା ସ୍ୱାମୀ । ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବେଲଦ୍ୱାର ଗାଁରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ସ୍ତ୍ରୀଙ୍କୁ ହତ୍ୟା କରି ହାତ ବାନ୍ଧି ପୋଖରୀକୁ ଫିଙ୍ଗି ଦେଇଥିବା ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ମୃତକ ହେଲେ ଶରଣକୂଳ ଥାନା ହରିହରପୁର ଗାଁର ଶ୍ୟାମଘନ ସାହୁଙ୍କ ଝିଅ ତପସ୍ୱିନୀ।

ସୂଚନା ଅନୁଯାୟୀ, ତପସ୍ୱିନୀ ୨୦୨୦ରେ ବିନ୍ ପ୍ରଧାନଙ୍କ ପୁଅ ବକ୍ସିଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏକ ୫ ବର୍ଷର ଝିଅ ଅଛି। ବିବାହ ପରଠାରୁ ଯୌତୁକକୁ ନେଇ ତପସ୍ୱିନୀଙ୍କୁ ଶ୍ୱଶୁର ଘର ଲୋକେ ନିର୍ଯାତନା ଦେଉଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହାକୁ ନେଇ ୨୦୨୪ ମସିହାରେ ଉଭୟ ପକ୍ଷଙ୍କୁ ନେଇ ଥାନାରେ ବୁଝାମଣା ମଧ୍ୟ ହୋଇଥିଲା ।

ବିବାହ ସମୟରେ ବକ୍ସି ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ । ପରେ ଚାକିରି ଛାଡ଼ି ବେଲଦ୍ୱାରରେ ଏକ ଫାର୍ମହାଉସ୍ କରି ସ୍ତ୍ରୀ ଓ ଝିଅଙ୍କ ସହ ରହୁଥିଲେ । ସେଠାରେ ମଧ୍ୟ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ହେଉଥିବା ତପସ୍ୱିନୀଙ୍କ ପରିବାର ଲୋକେ କହିଛନ୍ତି ।

ଅଭିଯୋଗ ଅନୁସାରେ, ଗତକାଲି ରାତିରେ ପୁଣି ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ବକ୍ସି ତପସ୍ୱିନୀଙ୍କୁ ମାରିବା ସହ ତାଙ୍କ ହାତ ବାନ୍ଧି ଫାର୍ମହାଉସ୍‌ ପରିସରରେ ଥିବା ପୋଖରୀକୁ ଫିଙ୍ଗି ଦେଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ, ତପସ୍ୱିନୀ ପୋଖରୀକୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ବକ୍ସି ବିଳମ୍ବିତ ରାତିରେ ତପସ୍ୱିନୀଙ୍କ ମାଆଙ୍କୁ ଫୋନ୍ କରି ଜଣାଇଥିବା ସୂଚନା ମିଳିଛି ।

ଖବର ପାଇ ଓଡ଼ଗାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପୋଖରୀରୁ ତପସ୍ୱିନୀଙ୍କ ମୃତଦେହ ଉଦ୍ଧାର କରି ମେଡିକାଲକୁ ଆଣିଥିଲା । ଘଟଣାକୁ ନେଇ ଓଡ଼ଗାଁ ପୋଲିସ ବକ୍ସିଙ୍କୁ ଅଟକ ରଖିଛି । ଘଟଣାର ପ୍ରକୃତ କାରଣ ଏବଂ ତପସ୍ୱିନୀଙ୍କ ମୃତ୍ୟୁ କିପରି ହୋଇଛି, ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।