ମୁମ୍ବାଇ: ବରିଷ୍ଠ ସିନେ ଅଭିନେତା ନସିରୁଦ୍ଦିନ ଶାହ, କକରୋଚ୍‌ ଜନତା ପାର୍ଟି ଏବଂ ଏହାର ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କ ସମର୍ଥନ କରିଆସିଛନ୍ତି । ଆଜି ଖୋଦ ନସିରୁଦ୍ଦିନ୍‌ ଶାହ ମୁମ୍ବାଇର ଶିବାଜୀ ପାର୍କରେ ଦୀପକେଙ୍କୁ ଭେଟିବା ସହ ତାଙ୍କୁ ଆଲିଙ୍ଗନ କରିଛନ୍ତି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।  NEET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିରୋଧରେ ଦିଲ୍ଲୀ ଏବଂ ମୁମ୍ବାଇ ଭଳି ପ୍ରମୁଖ ସହରରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ସମୟରୁ ନସିରୁଦ୍ଦିନ୍ ଶାହ, ଅଭିଜିତଙ୍କୁ ସମର୍ଥନ କରିଆସୁଛନ୍ତି। ନିକଟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ସିଜେପି ଦ୍ୱାରା ଆୟୋଜିତ ପ୍ରତିବାଦ ସଭାରେ ଅଭିନେତା ଯୋଗ ଦେଇଛନ୍ତି। 

ଏହି ଆନ୍ଦୋଳନ ମାଧ୍ୟମରେ ସିଜେପି ତିନୋଟି ମୁଖ୍ୟ ଦାବି ଉପସ୍ଥାପନ କରିଛି । ଯେଉଁଥିରେ ନିର୍ବାଚନ କମିଶନରଙ୍କ ଇସ୍ତଫା ସହ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା, SIR ଅଭିଯାନକୁ ସ୍ଥଗିତ ରଖିବା ଏବଂ ଜାନୁଆରୀ ୨୦୨୫ର ଭୋଟର ତାଲିକାକୁ ପୁନରୁଦ୍ଧାର କରିବା ସାମିଲ । ଶିବାଜୀ ପାର୍କରେ ଅନୁଷ୍ଠିତ ଏହି ପ୍ରତିବାଦ ସମୟରେ ନସିରୁଦ୍ଦିନ୍ ଶାହଙ୍କୁ ହଠାତ୍ ନିଜ ପାଖରେ ଦେଖି ଅଭିଜିତ୍ ଦୀପକେ ଭାବବିହ୍ୱଳ ହୋଇପଡ଼ିଥିଲେ ।

ଯୁବନେତା ଅଭିଜିତଙ୍କ କାର୍ଯ୍ୟରେ ପ୍ରଭାବିତ ହୋଇ ଶାହ କହିଛନ୍ତି, ‘ମୁଁ ତୁମକୁ ଧନ୍ୟବାଦ ଜଣାଇବାକୁ ଚାହୁଁଛି ।’ ଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଯୁବପିଢ଼ିଙ୍କୁ ପ୍ରେରଣା ଦେଉଛନ୍ତି ବୋଲି ଦୀପକେଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ନସିରୁଦ୍ଦିନ ଶାହ । ଏହି ପ୍ରଶଂସା ପାଇବା ପରେ ଅଭିଜିତ୍ ଏହାକୁ ନିଜ ଜୀବନର ଏକ 'ସ୍ୱପ୍ନର ମୁହୂର୍ତ୍ତ' ବୋଲି ବର୍ଣ୍ଣନା କରିଛନ୍ତି। ଏହି ସାକ୍ଷାତକାରର ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ଅନ୍ୟପଟେ, ଶିବାଜୀ ପାର୍କରେ ସିଜେପିର ଆନ୍ଦୋଳନକୁ ନେଇ କିଛି ଲୋକ ଶବ୍ଦ ପ୍ରଦୂଷଣର ଅଭିଯୋଗ ଆଣିବା ପରେ ପ୍ରସିଦ୍ଧ ଗୀତିକାର ତଥା ଲେଖକ ଜାଭେଦ୍ ଅଖତର ସମାଲୋଚକମାନଙ୍କୁ ଜବାବ ଦେଇଛନ୍ତି । ନିଜର ଏକ୍ସ (X) ପୋଷ୍ଟରେ ଜାଭେଦ୍ ଅଖତର ଲେଖିଛନ୍ତି ଯେ, ଶିବାଜୀ ପାର୍କର କିଛି ସ୍ଥାନୀୟ ନାଗରିକ ଶବ୍ଦ ପ୍ରଦୂଷଣକୁ ନେଇ ସମ୍ବେଦନଶୀଳ ହେବା ଖୁସିର ବିଷୟ, କିନ୍ତୁ ଭବିଷ୍ୟତରେ ମହାରାଷ୍ଟ୍ରର କୌଣସି ଆଞ୍ଚଳିକ ରାଜନୈତିକ ଦଳର ସଭା ସମୟରେ ମଧ୍ୟ ସେମାନେ ଏହିପରି ସମାନ ତୀବ୍ରତାର ସହ ବିରୋଧ କରିବେ ବୋଲି ସେ ଆଶା ରଖିଛନ୍ତି। ଜାଭେଦ୍ ଅଖତର ମଧ୍ୟ ସିଜେପିର ଆନ୍ଦୋଳ'କୁ ନିଜର ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।