ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ପରୀକ୍ଷା ପ୍ରଣାଳୀରେ ବଡ଼ଧରଣର ସୁଧାର ଲାଗି ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟା ୭ଟା ବେଳେ ଏକ୍ସ ହ୍ୟାଣ୍ଡେଲରେ ଏକ ଭିଡିଓ ବାର୍ତ୍ତା ସେୟାର କରି ଛାତ୍ରଙ୍କ ଭବିଷ୍ୟତର ସୁରକ୍ଷା ଓ ପରୀକ୍ଷା ପ୍ରଣାଳୀରେ ପାରଦର୍ଶିତା ଲାଗି ଗୁରୁତ୍ୱପୂର୍ଣ୍ଣ ଘୋଷଣା ସବୁ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭବିଷ୍ୟତର ପରୀକ୍ଷା ପ୍ରଣାଳୀକୁ ନିର୍ଭରଯୋଗ୍ୟ କରିବା ପାଇଁ ଏଥିରେ ଅତ୍ୟାଧୁନିକ ଟେକ୍ନୋଲଜିର ଅଧିକ ଉପଯୋଗ କରାଯିବ।

ଦେଶର ପରୀକ୍ଷା ପ୍ରଣାଳୀକୁ ଫୁଲପ୍ରୁଫ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ସରକାର ଦିଗ୍ଗଜ ଆଇଟି କମ୍ପାନୀ ଇନଫୋସିସ୍ ର ସହ ସଂସ୍ଥାପକ ଓ ଭାରତର ଡିଜିଟାଲ ପରିଚୟ ଯୋଜନାର ମୁଖ୍ୟ ସୂତ୍ରଧର ନନ୍ଦନ ନିଲେକଣୀଙ୍କ ନେତୃତ୍ୱରେ ଏକ ହାଇପାୱାର ଟାସ୍କଫୋର୍ସ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଟାସ୍କଫୋର୍ସ ଦେଶରେ ପାରଦର୍ଶୀ, ଡିଜିଟାଲ ଓ ବୈଷୟିକ ରୂପେ ସୁରକ୍ଷିତ ପରୀକ୍ଷା ଢାଞ୍ଚା ପ୍ରସ୍ତୁତ କରିବା କାମ କରିବ, ଯାହାଦ୍ୱାରା ଭବିଷ୍ୟତରେ ପେପର ଲିକ୍ ଭଳି ଘଟଣା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇ ପାରିବ।

ନନ୍ଦନ ନିଲେକଣୀ କିଏ?
ନନ୍ଦନ ନିଲେକଣୀ ଭାରତର ସବୁଠୁ ପ୍ରତିଷ୍ଠିତ ବୈଷୟିକ ଉଦ୍ୟମୀ, ବିଚାରକ ଓ ନୀତି ନିର୍ମାତାଙ୍କ ମଧ୍ୟରେ ଅନ୍ୟତମ, ଯିଏ ଦେଶର ଡିଜିଟାଲ ଇନଫ୍ରାଷ୍ଟକ୍ଚରର ନିଅଁ ପକାଇଛନ୍ତି। ୧୯୮୧ ମସିହାରେ ନିଲେକଣୀ ଏନ.ଆର.ନାରାୟଣ ମୂର୍ତ୍ତି ଓ ନିଜର ପାଞ୍ଚ ଜଣ ସହଯୋଗୀଙ୍କ ସହିତ ମିଶି ଇନଫୋସିସ୍ ର ନିଅଁ ପକାଇଥିଲେ। ନିଲେକଣୀ ୨୦୦୨ରୁ ୨୦୦୭ ପର୍ଯ୍ୟନ୍ତ ଇନଫୋସିସ୍ ର ସିଇଓ ଥିଲେ। ସେହି ସମୟରେ ଇନଫୋସିସ୍ ବୈଶ୍ୱିକ ସ୍ତରରେ ନୂଆ ଉଚ୍ଚତା ହାସଲ କରିଥିଲା। ପରେ ସେ କମ୍ପାନୀ ଛାଡି ଦେଇଥିଲେ। ହେଲେ ଅଗଷ୍ଟ ୨୦୧୭ରେ ତାଙ୍କୁ ପୁଣି ଥରେ ଅଣକାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଇନଫୋସିସ୍ ରେ ନିଯୁକ୍ତ କରାଯାଇଥିଲା।

ଭାରତର ବାୟୋମେଟ୍ରିକ ପରିଚୟ ପ୍ରକଳ୍ପର ସଫଳତା ପୂର୍ବକ ଡିଜାଇନ ଓ ଲାଗୁ କରିବାର ଶ୍ରେୟ ନନ୍ଦନ ନିଲେକଣୀଙ୍କୁ ଯାଏ, ଯାହା ଆଜି ଦେଶର ଡିଜିଟାଲ ତନ୍ତ୍ରର ମୁଖ୍ୟ ଆଧାର ପାଲଟିଛି। ଏହା ଛଡା ୨୦୧୬ ମସିହାରେ ସେ ଭାରତ ସରକାରଙ୍କ ସେହି ଉଚ୍ଚସ୍ତରୀୟ କମିଟିର ନେତୃତ୍ୱ ନେଇଥିଲେ ଯେଉଁଥିରେ ଦେଶରେ ୟୁପିଆଇ ଭଳି ଡିଜିଟାଲ ପେମେଣ୍ଟସ୍ କୁ ପ୍ରୋତ୍ସାହନ ମିଳିଲା। ଆଇଟି ଓ ସାର୍ବଜନିକ ସେବାରେ ଯୋଗଦାନ ପାଇଁ ନିଲେକଣୀଙ୍କୁ ଭାରତ ସରକାରଙ୍କ ସବୁଠୁ ବଡ଼ ନାଗରିକ ସମ୍ମାନ ‘ପଦ୍ମଭୂଷଣ’ରେ ସମ୍ମାନୀତ କରାଯାଇଛି।