ନାଗ ପଞ୍ଚମୀ: ଚଳିତ ବର୍ଷ ଶ୍ରାବଣର ପବିତ୍ର ମାସ ଶିବଭକ୍ତମାନଙ୍କ ପାଇଁ ବେଶ୍ ସ୍ୱତନ୍ତ୍ର ହେବାକୁ ଯାଉଛି । ଏଥର ଅଗଷ୍ଟ ୧୭ରେ ଶ୍ରାବଣ ସୋମବାର ସହିତ ନାଗ ପଞ୍ଚମୀ ଏବଂ ସିଂହ ସଂକ୍ରାନ୍ତି ମଧ୍ୟ ପଡ଼ୁଛି । ଏଭଳି ଏକ ଦୁର୍ଲଭ ତ୍ରିବେଣୀ ମହାସଂଯୋଗ ଦୀର୍ଘ ୨୩ ବର୍ଷ ପରେ ସୃଷ୍ଟି ହେବାକୁ ଯାଉଛି । ଆସନ୍ତୁ ଜାଣିବା ଏହି ଦିନର ମହତ୍ତ୍ୱ ।

କେବେଠାରୁ ଆରମ୍ଭ ହେବ ଶ୍ରାବଣ ମାସ ?

ପଞ୍ଚାଙ୍ଗ ଅନୁସାରେ, ଶ୍ରାବଣର ପବିତ୍ର ମାସ ଜୁଲାଇ ୩୦ ଗୁରୁବାରରୁ ଆରମ୍ଭ ହୋଇ ଅଗଷ୍ଟ ୨୮ ଶୁକ୍ରବାର ଦିନ ଶେଷ ହେବ । ସମ୍ପୂର୍ଣ୍ଣ ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା, ଜଳାଭିଷେକ, ରୁଦ୍ରାଭିଷେକ, ବ୍ରତ ଏବଂ କାଉଡ଼ି ଯାତ୍ରାର ବିଶେଷ ମହତ୍ତ୍ୱ ରହିଛି ।

ଅଗଷ୍ଟ ୧୭ରେ ସୃଷ୍ଟି ହେବ ଦୁର୍ଲଭ ମହାସଂଯୋଗ

ଏଥର ଶ୍ରାବଣ ମାସର ଚାରୋଟି ସୋମବାର ମଧ୍ୟରୁ ତୃତୀୟ ସୋମବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଅଗଷ୍ଟରେ ୧୭ ଏକାସଙ୍ଗେ ଶ୍ରାବଣ ସୋମବାର, ନାଗ ପଞ୍ଚମୀ ଏବଂ ସିଂହ ସଂକ୍ରାନ୍ତିର ମହାସଂଯୋଗ ରହିଛି । ସାଧାରଣତଃ ନାଗ ପଞ୍ଚମୀ ଏବଂ ଶ୍ରାବଣ ସୋମବାର ଅଲଗା ଅଲଗା ତିଥିରେ ପଡ଼ିଥାଏ । କିନ୍ତୁ ଏଥର ଦୁଇଟି ଯାକ ଗୋଟିଏ ଦିନରେ ପଡ଼ୁଥିବାରୁ ଏହା ଅତ୍ୟନ୍ତ ବିଶେଷ ଅଟେ । ଶେଷ ଥର ଲାଗି ୨୦୦୩ ମସିହାରେ ଏଭଳି ସଂଯୋଗ ସୃଷ୍ଟି ହୋଇଥିଲା । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଦିନ ଭଗବାନ ଶିବ, ନାଗ ଦେବତା ଏବଂ ସୂର୍ଯ୍ୟ ଦେବଙ୍କ ଉପାସନା ପାଇଁ ବହୁତ ଶୁଭ ଅଟେ ।

ନାଗ ପଞ୍ଚମୀ କେବେ ?

ପଞ୍ଚମୀ ତିଥି ଆରମ୍ଭ: ଅଗଷ୍ଟ ୧୬, ଅପରାହ୍ନ ୪ଟା ୫୨ ମିନିଟରୁ

ପଞ୍ଚମୀ ତିଥି ଶେଷ: ଅଗଷ୍ଟ ୧୭, ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ

ନାଗ ପଞ୍ଚମୀ ପର୍ବ (ଉଦୟ ତିଥି ଅନୁସାରେ): ଅଗଷ୍ଟ ୧୭

ପୂଜାର ଶୁଭ ମହୂର୍ତ୍ତ: ସକାଳ ୫ଟା ୫୧ ମିନିଟରୁ ସକାଳ ୮ଟା ୨୯ ମିନିଟ୍ ପର୍ଯ୍ୟନ୍ତ (ପ୍ରାୟ ୨ ଘଣ୍ଟା ୩୭ ମିନିଟ୍)

ଏହି ଦିନ ଭଗବାନ ଶିବଙ୍କ ପୂଜା କାହିଁକି ବିଶେଷ ?

ସନାତନ ଧର୍ମରେ ନାଗମାନଙ୍କର ଭଗବାନ ଶିବଙ୍କ ସହ ସ୍ୱତନ୍ତ୍ର ସମ୍ପର୍କ ରହିଛି । ଭଗବାନ ଶିବ ନିଜ ବେକରେ ବାସୁକୀ ନାଗକୁ ଧାରଣ କରନ୍ତି, ତେଣୁ ନାଗ ପଞ୍ଚମୀ ଦିନ ଶିବ ପୂଜାର ଗୁରୁତ୍ୱ ଅଧିକ ବଢ଼ିଯାଏ । ଏହି ଦିନ ଶିବଲିଙ୍ଗରେ ଜଳ, କ୍ଷୀର, ବେଲପତ୍ର, ଦୁଦୁରା ଏବଂ ଅରଖ ଫୁଲ ଅର୍ପଣ କରିବା ଦ୍ୱାରା ମହାଦେବ ଶୀଘ୍ର ପ୍ରସନ୍ନ ହୁଅନ୍ତି । ଶିବ ଓ ନାଗ ଦେବତା ଉଭୟଙ୍କ କୃପା ଲାଭ ହୁଏ ।

ରାହୁ-କେତୁ ଦୋଷରୁ ମୁକ୍ତିର ମାନ୍ୟତା

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନାଗ ପଞ୍ଚମୀ ଦିନ ମହାଦେବଙ୍କୁ ବେଲପତ୍ର ଚଢ଼ାଇବା ଏବଂ ନାଗ ଦେବତାଙ୍କୁ ବିଧିବଦ୍ଧ ଭାବେ ପୂଜା କରିବା ଦ୍ୱାରା ରାହୁ-କେତୁ ଦୋଷ ପ୍ରଭାବ କମିଯାଏ । ଯେଉଁମାନଙ୍କ କୁଣ୍ଡଳୀରେ କାଳସର୍ପ ଦୋଷ, ନାଗ ଦୋଷ କିମ୍ବା ରାହୁ-କେତୁ ଜନିତ ସମସ୍ୟା ଥାଏ, ସେମାନେ ଏହି ଦିନ ବିଶେଷ ପୂଜା ଏବଂ ମନ୍ତ୍ର ଜପ କରିବା ଉଚିତ ।

ଏହି ଦିନ କରନ୍ତୁ ଏହିସବୁ ଶୁଭ କାମ

  • ସକାଳୁ ଶୀଘ୍ର ସ୍ନାନ ସାରି ଭଗବାନ ଶିବଙ୍କ ଜଳାଭିଷେକ କରନ୍ତୁ
  • ଶିବଲିଙ୍ଗରେ ବେଲପତ୍ର, ଧଳା ଫୁଲ ଓ ଦୁଦୁରା ଫୁଲ ଅର୍ପଣ କରନ୍ତୁ
  • ନାଗ ଦେବତାଙ୍କ ପୂଜା କରିବା ସହ "ଓଁ ନମଃ ଶିବାୟ" ମନ୍ତ୍ର ଜପ କରନ୍ତୁ
  • ଗରିବଙ୍କୁ ଅନ୍ନ, ବସ୍ତ୍ର କିମ୍ବା ଆବଶ୍ୟକୀୟ ଜିନିଷ ଦାନ କରିବା ମଧ୍ୟ ଶୁଭ ବୋଲି ମାନାଯାଏ

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକ ବିଶ୍ୱାସ ଏବଂ ଲୋକବିଶ୍ୱାସ ଉପରେ ଆଧାରିତ । ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ପ୍ରମେୟ ନ୍ୟୁଜ୍ ୭ ଡିଜିଟାଲ କୌଣସି ଜିନିଷର ସତ୍ୟତାର ପ୍ରମାଣ ପ୍ରଦାନ କରେ ନାହିଁ।)