ପାଟନା: ବିହାରର ମୁଜାଫରପୁର ଜିଲ୍ଲାରେ ଏକ ବଡ଼ଧରଣର ଅଘଟଣ ଘଟିଛି। ଗୁରୁବାର ସକାଳେ ଏକ ବେସରକାରୀ ହସ୍ପିଟାଲର ଆଇସିୟୁ (ICU) ୱାର୍ଡରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଯୋଗୁଁ ପ୍ରାୟ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ରୋଗୀ ଗୁରୁତର ହୋଇଛନ୍ତି। ତେବେ ଏଭଳି ଏକ ସମ୍ବେଦନଶୀଳ ସମୟରେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ କୁମାର ଘଟଣାସ୍ଥଳ ପରିଦର୍ଶନ ନକରି ଦିଲ୍ଲୀ ଗସ୍ତ କରିଥିବାରୁ ଏହାକୁ ନେଇ ବିବାଦ ତେଜିବାରେ ଲାଗିଛି।

ଆଇସିୟୁରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ୪ ମୃତ

ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ହସ୍ପିଟାଲରେ ନିଆଁ ଲାଗିବା ନେଇ ପ୍ରଶାସନକୁ ଖବର ମିଳିଥିଲା। ଅଗ୍ନିକାଣ୍ଡ ସମୟରେ ଆଇସିୟୁରେ ପ୍ରାୟ ୧୩ ରୁ ୧୫ ଜଣ ରୋଗୀ ଚିକିତ୍ସିତ ହେଉଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣ ପ୍ରାଣ ହରାଇଥିବା ବେଳେ ବାକି ରୋଗୀମାନଙ୍କୁ ଉଦ୍ଧାର କରାଯାଇ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ପ୍ରାଥମିକ ଭାବେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି। ନିଆଁ ଖୁବଶୀଘ୍ର ବ୍ୟାପିଯିବା ସହ ସମଗ୍ର ୱାର୍ଡ ଧୂଆଁମୟ ହୋଇଯାଇଥିଲା, ଫଳରେ ରୋଗୀମାନଙ୍କୁ ବାହାରକୁ ଆଣିବାରେ ପ୍ରବଳ ଅସୁବିଧା ହୋଇଥିଲା। ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି।

ଟାର୍ଗେଟ କଲା ବିରୋଧୀ ଦଳ RJD

ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ କୁମାର ଘଟଣା ଘଟିବା ପରେ ମଧ୍ୟ ଦ୍ୱିପ୍ରହର ୧୨ଟା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ରଖିନଥିଲେ କିମ୍ବା ହସ୍ପିଟାଲ ଯାଇନଥିଲେ। ସେ ଜେଡିୟୁ (JDU) କାର୍ଯ୍ୟକାରୀ ଅଧ୍ୟକ୍ଷ ସଞ୍ଜୟ ଝାଙ୍କ ସହ ପାଟନାରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ଏହାକୁ ନେଇ ମୁଖ୍ୟ ବିରୋଧୀ ଦଳ ରାଷ୍ଟ୍ରୀୟ ଜନତା ଦଳ (RJD) ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ତୀବ୍ର ସମାଲୋଚନା କରିଛି। RJD ଲେଖିଛି, ‘ସ୍ୱାସ୍ଥ୍ୟ ବିଭାଗର ମିଲିଭଗତରେ ଚାଲୁଥିବା ଏକ ବେଆଇନ ହସ୍ପିଟାଲରେ ନିଆଁ ଲାଗିବା ଯୋଗୁଁ ଅନେକ ଜୀବନ ଚାଲିଗଲା। କିନ୍ତୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦାୟିତ୍ୱହୀନତା ଦେଖନ୍ତୁ, ସେ ଏହି ଦୁଃଖଦ ଘଟଣାର ଜବାବ ନଦେଇ ହାତ ଯୋଡ଼ି ଏବଂ ହସି ହସି ଦିଲ୍ଲୀ ବୁଲିବାକୁ ବାହାରି ପଡ଼ିଲେ।’

RJD ଆହୁରି ମଧ୍ୟ ପ୍ରଶ୍ନ କରିଛି ଯେ, ନା ସେ ସମବେଦନା ଜଣାଇଲେ, ନା ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ନା ଘଟଣାସ୍ଥଳ ପରିଦର୍ଶନ କଲେ। କଣ ଏଭଳି ଜଣେ ମନ୍ତ୍ରୀ ବିହାର ଚଲାଇବେ ? ଏହା ଅତ୍ୟନ୍ତ ନିନ୍ଦନୀୟ ବ୍ୟବହାର ।

ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ: ସ୍ୱାସ୍ଥ୍ୟମନ୍ତ୍ରୀ

 

ବିବାଦ ବଢ଼ିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ନିଶାନ୍ତ କୁମାର X ମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରିବା ସହ ଲେଖିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ଓ ହୃଦୟବିଦାରକ। ସେ କହିଛନ୍ତି, ଆହତ ରୋଗୀଙ୍କ ସୁରକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ କୁହାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟ ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମଗ୍ର ଘଟଣାର ନିରପେକ୍ଷ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ଦାୟିତ୍ୱ ନିର୍ଦ୍ଧାରଣ କରାଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନିଶାନ୍ତ କୁମାର ।