ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ଏବେ ଏକ ଅଜବ ସମସ୍ୟା ଦେଖାଦେଇଛି। ମାଂସ ବ୍ୟବସାୟୀଙ୍କ ଆନ୍ଦୋଳନ ଯୋଗୁଁ ସମଗ୍ର କାଶ୍ମୀର ବଜାରରୁ ଖାସି ମାଂସ (ମଟନ) ସମ୍ପୂର୍ଣ୍ଣ ଗାୟବ ହୋଇଯାଇଛି। ପଞ୍ଜାବର ଜାତୀୟ ରାଜପଥରେ ପଶୁ ପରିବହନ କରୁଥିବା ଗାଡ଼ିଗୁଡ଼ିକରୁ ବେଆଇନ ଭାବରେ ମାତ୍ରାଧିକ ଟଙ୍କା ଆଦାୟ କରାଯାଉଛି ।  ଗାଡ଼ି ଚାଳକଙ୍କୁ ହଇରାଣ କରାଯାଉଥିବା ନେଇ ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ସିଧାସଳଖ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଚିଠି ଲେଖି ସହାୟତା ଲୋଡ଼ିଛନ୍ତି।

ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜୁନ୍ ୨୩ ତାରିଖରେ ଲେଖିଥିବା ଏହି ଚିଠିରେ ଦର୍ଶାଇଛନ୍ତି ଯେ, 'ଅଲ୍ କାଶ୍ମୀର ହୋଲସେଲ୍ ମଟନ୍ ଡିଲର୍ସ ୟୁନିଅନ' ପକ୍ଷରୁ ତାଙ୍କୁ ଏହି ସଂଘାତିକ ସମସ୍ୟା ବିଷୟରେ ଅବଗତ କରାଯାଇଛି। ଜମ୍ମୁକାଶ୍ମୀରର ବ୍ୟବସାୟୀମାନେ ଯେତେବେଳେ ରାଜସ୍ଥାନ, ଦିଲ୍ଲୀ ବା ହରିୟାଣାରୁ ପଞ୍ଜାବ ଦେଇ ଯାତ୍ରା କରୁଛନ୍ତି, ସେତେବେଳେ ସେମାନଙ୍କୁ ପ୍ରବଳ ହଇରାଣ ହେବାକୁ ପଡ଼ୁଛି।

ଚିଠି ଅନୁଯାୟୀ, ଜମ୍ମୁ-କାଶ୍ମୀର ଅଭିମୁଖେ ଯାଉଥିବା ପଶୁ ବୋଝେଇ ଗାଡ଼ିଗୁଡ଼ିକୁ ପଞ୍ଜାବର ପଶୁ ମେଳା ସହ ଜଡ଼ିତ କେତେକ ଠିକାଦାର ଗୋଷ୍ଠୀ ମଝି ରାସ୍ତାରେ ଅଟକାଉଛନ୍ତି। ଗାଡ଼ିଗୁଡ଼ିକ ପାଖରେ ସମସ୍ତ ବୈଧ କାଗଜପତ୍ର ଏବଂ ଅନୁମତି ଥିଲେ ମଧ୍ୟ ସେମାନଙ୍କଠାରୁ ଜୋରଜବରଦସ୍ତ ବେଆଇନ ଭାବରେ ମୋଟା ଅଙ୍କର ଫି’ ଆଦାୟ କରାଯାଉଛି। ବ୍ୟବସାୟୀଙ୍କ ସୂଚନା ଅନୁଯାୟୀ, ଗତବର୍ଷ ପର୍ଯ୍ୟନ୍ତ ଗାଡ଼ି ପିଛା ୧୦,୦୦୦ ଟଙ୍କା ନିଆଯାଉଥିବା ବେଳେ ଏବେ ତାହାକୁ ବଢ଼ାଇ ଗାଡ଼ି ପିଛା ୨୦,୦୦୦ ରୁ ୩୦,୦୦୦ ଟଙ୍କା କରାଯାଇଛି। ଏହି କାରଣରୁ ପରିବହନରେ ଅଯଥା ବିଳମ୍ବ ହେଉଛି, ବ୍ୟବସାୟୀମାନେ ଆର୍ଥିକ କ୍ଷତି ସହୁଛନ୍ତି ଏବଂ ଗରମ ଯୋଗୁଁ ଅନେକ ସମୟରେ ଗାଡ଼ି ଭିତରେ ହିଁ ମେଣ୍ଢାମାନଙ୍କର ମୃତ୍ୟୁ ମଧ୍ୟ ହେଉଛି।

ଜମ୍ମୁକାଶ୍ମୀରର ଖାଦ୍ୟ ଓ ନାଗରିକ ଯୋଗାଣ ବିଭାଗର ଏକ ଆଭ୍ୟନ୍ତରୀଣ କମିଟି ମଧ୍ୟ ଏହି ଘଟଣାର ଯାଞ୍ଚ କରିଥିଲା। ଯାଞ୍ଚରୁ ଜଣାପଡ଼ିଛି ଯେ, ପଞ୍ଜାବରେ ପରିବହନ ଗାଡ଼ିଗୁଡ଼ିକଠାରୁ ବିନା କୌଣସି ଆଇନଗତ ସ୍ୱୀକୃତିରେ ବିପୁଳ ପରିମାଣର ଅର୍ଥ ଆଦାୟ କରାଯାଉଛି। ଜୀବନ୍ତ ପଶୁ ପରିବହନ ଉପରେ କୌଣସି ଜିଏସଟି ଲାଗେ ନାହିଁ, ତଥାପି ଏହି ବେଆଇନ ଟ୍ୟାକ୍ସ ଆଦାୟ କରାଯାଉଛି। ଏହି ଅତିରିକ୍ତ ଆର୍ଥିକ ବୋଝ ଯୋଗୁଁ କାଶ୍ମୀରରେ ମାଂସର ଦର ଅହେତୁକ ଭାବେ ବଢ଼ିଯାଉଛି, ଯାହାର ସିଧାସଳଖ ପ୍ରଭାବ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ୁଛି।

ଓମାର ଅବଦୁଲ୍ଲା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ସେ ବ୍ୟକ୍ତିଗତ ଭାବରେ ଏହି ମାମଲାର ଯାଞ୍ଚ କରନ୍ତୁ ଏବଂ ଜମ୍ମୁକାଶ୍ମୀର ଯାଉଥିବା ଗାଡ଼ିଗୁଡ଼ିକୁ ଏକ 'ସୁରକ୍ଷିତ କରିଡର' ପ୍ରଦାନ କରନ୍ତୁ ଯେପରି ସେମାନେ ବିନା କୌଣସି ବାଧାରେ ଯାଇପାରିବେ। ଏହା ସହ ପଞ୍ଜାବ ଓ କାଶ୍ମୀର ମଧ୍ୟରେ ଥିବା ପୁରୁଣା ବନ୍ଧୁତା ଏବଂ ଆର୍ଥିକ ସମ୍ପର୍କକୁ ସେ ମନେ ପକାଇ ଦେଇଛନ୍ତି।